Indus Valley Times

କୁଟାସିଂହା ର ମାଁ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନ ପୁଜା

 Breaking News

କୁଟାସିଂହା ର ମାଁ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନ ପୁଜା

କୁଟାସିଂହା ର ମାଁ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନ ପୁଜା
June 10
10:42 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୧୦/୬ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମାଁ ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି।
ବଲାଙ୍ଗୀର ସହର ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ।କାହିଁ କେଉଁ ଆବହମାନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା।ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ରୀତିନୀତି ଅନୁସାରେ ମାଁ ଙ୍କ ପୂଜାର୍ଚ୍ଚନା ହୁଏ।
ଦେଶିମଦ,ଅରୁଆ ଚାଉଳ,ସିନ୍ଦୁର,ଘିଅ,ସଳିତା, ଲିଆ(ଖଇ )ଧୂପ,ଫୁଲ ପୂଜାରେ ବ୍ୟବହାର କରାଯାଇଥାଏ।
ପାରମ୍ପରିକ ପୁଝାରୀ(ଝାଙ୍କର),ଗାଁ ଗୌନ୍ତିଆ,ଛତରଧାରୀ,ନିଆଁ ବେଟିଆଁ(ପାଲରେ ତିଆରି )ଧାରୀ,ଘଣ୍ଟଧାରୀ ଙ୍କ ସହିତ ସନ୍ଧ୍ୟା ସମୟରେ ଗ୍ରାମର ଚାରି ଦିଗରେ ଶାଳ କାଠ କୁ ଦୀପ ଷ୍ଟାଣ୍ଡ କରାଯାଇ ମାଟି ଦୀପରେ ଫୁଲି(ଦେଶୀ ମଦରେ )୭ ଦିନ ବ୍ୟାପି ଅଖଣ୍ଡ ଜଳା ଯାଇଥାଏ।
ରନ୍ଧା ଦେଶୀ ମଦକୁ ମାଁ ଙ୍କୁ ଅର୍ପଣ କରାଯାଏ ।ଗ୍ରାମ ର ଜନସ୍କୃତି ରୁ ଜଣାଯାଏ ଯେ ୧୯୩୬ ମସିହାରେ ମାଁ ଙ୍କ ଆବିର୍ଭାବ ଗାଁ ନିକଟ ଅଙ୍ଗନଦୀ କୂଳରେ ହୋଇଥିଲା।
ସେହି ସମୟରୁ ଗାଁ ଗୌନ୍ତିଆଙ୍କ ପ୍ରଚେଷ୍ଟାରେ ମାଁ ଙ୍କ ଯାତ୍ରା ହୋଇଆସୁଛି।ଜ୍ୟୋଷ୍ଠ ମାସ ଶୁକ୍ଳ ଚତୁର୍ଦଶୀ ଦିନ ମାଁ ଙ୍କ ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ।
ନିଷ୍ଠା ଓ ଭକ୍ତି ର ସହିତ ଗାଁ ର ପ୍ରତ୍ୟେକ ପରିବାରରୁ ନଡ଼ିଆ,ଫୁଲ,ଧୂପ,ଦୀପ, ଘିଅ,ସିନ୍ଦୁର ଗାଁ ମଝିରେ ଥିବା ମାଁଙ୍କ ପୀଠକୁ ଆସେ।
ମାଁ ଙ୍କ ମୁଖ୍ୟ ଭୋଗ ନଡ଼ିଆ,ମୁଗକ୍ଷୀରି ଓ ଖଇ(ଲିଆ)।ମାଁ ହେଉଛନ୍ତି ଭାବ,ସ୍ନେହ ଏବଂ ମମତାର ଦେବୀ।
