Indus Valley Times

ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ; ୧୬୩ ଧାରା ଲାଗୁ

 Breaking News

ଭଦ୍ରକରେ ଇଣ୍ଟରନେଟ୍ ସେବା ବନ୍ଦ; ୧୬୩ ଧାରା ଲାଗୁ

September 28
09:52 2024

ଭଦ୍ରକ,୨୮/୯: ସୋସିଆଲ ମିଡିଆରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ତୁମୁଳକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଛନ୍ତି। ଏଥିରେ ୨ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିଛି।
ଉତ୍ତେଜନା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ଏସ୍ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି କରାଯିବା ସହ ଘଟଣାସ୍ଥଳରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।
ଏହି ଘଟଣାରେ ଭଦ୍ରକ ହିଂସାକୁ ନେଇ ୪୮ ଘଣ୍ଟା ପର‌୍ୟ୍ୟନ୍ତ ଇଣ୍ଟେନେଟ ସେବା ବନ୍ଦ ରହିଛି। ପୋଲିସକୁ ଆକ୍ରମଣ ଘଟଣାରେ ବିଳମ୍ବିତ ରାତିରେ ୧୦ ଜଣକୁ ଗିରଫ କରିଛି ପୋଲିସ। ଧାମନଗର ଥାନା ଘେରାଉ ଓ ରାସ୍ତାରୋକୋ ଘଟଣାରେ ୧୦ ଜଣଙ୍କୁ ଅଟକ ରଖାଯାଇଛି।
ଘଟଣାରୁ ପ୍ରକାଶ ଯେ, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ଯୁବକ ଗୁରୁବାର ସନ୍ଧ୍ୟାରେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଏକ ପୋଷ୍ଟ କରିଥିଲେ। ଏହାକୁ ବିରୋଧ କରି ସଂଖ୍ୟାଲଘୁ ସମ୍ପ୍ରଦାୟର କେତେକ ବ୍ୟକ୍ତି ପୁରୁଣାବଜାର ଥାନାରେ ଅଭିଯୋଗ କରିବା ସହ ଉକ୍ତ ଯୁବକଙ୍କୁ ଗିରଫ ପାଇଁ ଦାବି କରିଥିଲେ। ୨ ଦିନ ଭିତରେ ଉକ୍ତ ଯୁବକଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
ପୋଷ୍ଟ କରିଥିବା ଯୁବକ ଜଣକ ସୋସିଆଲ ମିଡିଆରେ ପୁନର୍ବାର କିଛି ମେସେଜ୍ କରିବା ପରେ ଶୁକ୍ରବାର ଅପରାହ୍ନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଯୁବକ ଏକଜୁଟ ହୋଇ ଭଦ୍ରକ ସହର ଆଡ଼କୁ ଆସୁଥିବା ପୋଲିସ ଖବର ପାଇଥିଲା। ସନ୍ଥିଆ ପୋଲ ନିକଟରେ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ଟାଉନ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲେ।
ସେମାନେ ଉକ୍ତ ଯୁବକଙ୍କୁ ଏବେ ତୁରନ୍ତ ଗିରଫ କରାଯାଉ ବୋଲି ଅଡ଼ି ବସିବା ସହ ଟାୟାର ଜାଳି ସନ୍ଥିଆ ପୋଲ ନିକଟରେ ରାସ୍ତା ଅବରୋଧ କରିଥିଲେ। ପୋଲିସ ସହ ଯୁକ୍ତିତର୍କ ଓ ଠେଲାପେଲା ହେବାରୁ ପୋଲିସ ଲାଠି ଧରି ସେମାନଙ୍କୁ ଘଉଡ଼ାଇଥିଲା।
ବିକ୍ଷୋଭକାରୀମାନେ ପୋଲିସ ଉପରକୁ ଇଟାପଥର ମାଡ଼ କରିବାରୁ ଟାଉନ ଥାନା ଏସ୍‌ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଛନ୍ତି। ଏକାଧିକ ପୋଲିସ କର୍ମଚାରୀଙ୍କ ଉପରେ ଢେଲା ମାଡ଼ ହୋଇଛି। ସିଟି ଡିଏସ୍‌ପି ଦ୍ୱିବେଦୀ ବୁଝାଶୁଝା କରୁଥିବା ବେଳେ ଆକ୍ରମଣରେ ଆହତ ହୋଇଛନ୍ତି।
ସେହିପରି ଢେଲା ମାଡ଼ରେ ତହସିଲଦାରଙ୍କ ଗାଡ଼ି କାଚ ଭାଙ୍ଗିଯାଇଛି। ଉପଜିଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶନାମା ନଂ. ୧୬୯୬ ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉତ୍ତେଜନା ଅଞ୍ଚଳରେ ୧୬୩ ଧାରା ଜାରି କରାଯାଇଛି।
ଏହି ସମୟ ମଧ୍ୟରେ କୌଣସି ସଭା ସମିତି ନ କରିବା, ଏକତ୍ରିତ ନ ହେବାକୁ ପୁରୁଣାବଜାର ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରାଯାଇଛି। ଘଟଣାସ୍ଥଳରେ ସିଟି ଡିଏସ୍‌ପି, ତହସିଲଦାର, ଟାଉନ ଥାନାଧିକାରୀ ଓ ପୁରୁଣାବଜାର ଥାନାଧିକାରୀ ନୀରୋଜ ସାମଲ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଥିବା ଯୁବକଙ୍କୁ ଦୁଇଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଏହା ପୂର୍ବରୁ ସେମାନେ ବହୁସଂଖ୍ୟାରେ ଏକତ୍ରିତ ହୋଇ ଆଇନଶୃଙ୍ଖଳା ପରିସ୍ଥିତିକୁ ହାତକୁ ନେଇଥିତ୍ବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ସିଟି ଡିଏସ୍‌ପିଦ୍ୱିବେଦୀ କହିଥିଲେ। ରାତିରେ ସିଟି ଡିଏସ୍‌ପିଙ୍କ ନେୃତତ୍ୱରେ ପୁରୁଣାବଜାର ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଛି।
ଡିଆଇଜି ସତ୍ୟଜିତ୍ ନାୟକ, ଜିଲାପାଳ ଦିଲୀପ ରାଉତରାଏ, ଏସ୍‌ପି ବରୁଣ ଗୁଣ୍ଟୁପାଲି ଓ ବିଧାୟକ ସିତାଂଶୁ ଶେଖର ମହାପାତ୍ର ପୁରୁଣାବଜାର ଥାନାରେ ପହଞ୍ଚତ୍ ଆଲୋଚନା କରିଥିଲେ। ପରେ ଡିଆଇଜି, ଜିଲାପାଳ, ଏସ୍‌ପିଙ୍କ ସହ ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପୋଲିସକୁ ଆକ୍ରମଣରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉକ୍ତ ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟ ଘଟଣାର ତଦନ୍ତ ଦାୟିତ୍ୱ ସାଇବର ପୋଲିସକୁ ଦିଆଯାଇଛି ବୋଲି ଡିଆଇଜି ନାୟକ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930