Indus Valley Times

ଗୋଛାପଡ଼ା ପୁଲିସ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ,ହତ୍ୟା ନା ଦୁର୍ଘଟଣା,ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ

 Breaking News

ଗୋଛାପଡ଼ା ପୁଲିସ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ,ହତ୍ୟା ନା ଦୁର୍ଘଟଣା,ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ

ଗୋଛାପଡ଼ା ପୁଲିସ ମାଡ଼ରେ ଯୁବକ ମୃତ୍ୟୁ ଅଭିଯୋଗ,ହତ୍ୟା ନା ଦୁର୍ଘଟଣା,ତଦନ୍ତ କରିବ କ୍ରାଇମ୍ ବ୍ରାଞ୍ଚ
October 06
17:34 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଫୁଲବାଣୀ, ୬/୧୦ : ଚାଲି ଗଲା ଯୁବକଙ୍କ ଜୀବନ।ଉଜୁଡ଼ି ଗଲା ତାଙ୍କ ସୁନା ସଂସାର।ଏକା ହୋଇ ରହିଗଲେ ମୃତ ଜ୍ୟେଷ୍ଠ ଙ୍କ ପତ୍ନୀ ଦୁଇ ଛୋଟ ଶିଶୁ ପୁତ୍ର ଙ୍କ ସହ।ଏଭଳି ଏକ ଘଟଣା ଘଟିଯାଇଛି ଗୋଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦା ଘାଟି ଠାରେ।ପୁଲିସ୍ ଶୃଙ୍ଖଳିତ ରହିବା ସହ ଲୋକଙ୍କୁ ଉଚିତ୍ ବ୍ୟବହାର ଏବଂ ନ୍ୟାୟ ଦେବାକୁ ନବଗଠିତ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ୨୬ ତାରିଖରେ ରାଜଧାନୀରେ ଅନୁଷ୍ଠିତ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ଉଦବୋଧନ ଦେଉଥିବା ସମୟରେ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ କନ୍ଧମାଳ ଜିଲ୍ଲାରେ ସେତେବେଳେ ଘଟିଥିଲା ପୁଲିସର ବିଶୃଙ୍ଖଳତା।
ଫିରିଙ୍ଗିଆ ବ୍ଳକର ଗୋଛାପଡା ଥାନାର କେତେକ ପୁଲିସ୍ କର୍ମଚାରୀ ଗାଡିମଟର ଯାଞ୍ଚ ଆଳରେ ଗୋଛାପଡା ଠାରୁ ପ୍ରାୟ ୩୦ କିମି ଦୂର ରେ ୨ଜଣ ସନ୍ଦିଗ୍ଧ ବାଇକ୍ ଆରୋହୀଙ୍କୁ ଗୋଡାଇ ଗୋଡାଇ ଗତ ୨୬ ତାରିଖ ଦିନ ବାଲନ୍ଦାପଡା ଘାଟୀ ପାଖରେ ଧରିଥିଲେ।ପୁଲିସ୍ ଧରି ତାଙ୍କୁ ମାଡପିଟ କରୁଥିବା ଦେଖି ଦାଶରଥୀ ଦିଗାଲ୍ ନାମକ ସାଙ୍ଗରେ ଯାଇଥିବା ବ୍ୟକ୍ତି ଜଣକ ଭୟରେ ଫେରାର୍ ହୋଇ ଯାଇଥିଲେ।
