Indus Valley Times

ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ

 Breaking News

ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁରରେ ବାତ୍ୟା-ବନ୍ୟା କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କ୍ଷତିପୂରଣରୁ କେହି ଯେପରି ବଞ୍ଚିତ ନ ହୁଅନ୍ତି ଦେଲେ କଡ଼ା ନିର୍ଦ୍ଦେଶ
November 23
17:41 2026

ଛତ୍ରପୁର/ଗଞ୍ଜାମ, ୨୩/୧୧: ବାତ୍ୟା ଅକବନ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳ କ୍ଷୟକ୍ଷତି ହୋଇଛି।
ବିଶେଷକରି ଧାନ ଫସଲ କଟାହେବାକୁ ଥିବା ଚାଷଜମିଗୁଡ଼ିକ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଆଜି (ସୋମବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଗଞ୍ଜାମ ଜିଲ୍ଲା ଗସ୍ତ କରିବା ପରେ କ୍ଷୟକ୍ଷତିର ପ୍ରତ୍ୟକ୍ଷ ଅନୁଭୂତି କରିଛନ୍ତି।
କ୍ଷତିଗ୍ରସ୍ତ ଚାଷୀ, ଘର ହରାଇଥିବା ପରିବାର ଓ ଛୋଟ ବ୍ୟବସାୟୀଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଏଥିପାଇଁ ରିଲିଫ୍ କୋଡ୍‌ରେ ମଧ୍ୟ ପରିବର୍ତ୍ତନ କରାଯାଇ ସହାୟତା ରାଶି ବୃଦ୍ଧି କରାଯାଇଛି ବୋଲି ଗଞ୍ଜାମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଛତ୍ରପୁର ଓ ପୁରୁଷୋତ୍ତମପୁର ବ୍ଲକ୍‌ର ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳକୁ ସଡ଼କପଥରେ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।
ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଗ୍ରାମାଞ୍ଚଳ ଓ ଚାଷଜମି ପରିଦର୍ଶନ କରିବା ସହ ଜଳମଗ୍ନ ଜମି ଓ ନଷ୍ଟ ହୋଇଥିବା ଫସଲ ଦେଖିଥିଲେ।
ଏହି ସମୟରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ପଚାରି ବୁଝିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାତ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ସହ ଜିଲ୍ଲା ପ୍ରଶାସନ ଓ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସ ଯୋଗୁଁ ଲୋକଙ୍କୁ ସମୟ ପୂର୍ବରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଛି।
ବାତ୍ୟା ଓ ବନ୍ୟା ମୁକାବିଲାରେ ‘ଟିମ୍ ଗଞ୍ଜାମ’ ଓ ‘ଟିମ୍ ଓଡ଼ିଶା’ର ସମନ୍ୱିତ କାର୍ଯ୍ୟ ପ୍ରଶଂସନୀୟ। ବାତ୍ୟା ଅର୍ଣ୍ଣବ ସମୟରେ ୨ ଲକ୍ଷ ୧୧ ହଜାର ଏବଂ ବାତ୍ୟା ଅକବାନ ସମୟରେ ୧ ଲକ୍ଷ ୫୪ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା। ସେମାନଙ୍କ ରହିବା, ରନ୍ଧା ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା କରାଯାଇଥିଲା।
ବାତ୍ୟାରେ ଜିଲ୍ଲାରେ କୌଣସି ଜୀବନହାନି ହୋଇନାହିଁ। ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କ କୃପା ସହ ପ୍ରଶାସନର ପୂର୍ବ ପ୍ରସ୍ତୁତି ଓ ସମସ୍ତଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
କ୍ଷୟକ୍ଷତିର ଆକଳନ ପରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଓ ୨,୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। ଏହାର ପ୍ରାୟ ୮୦ ପ୍ରତିଶତ ଚାଉଳ ବଣ୍ଟନ ହୋଇସାରିଥିବା ବେଳେ ଅର୍ଥରାଶି ମଧ୍ୟ ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାକୁ ପଠାଯାଉଛି। ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।
ସେହିପରି ଘର ଭାଙ୍ଗିଥିବା ପ୍ରାୟ ୨,୫୦୦ରୁ ଅଧିକ ପରିବାରକୁ ଆର୍ଥିକ ସହାୟତା ଦିଆସରିଛି। ଏହା ସହିତ ୨୫ ହଜାରରୁ ଅଧିକ ଚାଷୀଙ୍କୁ କୃଷି ଇନ୍‌ପୁଟ୍ ସହାୟତା ପ୍ରଦାନ କରାଯାଇଛି।
ବାକି ହିତାଧିକାରୀଙ୍କୁ ଚଳିତ ମାସ ଶେଷ ସୁଦ୍ଧା ସହାୟତା ଦେବାକୁ ଲକ୍ଷ୍ୟ ରହିଛି।
ଅନ୍ୟପକ୍ଷରେ ଯେଉଁମାନଙ୍କର ରାସନ୍ କାର୍ଡ ନାହିଁ, ସେମାନେ ମଧ୍ୟ ସହାୟତାରୁ ବଞ୍ଚିତ ହେବେ ନାହିଁ। ଏଥିପାଇଁ ସମ୍ପୃକ୍ତ ବ୍ଲକ୍ କାର୍ଯ୍ୟାଳୟରେ ନିଜର କ୍ଷୟକ୍ଷତି ସମ୍ପର୍କରେ ଦରଖାସ୍ତ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ରାସନ୍ କାର୍ଡ ନଥିବା ଯୋଗୁଁ କୌଣସି କ୍ଷତିଗ୍ରସ୍ତ ପରିବାର ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଘରକୁ ଘର ସର୍ଭେ କରି ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ।
ଏଥିସହିତ ଘରୋଇ ବ୍ୟବସାୟୀ, ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ କ୍ଷତିକୁ ମଧ୍ୟ ସରକାର ବିଚାରକୁ ନେଇଛନ୍ତି। ସେମାନଙ୍କୁ ମଧ୍ୟ ଘୋଷିତ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ।
ରିଲିଫ୍ କୋଡ୍‌ରେ ଆବଶ୍ୟକ ପରିବର୍ତ୍ତନ ସହ ଅଧିକ ସହାୟତା ପାଇଁ ବିଧାନସଭାରେ ବଜେଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି।
ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାର, ଚାଷୀ ଓ ବ୍ୟବସାୟୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30