Indus Valley Times

କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଳୟରେ ଭକ୍ତିର ମହାସମାଗମ ବୋଇତ ବନ୍ଦାଣ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍‌ଯାପନ

 Breaking News

କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଳୟରେ ଭକ୍ତିର ମହାସମାଗମ ବୋଇତ ବନ୍ଦାଣ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍‌ଯାପନ

କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଳୟରେ ଭକ୍ତିର ମହାସମାଗମ ବୋଇତ ବନ୍ଦାଣ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍‌ଯାପନ
November 24
21:46 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୨୪/୧୧: ଭକ୍ତି, ଆସ୍ଥା ଓ ଓଡ଼ିଆ ପରମ୍ପରାର ଅନନ୍ୟ ସମନ୍ୱୟରେ ମୁଖରିତ ହୋଇଉଠିଲା ସମଗ୍ର ବାଲିଗୁଡ଼ା ଅଞ୍ଚଳ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ ଉତ୍ସବ ସହ କେଦାର ବ୍ରତ ଓ କାର୍ତ୍ତିକ ବ୍ରତର ଉଦ୍‌ଯାପନ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳିତ ହୋଇଛି।
ଏହି ଅବସରରେ ବାଲିଗୁଡ଼ା ସମେତ କନ୍ଧମାଳ ଜିଲ୍ଲାର ବିଭିନ୍ନ ମନ୍ଦିର, ଶୈବପୀଠ ଓ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା।
ପରମ୍ପରା ଅନୁଯାୟୀ, ଭୋରରୁ ଶ୍ରଦ୍ଧାଳୁମାନେ ପ୍ରାତଃ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ମନ୍ଦିର ଅଭିମୁଖେ ବାହାରିଥିଲେ।
ଦେବଦେବୀଙ୍କ ଦର୍ଶନ, ପୂଜାର୍ଚ୍ଚନା, ଦୀପଦାନ ଓ ବ୍ରତ ଉଦ୍‌ଯାପନରେ ସାମିଲ ହୋଇଥିଲେ ଶତାଧିକ ଶ୍ରଦ୍ଧାଳୁ। ଅନ୍ୟପଟେ ବୋଇତ ବନ୍ଦାଣ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଜଳାଶୟ ଓ ନଦୀକୂଳରେ କଦଳୀ ପଟୁଆରେ ନିର୍ମିତ ଛୋଟ ଛୋଟ ଡଙ୍ଗାରେ ଦୀପ ଜାଳି ଭକ୍ତିଭାବର ସହ ଭସାଇଥିଲେ ଲୋକେ।
ବିଶେଷକରି ବାଲିଗୁଡ଼ାର ବିରୁପାକ୍ଷ ମନ୍ଦିର ଓ ରାମେଶ୍ୱର ମନ୍ଦିର, ଦଣ୍ଡପଦର ସ୍ଥିତ ଧବଳେଶ୍ୱର ମନ୍ଦିର, ଜାଲେଶପଟ୍ଟାର ଜଳେଶ୍ୱର ପୀଠ, ଚକାପାଦର ବିରୁପାକ୍ଷ ମନ୍ଦିର ଏବଂ ଡୁଙ୍ଗୀସ୍ଥିତ ପଞ୍ଚଲିଙ୍ଗେଶ୍ୱର ପୀଠରେ ଦିନତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା।
ସେହିପରି ବିଭିନ୍ନ ଅଞ୍ଚଳର ଜଗନ୍ନାଥ ମନ୍ଦିର, ମା’ ପାଟଖଣ୍ଡା ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିସର ରେ ଘଣ୍ଟ, ଶଙ୍ଖ ଓ ହରିନାମ ସଂକୀର୍ତ୍ତନର ଧ୍ୱନି ଆଧ୍ୟାତ୍ମିକ ପରିବେଶକୁ ଅଧିକ ଭାବଗମ୍ଭୀର କରିଥିଲା।
ତୁଳସୀ ଚଉରା ନିକଟରେ ମହିଳାମାନେ ସ୍ୱତନ୍ତ୍ର ପୂଜାବିଧି କରିବା ସହ ପରିବାରର ମଙ୍ଗଳ, ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। କେତେକ ସ୍ଥାନରେ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଭଳି ଧାର୍ମିକ କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। କାର୍ତ୍ତିକ ମାସର ଦୀର୍ଘ ଏକମାସ ବ୍ୟାପୀ ଧାର୍ମିକ ଆଚରଣ ଓ ନିଷ୍ଠାର ପରିସମାପ୍ତି ଭାବେ ପୂର୍ଣ୍ଣିମା ଦିନଟିକୁ ଶ୍ରଦ୍ଧାଳୁମାନେ ବିଶେଷ ଭାବେ ପାଳନ କରିଥିଲେ।