ତେବେ ପତ୍ନୀଙ୍କୁ ସେହିଦିନ ଦିନ ୧୨ ଟାବେଳେ ଫୋନ୍ ରେ ‘ ମୋତେ ପୁଲିସ୍ ଧରିଛି ‘ ବୋଲି କହିଥିବା ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନାନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ବେହେରାମୁଣ୍ଡା ଗ୍ରାମର ଯୁବକ ଜ୍ୟେଷ୍ଠ ବଣ୍ଡକୀ ( ୪୪ ) ସହିତ ଯାଇ ଫେରାର୍ ହୋଇ ଯାଇଥିବା ଅନ୍ୟ ଜଣକ ସେଇ ଗାଁରେ ରହୁଥିବା ପାଖ ମାର୍ଡୋଲ ଗ୍ରାମ ର ଦାଶରଥି ଦିଗାଲ ସନ୍ଧ୍ୟାରେ ଏକାକୀ ଗ୍ରାମ କୁ ଫେରି ଆସିବାରୁ ଘରଲୋକେ ଜ୍ୟେଷ୍ଠ କୁଆଡେ ଗଲା ବୋଲି ପଚାରିଥିଲେ।ଦାଶରଥି କହିବା ଅନୁଯାୟୀ କୁଆଡେ ପୁଲିସ୍ ଜ୍ୟେଷ୍ଠ କୁ ଧରି ମାଡପିଟ କରୁଥିବା କହିଥିଲେ।
ଘରଲୋକେ ଗୋଛାପଡା ଥାନା ସମେତ ତାଙ୍କ ନିଜ ଥାନା କଣ୍ଟାମାଳ ଓ ନିକଟସ୍ଥ ଘଣ୍ଟାପଡା ଥାନାକୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ସୂଚନା ପାଇ ନଥିଲେ।
ତେବେ ମୃତକଙ୍କ ବାଇକ୍ ଟିକୁ ଗୋଛାପଡା ଥାନାରେ ନେଇ ରଖାଯାଇଥିବା ଓ ଫୋନ୍ ରେ ଗାଡିଟିକୁ ନେବାକୁ ପୁଲିସ୍ କୁଆଡେ ୩୦ ହଜାର ଟଙ୍କା ତାଙ୍କ ପତ୍ନୀଙ୍କୁ ମାଗିଥିବା ଓ ଯୁବକଙ୍କ ସମ୍ପର୍କରେ ରହସ୍ୟଜନକ କଥା କହି ଲୁଚାଉଥିବାରୁ ଘରଲୋକଙ୍କ ସହ ଆଖପାଖ ଗ୍ରାମର ଗ୍ରାମବାସୀ ସନ୍ଦେହ କରି ଦାଶରଥୀକୁ ସାଙ୍ଗରେ ନେଇ ଘଟଣାସ୍ଥଳରେ ଖୋଜାଖୋଜି କରିଥିଲେ।
ଶେଷରେ ଦୁଇଦିନ ପରେ ଟାଙ୍ଗାଣାମୁ ଘାଟୀର ରାସ୍ତାକଡର ପ୍ରାୟ ୩୦ଫୁଟ୍ ର ଏକ ଖାଲରେ ଉପରମୁହାଁ ହୋଇ ପଡିଥିବା ଜ୍ୟେଷ୍ଠର ପଚିଯାଇଥିବା ଶବ ମିଳିଥିଲା।ଖବର ଦେବାରୁ ଗୋଛାପଡା ଥାନା ପୁଲିସ୍ ସହ ଫୁଲବାଣୀରୁ ଡଗ୍ ସ୍କ୍ବାର୍ଡ ଓ ସାଇଣ୍ଟିଫିକ୍ ସ୍କ୍ବାର୍ଡ ଏବଂ ଉପରିସ୍ଥ ଅଧିକାରୀମାନେ ଆସି ଶବ ଉଦ୍ଧାର ସହ ଥାନାରେ ଏକ ମାମଲା ରୁଜୁ ପୂର୍ବକ ଫୁଲବାଣୀରେ ବ୍ୟବଚ୍ଛେଦ କରାଇଥିଲେ।
