Indus Valley Times

ସଚିବ ବି. ପରମେଶ୍ୱରନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ,ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ପ୍ରକଳ୍ପ ଓ ପଞ୍ଚାୟତ ପରିଦର୍ଶନ

 Breaking News

ସଚିବ ବି. ପରମେଶ୍ୱରନଙ୍କ ବୌଦ୍ଧ ଜିଲ୍ଲା ଗସ୍ତ,ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ପ୍ରକଳ୍ପ ଓ ପଞ୍ଚାୟତ ପରିଦର୍ଶନ

August 08
22:33 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୮: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ,ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ଶ୍ରୀ ବି. ପରମେଶ୍ୱରନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ସହ ବିଭିନ୍ନ ପଞ୍ଚାୟତ, ଉନ୍ନୟନମୂଳକ ପ୍ରକଳ୍ପ, ଜୀବିକା ଭିତ୍ତିକ କାର‌୍ୟ୍ୟକ୍ରମ ଓ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ।
ମଥୁରା, ବାମଣ୍ଡା ଓ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ପରିଦର୍ଶନ କରି ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ସାଧାରଣ ବଣ୍ଟନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରି ଖାଉଟିମାନଙ୍କ ସହ ଆଲୋଚନା କରିଥିଲେ।
ହିତାଧିକାରୀମାନେ ନିୟମିତ ଭାବେ ଠିକ୍ ପରିମାଣରେ ଖାଉଟି ସାମଗ୍ରୀ ପାଉଛନ୍ତି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିଥିଲେ।
ଏହି ଅବସରରେ ସେ ବିଭିନ୍ନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ବଣ୍ଟନ କରିଥିଲେ।
ସେହିପରି ସୁଭଦ୍ରା ଯୋଜନାର ହିତାଧିକାରୀ ମା\’ ଓ ଭଉଣୀମାନଙ୍କ ସହ ଆଲୋଚନା କରି ଯୋଜନାରୁ ପାଉଥିବା ଅର୍ଥ ସେମାନଙ୍କ ଜୀବନରେ କିପରି ପରିବର୍ତ୍ତନ ଆଣିଛି ଏବଂ ଏହି ଅର୍ଥକୁ ସେମାନେ କେଉଁ କାର୍ଯ୍ୟରେ ବ୍ୟବହାର କରୁଛନ୍ତି, ସେ ସମ୍ପର୍କରେ ପଚାରି ବୁଝିଥିଲେ।ଗସ୍ତର ଆରମ୍ଭରେ ସଚିବ ସରସରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଘରପାଲି ଗ୍ରାମର ଚାଷୀ ହଳଧର ବିଶିଙ୍କ ଛତୁ ଚାଷ ଓ ପିଜୁଳି ବଗିଚା ପରିଦର୍ଶନ କରି ତାଙ୍କ ଜୀବିକା ଓ ଆୟ ସମ୍ପର୍କରେ ଆଲୋଚନା କରିଥିଲେ।
କୃଷି ଓ ଉଦ୍ୟାନ କୃଷି ମାଧ୍ୟମରେ ଚାଷୀମାନଙ୍କ ଆୟବୃଦ୍ଧି ପାଇଁ ଚାଲିଥିବା ପ୍ରୟାସ ସମ୍ପର୍କରେ ସେ ଅବଗତ ହୋଇଥିଲେ।
