ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ
ଭୁବନେଶ୍ୱର, ୨୩/୧୨ : ଅଦିନିଆ ବର୍ଷା ଯୋଗୁଁ ଧାନ ଅମଳ ସମୟରେ ଚାଷୀଙ୍କୁ ନାନା ପ୍ରକାରର ସମସ୍ୟା ସମ୍ମୁଖୀନ ହେବା ସହ କ୍ଷତି ସହିଛନ୍ତି ।
ଲଘୁଚାପ ଜନିତ ବର୍ଷା ଯୋଗୁଁ ଧାନ କଟାଠୁ ନେଇ ଅମଳ ସବୁ ପ୍ରଭାବିତ ହୋଇଛି । ତେବେ ୩ ଦିନ ଭିତରେ ଅଦିନିକିଆ ବର୍ଷାର କ୍ଷୟକ୍ଷତି ଆକଳନ ସରିବ । ଏ ନେଇ ସୋମବାର ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି, ତିନିରୁ ଚାରି ଦିନ ଭିତରେ କ୍ଷୟକ୍ଷତି ଆକଳନ ସାରି ପଞ୍ଚମ ଦିନରେ ଚାଷୀଙ୍କୁ କ୍ଷତିପୂରଣ ରାଶି ଦେବୁ । କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛୁ । ସଂପୂର୍ଣ୍ଣ ନଷ୍ଟ ହୋଇ ନ ଥିବା ଧାନ ବିକ୍ରି ଲାଗି ବ୍ୟବସ୍ଥା କରାଯିବ ।
ତେବେ ଗଞ୍ଜାମ ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ଏହାର ଆକଳନ କରାଯାଇ କ୍ଷତିପୂରଣ ରାଶି ଦିଆଯିବ । ବନ୍ୟା, ବାତ୍ୟା ଆସିଲେ ଏହାର କ୍ଷତି ରାଜ୍ୟ ସରକାର ଭରଣା କରିବେ । ଯେଉଁମାନେ ଫସଲବୀମା କରିଥିବେ ସେମାନେ ବି ସହାୟତା ପାଇବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ସପ୍ତାହରେ ତିନିରୁ ଚାରି ଦିନ ଲଘୁଚାପ ଜନିତ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ କ୍ଷେତରେ ଧାନ ବିଡା ପାଣିରେ ବୁଡି ଯାଇଥିବା ଦେଖିବାକୁ ମିଳିଥିଲା ।
ଏପରିକି ଧାନ ମଣ୍ଡିରେ ବି ଧାନ ଭିଜି ଯାଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । କେଉଁଠି କ୍ଷେତ୍ରରେ ଧାନ କେଣ୍ଡା ପାଣିରେ ଭିଜି ପଡି ରହିଛି ତ, ଆଉ କେଉଁଠି ଧାନ କେଣ୍ଡା ପଡି ରହିଛି । ମୋଟାମୋଟି ଏହି ଅଦିନିଆ ବର୍ଷା ଚାଷୀଙ୍କ ଦୁଃଖକୁ ବଢାଇ ଦେଇଛି ।