ତେବେ ମୃତକଙ୍କ ପତ୍ନୀ ସୁମନ୍ତୀ ବଣ୍ଡକୀ ତାଙ୍କ ସ୍ବାମୀଙ୍କୁ ପୁଲିସ୍ ପିଟି ପିଟି ଗାଡି ଚପାଇ ମାରିଦେଇଥିବା ଗୋଛାପଡା ଥାନାରେ ଏତଲା ଦେଇଥିଲେ।ଏହି ଏତଲାକ୍ରମେ ଗୋଛାପଡା ଥାନାରେ ଏକ ହତ୍ୟାମାମଲା କେସ୍ ନ୦ ୧୭୦/ ୨୪ ଋଜୁ ହୋଇଥିବା ପ୍ରକାଶ।ଏହି ଘଟଣାର ତଦନ୍ତ ଦାୟିତ୍ୱ ଏସପିଙ୍କ ନିର୍ଦ୍ଦେଶରେ ଜଣେ ଡିଏସପିଙ୍କୁ ଦିଆଯାଇଥିଲା।
ମୃତ ଜୈଷ୍ଠ ଙ୍କ ଗ୍ରାମ ର ଗ୍ରାମବାସୀ ଓ କଣ୍ଟାମାଳ ବ୍ଲକ୍ ଆଦିବାସୀ କନ୍ଧ ସମାଜର ସଭାପତି ନରୋତ୍ତମ ମଲ୍ଲିକଙ୍କ ସହିତ ଯାଇଥିବା ଶତାଧିକ ବ୍ୟକ୍ତି ଓ ସ୍ଥାନୀୟ ସଲାଗୁଡା ସରପଞ୍ଚ ରୋହିତ କହଁର ପ୍ରମୁଖ ଗୋଛାପଡା ଥାନା ଘେରାଉ କରି ପ୍ରକୃତଘଟଣାର ତଦନ୍ତ ଦାବି କରିଥିଲେ।
ଘଟଣା ଦିନ ଯେଉଁ ପୋଲିସ ଦଳ ଯାଞ୍ଚ ପାଇଁ ଯାଇଥିଲେ,ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଡି ବସିଥିଲେ ମୃତ ଜୈଷ୍ଠ ର ପରିବାର ବର୍ଗ ଏବଂ ଗ୍ରାମବାସୀ। ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସେମାନଙ୍କୁ ବଦଳି କରିଦିଆଗଲାଣି କହିବାରୁ ସଙ୍ଗେ ସଙ୍ଗେ ଗୋଟିଏ ଦିନରେ ସେମାନଙ୍କୁ କିପରି ଅନ୍ୟତ୍ର ବଦଳି କରିଦିଆଗଲା ବୋଲି,ପୁଲିସ୍ ଉପରେ ସନ୍ଦେହ କରି ଉତ୍ତେଜନା ପ୍ରକାଶ ପାଇଥିଲା।
ତେବେ ଖବର ପାଇ କନ୍ଧମାଳ ଏସ୍ ପି ଶୁଭେନ୍ଦୁ କୁମାର ପାତ୍ର,ଅତିରିକ୍ତ ଏସ୍ ପି ବଳଭଦ୍ର ଦୀପ,ଡିଏସପି କମଳାକାନ୍ତ ପଣ୍ଡା ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ସଶସ୍ତ୍ର ପୋଲିସ ସହ ପହଞ୍ଚି ତଦନ୍ତରେ କୌଣସି ଅବହେଳା ହେବନି ବୋଲି ପ୍ରତିଶ୍ରୁତି ଦେବା ସହ ରେଡ୍ କ୍ରସ୍ ପାଣ୍ଠିରୁ ୨୦ ହଜାର ଟଙ୍କା ଦେଇ ଲୋକମାନଙ୍କୁ ଫେରିବା ନିମନ୍ତେ ଏକ ବସ୍ ର ମଧ୍ୟ ବ୍ୟବସ୍ଥା କରିଦେଇଥିବା ପୋଲିସ ସୂତ୍ରରୁ ପ୍ରକାଶ।ତେବେ ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ,ପୁଲିସ୍ ତାଙ୍କ ସ୍ବାମୀ ଙ୍କୁ ଧରି ପିଟି ପିଟି ଶେଷରେ ଗାଡି ଚପାଇ ମାରିଦେଇଥିବା ସନ୍ଦେହ କରିଛନ୍ତି।