ଅନେକ ପରିବାର ସଦସ୍ୟଙ୍କ ସହ ବିଭିନ୍ନ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରିଥିବା ବେଳେ ମନ୍ଦିର ଗୁଡ଼ିକରେ ଭକ୍ତିମୟ ପରିବେଶ ସହ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବପୁଅଙ୍କ ସାହସିକ ସମୁଦ୍ରଯାତ୍ରାର ସ୍ମୃତି ବହନ କରେ ବୋଇତ ବନ୍ଦାଣ ପରମ୍ପରା।
ଏହି ପରମ୍ପରା ମାଧ୍ୟମରେ ନିଜର ଐତିହ୍ୟ, ସଂସ୍କୃତି ଓ ପୂର୍ବପୁରୁଷଙ୍କ ଗୌରବମୟ ଇତିହାସକୁ ସ୍ମରଣ କରିଥିଲେ ଅଞ୍ଚଳବାସୀ। ଏହିପରି ଭାବେ ଧାର୍ମିକ ନିଷ୍ଠା, ପାରମ୍ପରିକ ଆସ୍ଥା ଓ ଓଡ଼ିଆ ଅସ୍ମିତାର ବାର୍ତ୍ତା ନେଇ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ।
ବାରଖମା ପଞ୍ଚାୟତରେ ବିଜେଡିର ସାଂଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ : କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ ୧୦ ଯୁବକ
ବାଲିଗୁଡ଼ା, ୨୪/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପଞ୍ଚାୟତ ସ୍ତରୀୟ ସାଂଗଠନିକ ବୈଠକ ସହ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି କ୍ଳେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଦଳର ସାଂଗଠନିକ ମଜବୁତି, ତୃଣମୂଳ ସ୍ତରରେ ଦଳୀୟ କାର୍ଯ୍ୟକଳାପକୁ ଅଧିକ ସକ୍ରିୟ କରିବା ଏବଂ ଆଗାମୀ ଦିନରେ ପଞ୍ଚାୟତସ୍ତରରେ ହେବାକୁ ଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏଥିରେ ମିଡିଆକିଆ ସରପଞ୍ଚ ଅଶୋକ ମଲିକ, ସିନ୍ଦ୍ରିଗାଁ ସରମ୍ପଞ୍ଚ ରଘୁନାଥ ମଲିକ ଙ୍କ ସମେତ ବାଲିଗୁଡା ଏନଏସି ର ବିଜୁ କର୍ମୀମାନେ ଉପସ୍ଥିତ ଥିଲେ । ବୈଠକରେ ବାରଖମା ପଞ୍ଚାୟତ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ଏଥିରେ ସଭାପତି ଭାବେ ରଘୁନାଥ ପାତ୍ର, ଉପସଭାପତି ଭାବେ ସାନନ୍ଦ ମଲ୍ଲିକ, ସମ୍ପାଦକ ଭାବେ ମିହିର ଦିଗାଳ, ସହ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ଦିଗାଳ ଏବଂ କୋଷାଧ୍ୟକ୍ଷ ଭାବେ ଭାଗିରଥି ଦଣ୍ଡିଆଙ୍କୁ ଚୟନ କରାଯାଇଥିଲା। ଅନ୍ୟପକ୍ଷରେ ଏହି ବୈଠକ ଅବସରରେ ବାରଖମା ପଞ୍ଚାୟତର ଦିଗିପଡ଼ି ଅଞ୍ଚଳରୁ କଂଗ୍ରେସ ସମର୍ଥିତ ୧୦ ଜଣ ଯୁବକ ବିଜେଡିରେ ସାମିଲ ହୋଇଥିବା ଜଣାପଡ଼ିଛି।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନକଲ୍ୟାଣମୂଳକ ଚିନ୍ତା ଧାରାରେ ଅନୁପ୍ରାଣିତ ହୋଇ ଶଙ୍କର ଦିଗାଳ ଓ କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ନେତୃତ୍ୱରେ ଏହି ଯୁବକ ମାନେ ଦଳରେ ଯୋଗ ଦେଇଥିଲେ।
ନୂତନ ଭାବେ ଯୋଗ ଦେଇଥିବା ଯୁବକ ମାନଙ୍କୁ ଦଳୀୟ ନେତୃବୃନ୍ଦ ସ୍ୱାଗତ କରିବା ସହ ଆଗାମୀ ଦିନରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ସମସ୍ତେ ଏକଜୁଟ ହୋଇ କାର‌୍ୟ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ବାରଖମା ପଞ୍ଚାୟତରେ ନୂତନ କର୍ମକର୍ତ୍ତା ଚୟନ ଓ ଯୁବକ ଙ୍କ ଯୋଗଦାନ ଫଳରେ ବିଜେଡି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ଦଳୀୟ ନେତୃବୃନ୍ଦ ଆଶା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30