Indus Valley Times

ସିଏମଓ ଙ୍କୁ ମିଥ୍ୟା ତଥ୍ୟ ଦେଇ ଅଡ଼ୁଆରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

 Breaking News

ସିଏମଓ ଙ୍କୁ ମିଥ୍ୟା ତଥ୍ୟ ଦେଇ ଅଡ଼ୁଆରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ

ସିଏମଓ ଙ୍କୁ ମିଥ୍ୟା ତଥ୍ୟ ଦେଇ ଅଡ଼ୁଆରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ
August 13
12:24 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୩/୮ : ଜନସାଧାରଣଙ୍କ ଅଭିଯୋଗ ଶୁଣାଣିକୁ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସରଳିକରଣ କରିଥିବା ବେଳେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉକ୍ତ ପୋର୍ଟାଲ ଦ୍ୱାରା ହେଉଛି । ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି ।
ବାଣପୁର ଏନଏସି ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ଉକ୍ତ ପୋର୍ଟାଲରେ ପଞ୍ଜିକୃତ କଲେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଅଭିଯୋଗକୁ ମାସ ମାସ ଧରି ସମାଧାନ କରୁନାହାନ୍ତି ଏବଂ ସିଏମଓ ଙ୍କୁ ମିଛ ତଥ୍ୟ ମଧ୍ୟ ଦେବାକୁ ପଛାଉନାହାନ୍ତି ।
ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବାଣପୁର ଅଞ୍ଚଳର ଆଇନଜୀବୀ ସୀତାରାମ ଅଗ୍ରୱାଲ। ସୂଚନା ମୁତାବକ ବାଣପୁର ଏନଏସି ୧୦ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନିର୍ମାଣ ନହେବା ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗତ ଏପ୍ରିଲ ୭ ତାରିଖରେ ଶ୍ରୀ ଅଗ୍ରୱାଲ ଉକ୍ତ ପୋର୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ କାର‌୍ୟ୍ୟାଳୟକୁ ଟିକେଟ ସଂଖ୍ୟା ସିଏମଓ ୨୦୨୫୧୧୫୫୭୨୩ ରେ ଏକ ଅଭିଯୋଗ ପଞ୍ଜିକୃତ କରିଥିଲେ ।
ତେବେ ଚଳିତ ଜୁଲାଇ ୨୨ ରେ ବାଣପୁର ଏନଏସି କାର‌୍ୟ୍ୟନିର୍ବାହୀ ଅଧିକାରୀ ପତ୍ର ସଂଖ୍ୟା ୧୧୮୨ ରେ ଉକ୍ତ ଅଭିଯୋଗର ବିଚାର ପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଉପପତ୍ର ସଂଖ୍ୟା ୧୧୮୩ ରେ ସିଏମଓ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅଭିଯୋଗ ପ୍ରକୋଷ୍ଠକୁ ପଠାଇଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ଭୁଲ ତଥ୍ୟ ସିଏମଓ ଏବଂ ଅନ୍ୟ ବିଭାଗକୁ ପ୍ରଦାନ କରିଛନ୍ତି ।
ପୂର୍ତ୍ତ ବିଭାଗ ଦ୍ୱାରା ଉକ୍ତ ୱାର୍ଡ ଅନ୍ତର୍ଗତ ତଳସାହି ସଂଲଗ୍ନ ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ ମଇ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ଉକ୍ତ ଡ୍ରେନ ଦେଇ ବର୍ଷାଜଳ ନିଷ୍କାସନ ହେଉଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ୍ରେନ ର ଆଉଟଲେଟ ପୂର୍ତ୍ତ ବିଭାଗ ଦ୍ୱାରା ଚି଼ହ୍ନଟ ହୋଇନଥିବା ବିଭ୍ରାନ୍ତିକର ଉତ୍ତର ପ୍ରଦାନ କରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ଯଦି ଡ୍ରେନର ଆଉଟଲେଟ ଚି଼ହ୍ନଟ ହୋଇନାହିଁ ତେବେ କିପରି ବର୍ଷାଜଳ ଏହାଦ୍ୱାରା ନିଷ୍କାସନ ହେଉଛି । ଅନୁରୂପ ଭାବେ ଅନ୍ୟ ଏକ ଉତ୍ତର ଭାବେ ଡ୍ରେନ ନିର୍ମାଣ ପାଇଁ ସରକାରୀ ରାସ୍ତା ଜବରଦଖଲ ଉଛେଦ ଆବଶ୍ୟକ ଏବଂ ତାହାକୁ ଉଛେଦ କରିବାପାଇଁ ବାଣପୁର ତହସିଲଦାରଙ୍କୁ ପତ୍ର ପଠାଯାଇଥିବା ଉଲ୍ଲେଖ ଅଛି ।
ତେବେ ଏ ନେଇ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟ କୁ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଆରଟିଆଇ ଯୋଗେ ଉତ୍ତର ମାଗିବାରୁ ଜବରଦଖଲ ଉଛେଦ ପାଇଁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ପତ୍ର ଦେଇନଥିବା ଉତ୍ତର ଦେଇଛି ତହସିଲଦାରଙ୍କ କାର୍ଯ୍ୟାଳୟ ।
ତେବେ ଏଠି ପ୍ରଶ୍ନ ଉଠୁଛି କାହା ଚାପରେ କାର‌୍ୟ୍ୟନିର୍ବାହୀ ଅଧିକାରୀ ସିଏମଓ ଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି । ଗତ ମଇ ୨୩ ତାରିଖ ଦିନ ଡ୍ରେନ ନିର୍ମାଣ ଉଦ୍ଦେଶ୍ୟରେ ୧୦ ନମ୍ବର ୱାର୍ଡର କିଛି ବାସିନ୍ଦାଙ୍କ ଜବରଦଖଲ ଉଛେଦ ଉଦ୍ଦେଶ୍ୟ ମୂଳକ ଭାବେ ହୋଇଥିବା ବେଳେ ଅନ୍ୟ ଜବରଦଖଲକାରୀଙ୍କ ପ୍ରତି ଅନୁଗ୍ରହ ଦେଖାଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ ।
ସିଏମଓଙ୍କୁ ମିଥ୍ୟା ତଥ୍ୟ ଦେବାଦ୍ବାରା ଜନସାଧାରଣଙ୍କ ନିକଟରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଛବି ଖରାପ ହେଉଥିବା ବେଳେ ଉକ୍ତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31