ଅନ୍ୟ ପଟେ ପୋଲିସ କହୁଛି ହେଲମେଟ ଯାଞ୍ଚ ବେଳେ ସନ୍ଦିଗ୍ଧ ଭାବରେ ଗୋଟିଏ ବାଇକ୍ ତୀବ୍ର ଗତିରେ ଯିବା ସନ୍ଦେହ କରି ଗୋଡ଼ାଇ ଥିବା ବେଳେ ବାଇକ୍ ଚାଳକ ଏବଂ ତାଙ୍କ ସହ ଥିବା ଅନ୍ୟ ଜଣେ ବାଇକ୍ ଛାଡ଼ି ଦଉଡ଼ି ପଳାଇଥଲେ।
ପୋଲିସ ସେଠାରୁ ବାଇକ୍ କୁ ଗୋଛା ପଡ଼ା ଥାନାକୁ ନେଇ ଆସିଥିଲେ।ବାଇକ୍ ପଛରେ ବସି ଥିବା ପ୍ରତ୍ୟକ୍ଷଦର୍ଶି ଦାଶରଥି ଙ୍କ କହିବା ଅନୁଯାୟୀ ପୋଲିସ ଗୋଡ଼ାଇବା ସମୟରେ ସେ କୁଆଡେ ଭୟରେ ବାଇକ୍ ରୁ ଡେଇଁ ଫେରାର ହେବା ବେଳେ ପୋଲିସ ଜୈଷ୍ଠ କୁ ପିଟୁଥିବା ଦେଖିଥିଲେ।
ତେବେ ପ୍ରତ୍ୟକ୍ଷଦର୍ଶୀ ଦାଶରଥି ର ବୟାନ ପୋଲିସ ରେକର୍ଡ କରିଛି କି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ତଦନ୍ତକାରୀ ପୋଲିସ ଆକଳନ କରୁଛି ପଳାଇଲାବେଳେ ଘାଟୀରାସ୍ତାରୁ ଖସିପଡି ମୃତ୍ୟୁବରଣ କରିଛି ଓ ଧରପଗଡ କରୁଥିବା ପୁଲିସ୍ ମାନେ ତାଙ୍କର ମୃତ୍ୟୁ ସମ୍ପର୍କରେ ଜାଣି ନପାରି ସେ ମଧ୍ୟ ଫେରାର୍ ହୋଇଗଲା ବୋଲି ଭାବି ବାଇକ୍ ଟିକୁ ଥାନାକୁ ନେଇଯାଇଥିଲେ।
ଏ ନେଇ ଦ୍ବନ୍ଦ ସୃଷ୍ଟି ହୋଇଛି।ତେବେ ସେଇ ବାଇକ୍ ରେ ଏକ ବ୍ୟାଗ୍ ବନ୍ଧା ହୋଇଥିବା ଓ ସେଥିରେ ୫ କିଗ୍ରା ଗଞ୍ଜେଇ ଥିବା ପଳାଇ ଆସିଥିବା ଦାଶରଥି ଦିଗାଲ ପ୍ରକାଶ କରିଥିବା ବେଳେ ପୁଲିସ୍ ଉକ୍ତ ବ୍ୟାଗ୍ ବା ଗଞ୍ଜେଇ ସମ୍ପର୍କରେ ମନା କରୁଛି।ଏପରିକି ତଦନ୍ତ କରୁଥିବା ଡିଏସପି କମଳାକାନ୍ତ ପଣ୍ଡା ମଧ୍ୟ ଗଞ୍ଜେଇ ଥିବା ସନ୍ଦେହ ପ୍ରକାଶ କରୁଥିବା ବେଳେ,ଯାଇଥିବା ପୁଲିସ୍ କର୍ମଚାରୀଙ୍କୁ ପଚରାଉଚୁରା କରି ସୁଦ୍ଧା କିଏ ନେଲା ଜଣାପଡି ପାରିନାହିଁ।
ତେବେ ଏହା ମୂଳରେ ଅଞ୍ଚଳରେ ହେଉଥିବା ଚୋରାଗଞ୍ଜେଇ ଚାଲାଣ ହିଁ ମୁଖ୍ୟକାରଣ ଓ ଏଇ ଘଟଣାଟି ମଧ୍ୟ ଉକ୍ତ ମୃତ ଓ ଫେରାର୍ ଦୁଇଜଣ ଚୋରାଗଞ୍ଜେଇ ଆଣିବା ସତ୍ୟ ବୋଲି ଉଭୟ ପକ୍ଷ ପୁଲିସ୍ ଓ ଅଭିଯୋଗକାରୀଙ୍କ ପକ୍ଷରୁ ସହମତି ପ୍ରକାଶ ପାଇଛି ।
