ବିଶ୍ୱକର୍ମା ପୂଜା ପାଳିତ : ଠିକାଦାର, ଶ୍ରମିକ, ଦିନମଜୁରିଆ ଓ ବସ୍ କର୍ମଚାରୀଙ୍କ ଉତ୍ସାହପୂର୍ଣ୍ଣ ସାମିଲ
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୮/୯ : ଧର୍ମ, ପରମ୍ପରା ଓ କର୍ମର ସମନ୍ୱୟର ପବିତ୍ର ପର୍ବ ବିଶ୍ୱକର୍ମା ପୂଜା ଅବସରରେ ବାଲିଗୁଡ଼ା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନ, ଗ୍ୟାରେଜ୍, ନିର୍ମାଣ ସଂସ୍ଥା, ଯାନବାହନ ଚଳାଚଳ କ୍ଷେତ୍ର ଓ ବିଭିନ୍ନ କାର୍ଯ୍ୟସ୍ଥଳରେ ଧୁମ୍ଧାମରେ ବିଶ୍ୱକର୍ମା ପୂଜା ପାଳିତ ହୋଇଛି।
ସକାଳୁ ବିଭିନ୍ନ କାର୍ଯ୍ୟସ୍ଥଳକୁ ସଫାସୁତରା କରାଯାଇ ସୁନ୍ଦର ଭାବେ ସଜାଯାଇଥିଲା। ଭଗବାନ ବିଶ୍ୱକର୍ମାଙ୍କ ପ୍ରତିମା ସ୍ଥାପନ କରି ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି, ମେସିନ୍, ଗାଡ଼ି ଓ ଅନ୍ୟାନ୍ୟ ସରଞ୍ଜାମକୁ ମଧ୍ୟ ପୂଜା କରାଯାଇଥିଲା।
ଏହି ପୂଜାରେ ଶିଳ୍ପାନୁଷ୍ଠାନର ମାଲିକଙ୍କ ଠାରୁ ଆରମ୍ଭ କରି ଠିକାଦାର, ଶ୍ରମିକ, ଦିନମଜୁରିଆ, ମେକାନିକ୍, ଡ୍ରାଇଭର ଓ ବସ୍ କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ। କର୍ମଜୀବୀମାନେ ନିଜ ନିଜ କାର୍ଯ୍ୟ ଉପକରଣ ଓ ଯାନବାହନର ସୁରକ୍ଷା ତଥା ଆଗାମୀ ଦିନରେ ସୁଚାରୁ ଭାବେ କାମ କରିବା ପାଇଁ ବିଶ୍ୱକର୍ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପୂଜାକୁ ନେଇ ବିଭିନ୍ନ ସ୍ଥାନରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ମଧ୍ୟ ଅନେକ ସ୍ଥାନରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖାଯାଇଥିଲା।
କର୍ମ ଓ କୌଶଳର ଦେବତା ଭଗବାନ ବିଶ୍ୱକର୍ମାଙ୍କ ପୂଜା ମାଧ୍ୟମରେ ଶ୍ରମିକ ଓ କର୍ମଜୀବୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଆଶା ସଞ୍ଚାର ହୋଇଥିବା ପରିଲକ୍ଷିତ ହୋଇଛି।
ରାସନ ସାମଗ୍ରୀଠାରୁ ପନିପରିବା ଯାଏଁ ମହଙ୍ଗା ମାଡ଼ ଦରବୃଦ୍ଧିରେ ହନ୍ତସନ୍ତ ଖାଉଟି, ବଜାର ଦର ନିୟନ୍ତ୍ରଣ ଦାବି
ବାଲିଗୁଡ଼ା, ୧୮/୯ : ଦିନକୁ ଦିନ ବଢ଼ିଚାଲିଛି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର। ରାସନ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ପର୍ଯ୍ୟନ୍ତ ପ୍ରାୟ ସବୁ କ୍ଷେତ୍ରରେ ମହଙ୍ଗା ମାଡ଼ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି।
ସୀମିତ ଆୟରେ ପରିବାର ଚଳାଉଥିବା ମଧ୍ୟବିତ୍ତ ଓ ଗରିବ ପରିବାର ଉପରେ ଏହାର ପ୍ରଭାବ ବେଶ୍ ଅଧିକ ପଡ଼ୁଥିବା ଦେଖାଯାଇଛି। ବାଲିଗୁଡ଼ା ସହରର ବିଭିନ୍ନ ବଜାରରେ ପନିପରିବା ଦରରେ ଉତ୍ତରୋତ୍ତର ବୃଦ୍ଧି ଘଟୁଥିବାରୁ ଖାଉଟିଙ୍କ ବଜେଟ୍ ବିଗିଡ଼ିଯାଇଛି।
ଆଳୁ, ପିଆଜ, ଟମାଟୋ, ବାଇଗଣ, ଭେଣ୍ଡି, କାକୁଡ଼ି, ଲଙ୍କା ଭଳି ଦୈନନ୍ଦିନ ରୋଷେଇରେ ଆବଶ୍ୟକ ସାମଗ୍ରୀ କିଣିବାକୁ ମଧ୍ୟ ଲୋକଙ୍କୁ ଅଧିକ ଟଙ୍କା ଗଣିବାକୁ ପଡ଼ୁଛି।
ଏପଟେ ଡାଲି, ତେଲ, ମସଲା ଓ ଅନ୍ୟାନ୍ୟ ରାସନ ସାମଗ୍ରୀର ଦର ମଧ୍ୟ ଖାଉଟିଙ୍କ ପକେଟ୍ ଉପରେ ଚାପ ସୃଷ୍ଟି କରୁଛି। ଅନ୍ୟପକ୍ଷ ରେ ବଜାରରେ ସାମଗ୍ରୀର ଦର ନିର୍ଦ୍ଧାରଣ ଓ ଯାଞ୍ଚ ବ୍ୟବସ୍ଥା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।
ଗୋଟିଏ ବଜାରରେ ଗୋଟିଏ ଦର ଥିବାବେଳେ ଅନ୍ୟ ବଜାରରେ ସେହି ସାମଗ୍ରୀର ଦରରେ ପାର୍ଥକ୍ୟ ଦେଖାଯାଉଛି। ଖାଉଟିଙ୍କ ଅଭିଯୋଗ, ମୂଲ୍ୟ ନିୟନ୍ତ୍ରଣ ଓ ନିୟମିତ ବଜାର ଯାଞ୍ଚ ଅଭାବରୁ କେତେକ ବ୍ୟବସାୟୀ ମନମୁଖୀ ଦର ନେଉଛନ୍ତି।
ମହଙ୍ଗା ବଜାରର ପ୍ରଭାବରେ ଘରର ମାସିକ ଖର୍ଚ୍ଚ ବଢ଼ିଯାଇଥିବାରୁ ଅନେକ ପରିବାର ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କିଣିବାରେ କାଟଛାଟ କରୁଛନ୍ତି।
ତେଣୁ ପ୍ରଶାସନ ପକ୍ଷରୁ ବଜାରରେ ନିୟମିତ ଦର ଯାଞ୍ଚ, ମୂଲ୍ୟ ତାଲିକା ପ୍ରଦର୍ଶନ ଓ ଅନିୟମିତତା ଉପରେ କଡ଼ା ପଦକ୍ଷେପ ନିଆଯିବାକୁ ଖାଉଟି ମହଲରୁ ଦାବି ହେଉଛି।
ମହଙ୍ଗା ମାଡ଼ରୁ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତ କରିବା ପାଇଁ ବଜାର ଦର ଉପରେ ପ୍ରଶାସନର ନଜର କେବେ ପଡ଼ିବ—ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।






