Indus Valley Times

‘ଅସ୍ଥିର ପାଦ’ ପାଇଁ ସରୋଜିନୀ ସାହୁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର

 Breaking News

‘ଅସ୍ଥିର ପାଦ’ ପାଇଁ ସରୋଜିନୀ ସାହୁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର

‘ଅସ୍ଥିର ପାଦ’ ପାଇଁ ସରୋଜିନୀ ସାହୁ ପାଇବେ ସମ୍ମାନଜନକ ଶାରଳା ପୁରସ୍କାର
September 20
19:16 2024

ଭୁବନେଶ୍ୱର,୨୦/୯: ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫାଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟଦାଜନକ ‘ଶାରଳା ପୁରସ୍କାର’ ଚଳିତବର୍ଷ ବିଶିଷ୍ଟ ବାମାବାଦୀ ଲେଖିକା ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯିବ। ୨୦୧୯ ମସିହାରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ।
ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ପାଞ୍ଚଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ସେହିପରି ବିଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତାନସେନ୍‍ ସିଂଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯିବ।
ସରୋଜିନୀ ସାହୁଙ୍କ ‘ଅସ୍ଥିର ପାଦ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକ ଗୁଡ଼ିକ ଥିଲା ଅପର୍ଣ୍ଣା ମହାନ୍ତିଙ୍କ ‘ଅଗ୍ନି କମଳିନୀ’, ଆଶୁତୋଷ ପରିଡାଙ୍କ ‘ଅପ୍ରସ୍ତୁତ ମୃତ୍ୟୁ’, ଦାଶ ବେନହୁରଙ୍କ ‘ଅବଧାରିତ ଓ ଅନ୍ୟାନ୍ୟ ଗଳ୍ପ’, ବିଜୟ କୁମାର ଶତପଥୀଙ୍କ ‘କଂକଣଦାସୀ କଥା’, ବିୟତପ୍ରଜ୍ଞା ତ୍ରିପାଠୀଙ୍କ ‘ମାୟା’ ଏବଂ ପଦ୍ମଜ ପାଳଙ୍କ ‘ସୀତା ମୁଁ ସୀତା’।
ପ୍ରାଥମିକ ପୁସ୍ତକ ଚୟନ ମଣ୍ଡଳୀରେ ଡ. ବିରଞ୍ଚି କୁମାର ସାହୁ, ମଧୁସୁଦନ ଦାସ, ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ରତ୍ନମାଳାସ୍ୱାଇଁ, ଡ. ଜ୍ଞାନୀ ଦେବାଶିଷ ମିଶ୍ର ବିଚାରକ ଥିଲାବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ଡ. ଭଗବାନ ଜୟସିଂହ, ପ୍ରଫେସର କାଳୀଦାସ ମିଶ୍ର, ଡ. ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଏବଂ ତାପସ କୁମାର ସାମନ୍ତରାୟ ଥିଲେ।
ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୪ ମସିହା ପାଇଁ ଘୋଷିତ ହୋଇଛି। ବିଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ଓ ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତାନସେନ୍‍ ସିଂଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ।
ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇ ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ସୁସ୍ମିତା ଦାସ, ରତିକାନ୍ତ ଶତପଥୀ, ଶରତ ନାୟକ ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ସତ୍ୟଭୂଷଣ ହୋତା ଓ ବୀରେନ୍ଦ୍ର ପାଣି ବିଚାରକ ଥିଲେ।
ସୂଚନା ଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କ ସହଧର୍ମିଣୀ କଳା ବିଦୁଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ। ୧୯୮୦ ମସିହାରୁ ପ୍ରଦାନ କରାଯାଇଥିବା ‘ଶାରଳା ପୁରସ୍କାର’ ୪୫ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି। ପରବର୍ତ୍ତୀ ସମୟରେ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031