ଉଲ୍ଲେଖନୀୟ ଯେ,ଏହି ଅଞ୍ଚଳଟି ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା।ଏହିପରି ପୁଲିସ୍ ଜବତ ଗଞ୍ଜେଇକୁ ବିକ୍ରି କରୁଥିବା ଅଭିଯୋଗରେ ଗତବର୍ଷ ଫିରିଙ୍ଗିଆ ଥାନାକୁ ଲୋକମାନେ ପୋଡିଦେବା ସହିତ ଥାନାଧିକାରୀ ଓ ସେଠାକୁ ତଦନ୍ତ ପାଇଁ ଯାଇଥିବା ତତ୍କାଳୀନ ଏସଡିପିଓଙ୍କୁ ମାଡ ମାରିବା ପରି ଅଘଟଣ ଘଟିଥିଲା।
ଏହା ସତ୍ତ୍ୱେ ଗୋଛାପଡା ଥାନାପୁଲିସ୍ ର ଏହି ତଥାକଥିତ ହେଲ୍ ମେଟ୍ ଯାଞ୍ଚ କରିବା ଆଳରେ ଗୋଛାପଡାଠାରୁ ପ୍ରାୟ ୩୦ କିମି ଦୂରକୁ ଯାଇ ଓ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ବୋଲେରୋ ଗାଡିରେ ଗୋଡାଇ ଗୋଡାଇ ସନ୍ଦିଗ୍ଧ ଆରୋହୀଙ୍କୁ ଧରିବାକୁ ତଦନ୍ତକାରୀ ଡିଏସପି ମଧ୍ୟ ନାପସନ୍ଦ କରିଛନ୍ତି।
ଗୋଛାପଡା ଥାନାରେ ଥିବା ଆଇଆଇସି ପ୍ରଭାତ କୁମାର ବେହେରାଙ୍କର ଗତ ୨୩ ତାରିଖରେ ଚକାପାଦକୁ ବଦଳି ହୋଇଯାଇଥିବା ଓ ତାଙ୍କ ସ୍ଥାନରେ ଜଣେ ଓଆଇସି ଚିରଞ୍ଜିବୀ ବେହେରା ଗତ ୨୯ ତାରିଖରେ ଆସି କାର୍ଯ୍ୟରେ ଯୋଗଦାନ କରିଛନ୍ତି।ଉକ୍ତ ସମୟର ମଧ୍ୟବର୍ତ୍ତୀ କାଳରେ ଅର୍ଥାତ୍ ଘଟଣାଦିନ ଗତ ୨୬ ତାରିଖରେ ଥାନାର ଜଣେ ସବ୍ ଇନିସପେକ୍ଟର ରୂପକ ଦଳାଇ ଭାରପ୍ରାପ୍ତ ଥାନାଧିକାରୀ ଦାୟିତ୍ୱରେ ରହିଥିଲେ।
ଆହୁରି ମଧ୍ୟ ଏବେ ତତ୍କାଳୀନ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କର ବଦଳିହୋଇ ନୂଆ ଏସ୍ ପି ହରିଶ ବି.ସି. ଙ୍କର କନ୍ଧମାଳକୁ ବଦଳି ହୋଇଥିଲେ ହେଁ,ସେ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ।
ଏ ସମ୍ପର୍କରେ ଗୋଛାପଡା ନୂଆ ଥାନା ଭାରପ୍ରାପ୍ତ ଅଧିକାରୀ ଚିରଞ୍ଜିବୀ ବେହେରା କହିଛନ୍ତି ଯେ ଘଟଣା ଦିନ ଯେଉଁମାନେ ଥାନାର ବୋଲେରୋ ନେଇ ଏହି ଧରପଗଡରେ ଯାଇଥିଲେ,ସେମାନଙ୍କ ମଧ୍ୟରେ ଜଣେ ଡ୍ରାଇଭର ସମେତ ଜଣେ ହାବିଲଦାର,ଜଣେ ଟ୍ରେନି ସବଇନିସପେକ୍ଟର ଓ ଦୁଇଜଣ ହୋମ୍ ଗାର୍ଡ ରହିଥିଲେ।
