Indus Valley Times

ଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ବିଭାଗୀୟ ସମନ୍ୱୟ ଓ ସାମୂହିକ ଉଦ୍ୟମ ଜରୁରୀ: ରାଜ୍ୟପାଳ

 Breaking News

ଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ବିଭାଗୀୟ ସମନ୍ୱୟ ଓ ସାମୂହିକ ଉଦ୍ୟମ ଜରୁରୀ: ରାଜ୍ୟପାଳ

ଖୋର୍ଦ୍ଧାର ସାମଗ୍ରିକ ବିକାଶ ପାଇଁ ବିଭାଗୀୟ ସମନ୍ୱୟ ଓ ସାମୂହିକ ଉଦ୍ୟମ ଜରୁରୀ: ରାଜ୍ୟପାଳ
November 24
09:45 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୪/୧୧: ଖୋରଧା ଜିଲ୍ଲାର ସାମଗ୍ରିକ ଓ ସନ୍ତୁଳିତ ବିକାଶ ପାଇଁ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ, ସାମୂହିକ ଉଦ୍ୟମ ଏବଂ ଦାୟିତ୍ୱବୋଧ ଅତ୍ୟନ୍ତ ଜରୁରୀ।
ବିକାଶମୂଳକ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ, ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଏବଂ କାର୍ଯ୍ୟର ନିୟମିତ ସମୀକ୍ଷା ମାଧ୍ୟମରେ ଜିଲ୍ଲାର ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ମାନ୍ୟବର ରାଜ୍ୟପାଳ ଡ. ବ୍ରଜମୋହନ ରାମ ଗୁରୁତ୍ୱାରୋପ କରିଛନ୍ତି।
ସୋମବାର ଖୋରଧା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟପାଳ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପଦକ୍ଷେପ ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ।
ବୈଠକରେ ଭୁବନେଶ୍ୱରର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲାପାଳ ଅମୃତ ଋତୁରାଜ, ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।
ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିବା ସହ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ।
ଏଥିପାଇଁ ବିଭାଗୀୟ ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ନିୟମିତ ଭାବେ କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ଆବଶ୍ୟକ ବୋଲି ସେ କହିଥିଲେ।
ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଲୋକଙ୍କ କଲ୍ୟାଣ ଓ ଆବଶ୍ୟକତାକୁ ଗୁରୁତ୍ୱ ଦେବା ସହ ଅଧିକାରୀମାନେ ନିଷ୍ଠା ଓ ଦାୟିତ୍ୱବୋଧର ସହ ନିଜ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସେ ଆହ୍ୱାନ ଦେଇଥିଲେ।
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ନିଜ ନିଜର ଯୋଗଦାନ ରଖିବାକୁ ମଧ୍ୟ ସେ ଆହ୍ୱାନ ଜଣାଇଥିଲେ।
ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ ଦିଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିବାକୁ ରାଜ୍ୟପାଳ ଗୁରୁତ୍ୱ ଦେଇଥିଲେ। ସାଧାରଣ ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ମଧ୍ୟ ସେ ଜୋର ଦେଇଥିଲେ।
ଏହି ଗସ୍ତ ଅବସରରେ ରାଜ୍ୟପାଳ ଟାଙ୍ଗୀ ବ୍ଲକ୍‌ର ଭୁଷଣ୍ଡପୁରସ୍ଥିତ ପ୍ରସିଦ୍ଧ ମା’ ଉଗ୍ରତାରାଙ୍କ ମନ୍ଦିର ପରିଦର୍ଶନ କରି ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।
ଏହି ଅବସରରେ ସେ ଓଡ଼ିଶାବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ପରବର୍ତ୍ତୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଟାଙ୍ଗୀ ବ୍ଲକ୍‌ର ସାନରାଉତପଡ଼ା ଗ୍ରାମ ପଞ୍ଚାୟତ ଗସ୍ତ କରି ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ସଦସ୍ୟା ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଥିଲେ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି), ପୋଷଣ ଓ ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରି ସେମାନେ ଯୋଜନାରୁ କିଭଳି ଉପକୃତ ହେଉଛନ୍ତି, ତୃଣମୂଳସ୍ତରରେ ଏହାର ପ୍ରଭାବ କିପରି ରହିଛି ଏବଂ କାର୍ଯ୍ୟାନ୍ୱୟନ ସମୟରେ କୌଣସି ସମସ୍ୟା ରହିଛି କି ନାହିଁ, ସେ ସମ୍ପର୍କରେ ସେମାନଙ୍କ ଅନୁଭୂତି ଓ ମତାମତ ଶୁଣିଥିଲେ।
ସରକାରୀ ଯୋଜନାର ସୁଫଳ ଯେପରି ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ, ସେଥିପାଇଁ ଜନସହଭାଗିତା ଓ ସ୍ଥାନୀୟ ସ୍ତରରେ ସଚେତନତାର ଗୁରୁତ୍ୱ ରହିଛି ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ। ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସକ୍ରିୟ ସହଯୋଗ ରହିବା ଆବଶ୍ୟକ ବୋଲି ସେ ଆଲୋକପାତ କରିଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30