Indus Valley Times

ସାମାଜିକ ସୁରକ୍ଷା ଅଧିକାରୀ ସଙ୍ଘ ପକ୍ଷରୁ ଦରମା ବୃଦ୍ଧି, କ୍ୟାଡର ପୁର୍ନଗଠନ ଓ ନିୟମିତକରଣ ସମେତ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

 Breaking News

ସାମାଜିକ ସୁରକ୍ଷା ଅଧିକାରୀ ସଙ୍ଘ ପକ୍ଷରୁ ଦରମା ବୃଦ୍ଧି, କ୍ୟାଡର ପୁର୍ନଗଠନ ଓ ନିୟମିତକରଣ ସମେତ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ

ସାମାଜିକ ସୁରକ୍ଷା ଅଧିକାରୀ ସଙ୍ଘ ପକ୍ଷରୁ ଦରମା ବୃଦ୍ଧି, କ୍ୟାଡର ପୁର୍ନଗଠନ ଓ ନିୟମିତକରଣ ସମେତ ୮ ଦଫା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ
July 23
20:30 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୩/୭ : ଦୀର୍ଘଦିନ ଧରି ଲାଗି ରହିଥିବା ସାଙ୍ଗଠନିକ ସମସ୍ୟାର ସମାଧାନ, କ୍ୟାଡର ପୁନର୍ଗଠନ, ଦରମା ବୃଦ୍ଧି ଓ କର୍ମଚାରୀଙ୍କ ସେବାଗତ ସ୍ୱାର୍ଥ ସୁରକ୍ଷା ଦାବିରେ ଅଲ୍ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ ଖୋରଧା ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ଦାବିପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଙ୍କ ସହ ବିସ୍ତୃତ ଆଲୋଚନା କରି ବିଭାଗର କର୍ମଚାରୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ।
ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଓ କନିଷ୍ଠ ସହାୟକ ମାନେ ଉପସ୍ଥିତ ରହି ସଂଘର ଦାବିକୁ ସମର୍ଥନ ଜଣାଇଥିଲେ।
ସଂଘ ପକ୍ଷରୁ କୁହାଯାଇଛି ଯେ, ସାମାଜିକ ସୁରକ୍ଷା ବିଭାଗର ଅଧିକାରୀମାନେ କେବଳ ସାମାଜିକ ସୁରକ୍ଷା ଯୋଜନାର ଦାୟିତ୍ୱ ନୁହେଁ, ବରଂ ଅନ୍ୟାନ୍ୟ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟ ମଧ୍ୟ ସଫଳତାର ସହ ପରିଚାଳନା କରୁଛନ୍ତି।
ଏତେ ବ୍ୟାପକ ଦାୟିତ୍ୱ ବହନ କରୁଥିବା ସତ୍ତ୍ୱେ ସେମାନଙ୍କ ପେ-ଲେଭଲ୍‌ରେ କୌଣସି ବୃଦ୍ଧି କରାଯାଉ ନଥିବାରୁ କର୍ମଚାରୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି। ଦୀର୍ଘଦିନ ଧରି ଦାବି ଗୁଡିକ ଉପସ୍ଥାପନ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଫଳପ୍ରସୂ ପଦକ୍ଷେପ ନିଆଯାଇ ନଥିବା ସଂଘ ଅଭିଯୋଗ କରିଛି।
ଦାବିପତ୍ରରେ ୨୦୨୩ ମସିହାରେ ପ୍ରକାଶିତ ସାମାଜିକ ସୁରକ୍ଷା ଅଧିକାରୀଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା, ବର୍ତ୍ତମାନର ପେ-ଲେଭଲ୍–୯କୁ ପେ-ଲେଭଲ୍–୧୦କୁ ଉନ୍ନୀତ କରିବା, ଗ୍ରାମପଞ୍ଚାୟତ ସ୍ତରରେ ସହାୟକ ପଦ ସୃଷ୍ଟି ଓ ନିଯୁକ୍ତି, ବକେୟା ଏମ.ଏସି.ପି ସୁବିଧା ପ୍ରଦାନ, ୨୦୧୪ ପୂର୍ବରୁ ଯୋଗଦେଇଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେସନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ, କନିଷ୍ଠ ସହାୟକଙ୍କ ସ୍ୱତନ୍ତ୍ର କ୍ୟାଡର ଗଠନ ଏବଂ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ମାନଙ୍କୁ ନିୟମିତ କରିବା ସମେତ ମୋଟ ୮ଟି ପ୍ରମୁଖ ଦାବି ରହିଛି ।
ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଥିଲା ଯେ, ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ତୃଣମୂଳ ସ୍ତରରେ ସଫଳ ଭାବେ କାର୍ଯ୍ୟକାରୀ କରିବାରେ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବିଧବା ଭତ୍ତା, ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ସହ ଅନେକ ଯୋଜନାର ସଫଳ ରୂପାୟନ ସେମାନଙ୍କ ଉପରେ ନିର୍ଭରଶୀଳ।
ତେଣୁ କାର୍ଯ୍ୟଭାର ଅନୁପାତରେ ସେବାଗତ ସୁବିଧା ଓ ପଦୋନ୍ନତି ସୁଯୋଗ ପ୍ରଦାନ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସଂଘ ଦାବି କରିଛି।
ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପ୍ରତିନିଧି ଦଳର ସମସ୍ତ ଦାବିକୁ ଧୈର୍ଯ୍ୟେର ସହ ଶୁଣିବା ସହିତ ଏହି ୮ ଦଫା ଦାବିପତ୍ର ଶୀଘ୍ର ରାଜ୍ୟ ସରକାରଙ୍କ ସମ୍ପୃକ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କର୍ମଚାରୀଙ୍କ ଦାବି ପ୍ରତି ସରକାର ସହାନୁଭୂତିଶୀଳ ଦୃଷ୍ଟିଭଙ୍ଗୀ ଅବଲମ୍ବନ କରିବେ ଏବଂ ସମସ୍ୟାର ସମାଧାନ ପାଇଁ ଯଥୋଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ସଙ୍ଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଦୀର୍ଘଦିନର ଏହି ନ୍ୟାୟସଙ୍ଗତ ଦାବିଗୁଡ଼ିକ ପ୍ରତି ସରକାର ଶୀଘ୍ର ସକାରାତ୍ମକ ନିଷ୍ପତ୍ତି ନ ନେଲେ ଆଗାମୀ ଦିନରେ ରାଜ୍ୟସ୍ତରୀୟ ଆନ୍ଦୋଳନର ପଥ ଆପଣାଇବାକୁ ସଂଘ ବାଧ୍ୟ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31