ସେମାନେ ଫେରି ଥାନା ଦାୟିତ୍ୱରେ ଥିବା ରୂପକ ଦଳାଇଙ୍କୁ ଲୋକଟିର ନିଖୋଜ୍ ବା ମୃତ୍ୟୁ ସମ୍ପର୍କରେ କିଛି ଜଣାଇ ନାହାଁନ୍ତି।ଖାଲି ଏତିକି କହିଥିଲେ ଯେ ଦୁଇଜଣ ବାଇକ୍ ଆରୋହୀଙ୍କୁ ଅଟକାଇବାରୁ ସେମାନେ ନମାନି ଦ୍ରୁତଗତିରେ ପଳାଇବାରୁ ଆମେ କିଛିବାଟ ଗୋଡାଇଥିଲୁ ଓ ସେମାନେ ବାଇକ୍ ଛାଡି ପଳାଇଥିଲେ। ଏଣୁ ବାଇକଟିକୁ ଥାନାକୁ ନେଇ ଆସିଛୁ।
ସେଦିନର ଥାନା ଦାୟିତ୍ୱରେ ଥିବା ଅଧିକାରୀ ରୂପକ ଦଳାଇ ମଧ୍ୟ ସେଥିରେ ବ୍ୟାଗ୍ ନଥିବା ସଫେଇ ଦେଇଥିଲେ।ତେବେ ଦୋଷୀଙ୍କ ବିରୁଦ୍ଧରେ ତଦନ୍ତରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅତିରିକ୍ତ ଏସ ପି ବଳଭଦ୍ର ଦୀପ ଏବଂ ତଦନ୍ତକାରୀ ଡିଏସପି କମଳାକାନ୍ତ ପଣ୍ଡା କହିଛନ୍ତି ଯେ ଯେଉଁମାନେ ଉକ୍ତଦିନ ସେହି ଧରପଗଡ ଦଳରେ ଯାଇଥିଲେ,ସେଇ ୫ ଜଣଙ୍କୁ ନିଲମ୍ବିତ ଓ କାର୍ଯ୍ୟରୁ ଅନ୍ତର କରାଯାଇଛି।ତଦନ୍ତ ଚାଲିଛି ଓ ଆଗକୁ ଦୋଷ ପ୍ରମାଣିତ ହେଲେ ସେମାନଙ୍କ ଚାକିରୀ ବି ଯାଇପାରେ।
ନିଲମ୍ଵିତ ବା କାର୍ଯ୍ୟରୁ ଅନ୍ତର କରାଯାଇଥିବା ଉକ୍ତଦିନର ଧରପଗଡ ଦଳର ପୁଲିସ୍ କର୍ମଚାରୀମାନେ ହେଲେ ଏସ୍ ଆଇ ଅଣ୍ଡର ଟ୍ରେନିଂ ଅଜିତ କୁମାର ବେହେରା,ହାବିଲଦାର ରାମଚନ୍ଦ୍ର ନାଏକ,ହୋମ୍ ଗାର୍ଡ ଅଭିରାମ ମହାନନ୍ଦ,ହୋମ୍ ଗାର୍ଡ ଜଗା କହଁର ଓ ଡ୍ରାଇଭର ରତ୍ନାକର ନାଏକ।ତଦନ୍ତକୁ ପ୍ରଭାବିତ କରିବା ଆଶଙ୍କାରେ ସେମାନଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବିଭାଗ ପକ୍ଷରୁ ପ୍ରକାଶ।
ଡିଏସପି ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ ଯେ,ଏ ଜିଲ୍ଲାରେ ବି ହୋମ୍ ଗାର୍ଡଙ୍କ ରାଜୁତି ଚାଲିଛି ଓ ଗଞ୍ଜେଇ ଚୋରାଚାଲାଣ ଧରପଗଡରେ ଏଇପରି ତଳିଆ କର୍ମଚାରୀମାନେ ଟଙ୍କା ଲୋଭରେ ଏଭଳି କାର‌୍ୟ୍ୟକଳାପ ରେ ଜଡିତ ରହିବା ଦ୍ବାରା ପୁଲିସର ଭାବମୂର୍ତ୍ତିରେ ଆଞ୍ଚ୍ ଆସୁଛି।ତେବେ ସେ ପୁଲିସ୍ ମାରିଥିବା କଥାରେ ଏକମତ ହୋଇପାରି ନାହାଁନ୍ତି।