ବାମଣ୍ଡା ଗ୍ରାମର ଗୋପାଳକ ଚାଷୀ ବିତିଶ୍ମିତ ମହାକୁରଙ୍କ ଗାଈ ଫାର୍ମ ବୁଲି ଦେଖିଥିଲେ। ଏହାପରେ ବୃନ୍ଦାବନ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । ବୀରନରସିଂହପୁର ଠାରେ ବନ ବିଭାଗ ଦ୍ୱାରା ନିର୍ମିତ ନର୍ସରୀ ଓ ଜିଆଖତ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ। ଜିଆଖତ ପ୍ରସ୍ତୁତି କେନ୍ଦ୍ର ପରିଚାଳନା କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ପାଦନ, ବିକ୍ରୟ, ଆୟ ଓ ବ୍ୟୟ ସମ୍ପର୍କରେ ଜାଣିଥିଲେ।
ଏଠାରେ ମଧ୍ୟ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ସହିତ ବନ ସୁରକ୍ଷା ସମିତି ସଦସ୍ୟ ଙ୍କ ସହିତ ଆଲୋଚନା କରିଥିଲେ ।
ସଚିବ ନାରାୟଣନଗରସ୍ଥିତ ମା\’ ତାରିଣୀ ଓ ମା\’ ଲକ୍ଷ୍ମୀ ପ୍ରଡ୍ୟୁସର୍ ଗ୍ରୁପ୍ ଦ୍ୱାରା ପରିଚାଳିତ ବୟନ କେନ୍ଦ୍ର ପରିଦର୍ଶନ କରିଥିଲେ।
ସେ ବୁଣାକାରମାନଙ୍କ ଘରକୁ ଯାଇ ସେମାନଙ୍କ ବୁଣାକାର୍ଯ୍ୟ, ସୂତା ସଂଗ୍ରହ, ପାଟ ଶାଢ଼ୀ ପ୍ରସ୍ତୁତି ଏବଂ ତନ୍ତ ପରିଚାଳନା ସମ୍ପର୍କରେ ଅବଗତ ହୋଇଥିଲେ।
ବୁଣାକାରମାନେ ବର୍ତ୍ତମାନ ମଧ୍ୟସ୍ଥିଙ୍କ ସହାୟତା ବିନା ନିଜେ ନିଜ ଉତ୍ପାଦକୁ ବଜାରରେ ବିକ୍ରୟ କରି ଅଧିକ ଲାଭ ପାଇପାରୁଥିବା ସଚିବଙ୍କୁ ଜଣାଇଥିଲେ। ଏହି ଅବସରରେ ଗ୍ରାମବାସୀମାନେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ମଧ୍ୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଜଗତି ଗ୍ରାମରେ ମହାନଦୀ କୂଳରେ ନିର୍ମିତ ଇଣ୍ଟେକ୍ ୱେଲ୍ ପରିଦର୍ଶନ କରି ସଚିବ ସେଠାରୁ ବିଭିନ୍ନ ଗ୍ରାମକୁ ହେଉଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ଏହି ସମୟରେ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଓ ଏଲ୍‌ଆଣ୍ଡଟି କମ୍ପାନୀର ଇଞ୍ଜିନିୟରମାନଙ୍କ ସହ ଆଲୋଚନା କରି ‘ହର ଘର ଜଳ’ ଯୋଜନା ଅଧୀନରେ ପ୍ରତ୍ୟେକ ଗ୍ରାମ ଓ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଭାବେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ସୁବର୍ଣ୍ଣପୁର ଗ୍ରାମରେ ନିର୍ମିତ ୱାଟର୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମଧ୍ୟ ସଚିବ ପରିଦର୍ଶନ କରିଥିଲେ। ପ୍ଲାଣ୍ଟର ବିଭିନ୍ନ ୟୁନିଟ୍ ବୁଲି ଦେଖିବା ସହ ଏହାର କାର‌୍ୟ୍ୟକ୍ଷମତା, ଜଳ ବିଶୋଧନ ପ୍ରକ୍ରିୟା ଏବଂ କେତେ ଗ୍ରାମର ଲୋକ ଏହା ମାଧ୍ୟମରେ ପାନୀୟ ଜଳ ସୁବିଧା ପାଉଛନ୍ତି, ସେ ସମ୍ପର୍କରେ ଅଧିକାରୀମାନଙ୍କଠାରୁ ପଚାରି ବୁଝିଥିଲେ।
ଅପରାହ୍ନରେ ସଚିବ ବଡବନ୍ଧ ଆଦିବାସୀ ବାଳିକା ହଷ୍ଟେଲ, ହରେକୃଷ୍ଣପୁର ବିଦ୍ୟାଳୟ ଓ ହଷ୍ଟେଲ ପରିଦର୍ଶନ କରିଥିଲେ ।
ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବିଡିଓ କର୍ଣ୍ଣସୁନା, ଯୁଗଳ କିଶୋର ବିଶ୍ୱାଳ, ଡେପୁଟି କଲେକ୍ଟର ରଶ୍ମିରେଖା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930