Indus Valley Times

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ : କର୍ପୋରେଟର ଅପରୂପ ରାଉତଙ୍କ ସମେତ ୫ ସଦସ୍ୟ ବିଜେପିରୁ ନିଲମ୍ବିତ

 Breaking News

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ : କର୍ପୋରେଟର ଅପରୂପ ରାଉତଙ୍କ ସମେତ ୫ ସଦସ୍ୟ ବିଜେପିରୁ ନିଲମ୍ବିତ

ବିଏମ୍‌ସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ : କର୍ପୋରେଟର ଅପରୂପ ରାଉତଙ୍କ ସମେତ ୫ ସଦସ୍ୟ ବିଜେପିରୁ ନିଲମ୍ବିତ
July 01
15:55 2025

ଭୁବନେଶ୍ୱର , ୧/୭ : ସୋମବାର ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଘଟଣାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କ ସମେତ ଦଳର ୫ ଜଣ ନେତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରିଛନ୍ତି।
କର୍ପୋରେଟର ଶ୍ରୀ ରାଉତଙ୍କ ବ୍ୟତୀତ ନିଲମ୍ବିତ ହୋଇଥିବା ଅନ୍ୟ ନେତାମାନେ ହେଉଛନ୍ତି ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ର। ସେମାନଙ୍କ ମଧ୍ୟରୁ କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି।
ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁ ନିଜ କାର୍ଯ୍ୟାଳୟରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରୁଥିବାବେଳେ ୬ରୁ ୭ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ ।
ସେମାନେ ତାଙ୍କୁ ଘୋଷାଡ଼ି ନେଇ ମାଡ଼ ମାରିଥିଲେ। ତାଙ୍କ ମୁହଁକୁ ଗୋଇଠା ମାରି ରକ୍ତାକ୍ତ କରି ଦେଇଥିଲେ। ଏମିତକି ତାଙ୍କୁ ସେଠାରୁ ଜବରଦସ୍ତି ଏକ ଗାଡ଼ିକୁ ଟାଣି ନେଇ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର ନେତାଙ୍କୁ କ୍ଷମା ମାଗିବା ପାଇଁ ବାଧ୍ୟ କରିଥିଲେ ଆକ୍ରମଣକାରୀ। ଆକ୍ରମଣକାରୀମାନେ ତାଙ୍କ ମୋବାଇଲ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଥିଲା।
ଏହି ଘଟଣା ନେଇ ବିଏମସି ଅତିରିକ୍ତ କମିଶନର ଶ୍ରୀ ସାହୁ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିବାବେଳେ ବିଏମସିର କର୍ମଚାରୀମାନେ ଏହି ଆକ୍ରମଣର ପ୍ରତିବାଦରେ ଧାରଣାରେ ବସିଥିଲେ । ପରେ ବିଜେଡିର କର୍ମୀ ଓ କର୍ପୋରେଟରମାନେ ସନ୍ଧ୍ୟାରେ ପହଞ୍ଚି ଜନପଥରେ ରାସ୍ତାରୋକ ଆନ୍ଦୋଳନ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ ସହ ସେମାନଙ୍କର ଗଡ଼ଫାଦରଙ୍କୁ ଗିରଫ ନିମନ୍ତେ ଦାବି କରିଥିଲେ। ପରେ କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କ ସମେତ ୩ ଜଣଙ୍କୁ ପୁଲିସ ଗିରଫ କରିଥିଲା।
ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣର ପ୍ରତିବାଦ କରି ଆଜି ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। ସେହିପରି ବିଏମ୍‌ସି ଅଫିସରେ କର୍ମଚାରୀମାନେ ପ୍ରତିବାଦ କରିଛନ୍ତି। କଳାବ୍ୟାଜ ପିନ୍ଧି ବିଏମ୍‌ସି କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅଫିସ ଷ୍ଟାଫଙ୍କୁ ସୁରକ୍ଷା ଦେବାକୁ କର୍ମଚାରୀମାନେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031