ମାଁ ଅଭୟା ସମସ୍ତଙ୍କୁ ଅଭୟ ପ୍ରଦାନ କରି ରଖି ଆସିଛନ୍ତି।ଭକ୍ତମାନେ ମାଁଙ୍କ କରୁଣାର ସାନିଦ୍ଧ୍ୟ ଲାଭ କରୁଥିବାରୁ ପ୍ରଚଣ୍ଡ ରୌଦ୍ର ତାପ କୁ ଭ୍ରୁକ୍ଷେପ ନ କରି ଚାଲି ଆସୁଛନ୍ତି ମାଁ ଙ୍କ ପାଖକୁ।ବର୍ଷକୁ ବର୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଜମି ରହୁଛି ମାଁ ଅଭୟା ଙ୍କ ପୀଠରେ।
ମାଁ ଙ୍କ ଠାରେ ଲାଗୁଥିବା ଭୋଗକୁ ବୟସ୍କ ବିଧବା ମହିଳା ମାନେ ପ୍ରସ୍ତୁତ କରିଥାନ୍ତି।
ଅନ୍ୟାନ୍ୟ ପୂଜା କାର୍ଯ୍ୟରେ ବିଧବାଙ୍କୁ ବାରଣ ଥିବାବେଳେ ଏଠାରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ।ବିଧବା ଙ୍କ ଉପରେ ମାଁ ଙ୍କ ଆଶୀର୍ବାଦ ରହିଥିବା ବିଶ୍ୱାସ କରାଯାଏ।
ଏହି ୭ ଦିନ ଗାଁ ରେ ଆମିଷ ଭକ୍ଷଣ କରାଯାଏ ନାହିଁ।ବର୍ତ୍ତମାନ ପଶ୍ଚିମ ଓଡିଶା ର ତାରିଣୀ କୁହାଯାଉଥିବା ଏହି ପୀଠକୁ ରାଜ୍ୟ ବାହାରର ଶ୍ରଦ୍ଧାଳୁ ଙ୍କ ସୁଅ ମଧ୍ୟ ଛୁଟୁଛି।
ଜ୍ୟୋଷ୍ଠ ପୂର୍ଣ୍ଣିମା ଦିନ ଭୋର ସକାଳେ ଗାଁ ର ପ୍ରତ୍ୟେକ ପରିବାର ରୁ ଜଣେ ଜଣେ ନିଆଁ ବେଟିଆଁ(ପାଲରେ ତିଆରି )ଠୁଁଟି ବାଢୁନ(ଝାଡୁ )ଖଇ ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ବତ୍ବଥ ବୃକ୍ଷ ମୂଳ କୁ ଯାଇ ଦେବୀ ମାଁ ଙ୍କୁ ମେଲାଣି ଦେଇଥାନ୍ତି।
ଏହି ମେଲାଣି ଯାତ୍ରା ରେ ମାଁ ଙ୍କ ଆଗରେ କେହି ନ ଯିବାକୁ ବାରଣ ରହିଛି।ଗାଁ ଗୌନ୍ତିଆ ରାଜିନ ପାତ୍ର ଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଯାତ୍ରା ରେ ଝାଙ୍କର ଶ୍ରୀହରି ଭୁଏ, ପିତାମ୍ବର ନାଗ,ଲେକୃ ସାହୁ,ନାଥୁଲାଲ ବାଘ,ଗରୁଡ଼ ସା,ବାଲି ବାଘ (ଛତର ଯାତ୍ରା)ପୂଜା ଦାୟିତ୍ୱରେ ଥିବାବେଳେ ମୁଖ୍ୟପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘନ ପୁରୋହିତ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ ।
ଯାତ୍ରା ପରିଚାଳନା କମିଟି ମୁଖ୍ୟ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବାବେଳେ ଗ୍ରାମର ଯୁବ ଗୋଷ୍ଠୀ ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ।
ଏହି ଯାତ୍ରା କୁ ସଫଳ କରିଥିବା ରୁ ଯାତ୍ରା କମିଟି ଓ ଗ୍ରାମବାସୀ ଙ୍କ ତରଫରୁ ସମସ୍ତ ଙ୍କ ସୁଖ କାମନା ସହ ଧନ୍ୟବାଦ୍ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31