ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ (UPMP)ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୦/୧୧ : ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ସରଳ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଜି ପୂର୍ବାହ୍ନ ୧୧.୩୦ ଘଟିକା ସମୟରେ ବାଲେଶ୍ୱର ପୋଲିସ୍ ଲାଇନ୍ ପରେଡ୍ ପଡ଼ିଆଠାରେ ଏକୀକୃତ ପେନ୍ସନ୍ ପରିଚାଳନା ପୋର୍ଟାଲ୍ (Unified Pension Management Portal–UPMP)ର ଶୁଭ ଉଦ୍ଘାଟନ କରିଛନ୍ତି।
ଏହା ସହିତ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ ଆଭାସୀ ଜରିଆରେ କରିଥିଲେ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (DSSO)ଙ୍କ ମିଳିତ ଆୟୋଜନରେ ଏହି କାର୍ୟ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ସଭାରେ ପ୍ରାୟ ୧୫,୦୦୦ ହିତାଧିକାରୀ ଯୋଗଦେଇଥିଲେ।
ମଧୁବାବୁ ପେନ୍ସନ୍ ଯୋଜନାରେ ରାଜ୍ୟରେ ୫,୦୫,୮୧୭ ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ପୂର୍ବରୁ ରାଜ୍ୟରେ ୩୬,୭୫,୦୦୮ ଜଣ ହିତାଧିକାରୀ ଥିବାବେଳେ ନୂତନ ହିତାଧିକାରୀଙ୍କୁ ମିଶାଇ ମୋଟ ସଂଖ୍ୟା ୪୧,୮୦,୮୨୫ରେ ପହଞ୍ଚିଛି।
ସେହିପରି ବାଲେଶ୍ୱର ଜିଲ୍ଲାରେ ୩୦,୬୫୬ ଜଣ ନୂତନ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୨,୦୪,୩୧୨ ଜଣ ହିତାଧିକାରୀ ଥିବାବେଳେ ଏବେ ମୋଟ ସଂଖ୍ୟା ୨,୩୪,୬୫୬ରେ ପହଞ୍ଚିଛି।
ଏହି ପୋର୍ଟାଲ୍ ମାଧ୍ୟମରେ ପେନ୍ସନ୍ ସମ୍ବନ୍ଧୀୟ ତଥ୍ୟର ସମନ୍ୱିତ ପରିଚାଳନା, ହିତାଧିକାରୀଙ୍କ ସୁବିଧା ଏବଂ ସେବା ପ୍ରଦାନରେ ଅଧିକ ସ୍ୱଚ୍ଛତା ଓ ଦକ୍ଷତା ଆସିପାରିବ।
ଏଥିସହ ସଚେତନତା ରଥ ମାଧ୍ୟମରେ ସାଧାରଣ ଲୋକଙ୍କୁ ପେନ୍ସନ୍ ଯୋଜନା ଓ ସାମାଜିକ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ଉପମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ, ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମାନ୍ୟବର ମୟୂରଭଞ୍ଜ ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ, ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷା ତଥା ମାନ୍ୟବର ସିମୁଳିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ମାନ୍ୟବର ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆ, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ମାନ୍ୟବର ବାଙ୍ଗିରିପୋଷି ବିଧାୟିକା ଶ୍ରୀମତୀ ସଞ୍ଜଳୀ ମୁର୍ମୁ , ମାନ୍ୟବର ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦାଃ, ମାନ୍ୟବର ରାଇରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ କଲେନ ନାଏକ, ମାନ୍ୟବର କରଞ୍ଜିଆ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଚରଣ ହାଇବୁରୁ, ମାନ୍ୟବର ବଡ଼ସାହି ବିଧାୟକ ଶ୍ରୀଯୁକ୍ତ ସନାତନ ବିଜୁଳି, କମିଶନର – ତଥା – ଶାସନ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଡ. ବୃନ୍ଦା ଡି, ନିର୍ଦ୍ଦେଶକ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ପରୁଲ ପଟୱାରି, ଅତିରିକ୍ତ ସଚିବ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଶ୍ରୀଯୁକ୍ତ ଦୀପକ ରାଉତରାୟ, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ମଞ୍ଚାସିନ ଥିଲେ।
ଏଠାରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ରାଜନେତା, ସାମ୍ୱାଦିକ ଗଣ ଉପସ୍ଥିତ ଥିଲେ ।
ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ସଚେତନତା ରଥର ଶୁଭ ଉଦ୍ଘାଟନ କରିଥିଲେ। ଏହି ରଥ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସାମାଜିକ ସୁରକ୍ଷା ପେନସନ ଯୋଜନା ଏବଂ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP) ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ।
ଏହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ସରକାରୀ ସୁବିଧା ସମ୍ପର୍କରେ ଅବଗତ ହୋଇ ଉପକୃତ ହୋଇପାରିବେ।