ତାଙ୍କର ଯୁକ୍ତି ହେଉଛି,ଯଦି ମାରିଥା\’ନ୍ତେ ବାଇକ୍ ଟିକୁ ଥାନାକୁ ନେଇଆସି ଟଙ୍କା ମାଗିଥା\’ନ୍ତେ କି?ଉଲ୍ଲେଖଯୋଗ୍ୟ ଯେ, ନିଖୋଜ ପରେ ପୁଲିସ୍ କିଭଳି ଜ୍ୟେଷ୍ଠର ଭାଇ କଥାକୁ ଗୁରୁତ୍ୱ ନ ଦେଇ ଟଙ୍କା ଦେଇ ଥାନାରୁ ବାଇକ୍ ଛାଡିବାକୁ କିପରି ଚାପ ପକାଉଥିଲା,ଏହାର ଫୋନ୍ଅଡିଓ ରେକର୍ଡ ସାମ୍ବାଦିକଙ୍କ ପାଖରେ ରହିଛି।
ମୃତକ ଉପରକୁ ମୁଁହକରି ଶୋଇଥିବା,ମୃତଦେହର ପଛପଟେ କୌଣସି ଆଘାତ ଜଣାପଡୁ ନଥିବା ଓ ସମ୍ମୁଖପଟର ଛାତି,ମୁହଁ ଓ କପାଳରେ ଆଘାତ ରହିଥିବା ପ୍ରକାଶ କରିଛନ୍ତି।ତେଣୁ ଯୁବକଟି ଘାଟୀତଳର ଗଭୀରଖାଲରେ ପଳାଇଲା ବେଳେ ପଡିଯାଇଥିବା ଅନୁମାନ କରୁଥିବା କହିଥିଲେ।ତେବେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଲିସ୍ ଏହାର ଶବବ୍ୟବଚ୍ଛେଦ କରାଇଛି। ପୋଷ୍ଟ ମର୍ଟମ୍ ରିପୋର୍ଟ କହିବ ପ୍ରକୃତରେ ମୃତ୍ୟୁ ର ରହସ୍ୟ କଣ?
ଏ ସମ୍ପର୍କରେ ମୃତକଙ୍କ ପତ୍ନୀ ସୁମନ୍ତୀ ବଣ୍ଡକୀ ତାଙ୍କ ସ୍ଵାମୀ ପଡିଯାଇ ମୃତ୍ୟୁବରଣ କରିଥିବା କଥାରେ ଆଦୌ ସହମତ ନୁହଁନ୍ତି।ସେ କହିଛନ୍ତି,କେମିତି ପଡିକରି ମରିଯିବ?ପୁଲିସ୍ ଧରିଥିଲା।ବାଇକ୍ ବି ରଖିଛନ୍ତି।ଗ୍ରାମରୁ ଯାଇଥିବା ପରିବାରର ଲୋକେ ଓ ପଡିଥିବା ମୃତଦେହ ଦେଖିଥିବା ଗ୍ରାମବାସୀମାନେ ମଧ୍ୟ କହିଛନ୍ତି,ପଡିଥିବା ସ୍ଥାନରେ କିଛି ରକ୍ତ ପଡି ନଥିଲା।
ଏତେ ଉପରୁ ଗଛ ସନ୍ଧିଦେଇ ପଡିଥିଲେ ହାତଗୋଡ ଦେହ ଖଣ୍ଡିଆଖାବରା ହୋଇଥାନ୍ତା।କିଛି ହୋଇନାହିଁ।ପୁଲିସ୍ କୁକୁର ମଧ୍ୟ ରାସ୍ତାର ଘଟଣାସ୍ଥଳକୁ ଯିବାପରେ ପାଖର ଏକ ପୋଖରୀ କୂଳକୁ ଯାଇ ସେଠାରେ ଶୋଇପଡିଥିଲା।
ଏ ଘଟଣାର ଏକମାତ୍ର ପ୍ରତ୍ୟେକ୍ଷଦର୍ଶୀ ଫେରାର୍ ହୋଇ ପଳାଇ ଆସିଥିବା ଦାଶରଥି ଦିଗାଲ୍ କହିଛନ୍ତି,ସେମାନେ ତାକୁ ଧରିପକାଇ ମାଡପିଟ କରୁଥିଲେ।ଆଶ୍ଚର୍ଯ୍ୟର ବିଷୟ ଯେ ତଦନ୍ତକାରୀ ପୁଲିସ୍ ପକ୍ଷରୁ ଅଦ୍ୟାବଧି ଦାଶରଥି ଦିଗାଲର ବୟାନ ରେକର୍ଡ କରାଯାଇ ନାହିଁ।
ଏଣୁ ତଦନ୍ତକାରୀ ବରିଷ୍ଠ ଅଧିକାରୀଙ୍କ ଅନୁମାନ ବା କାଳ୍ପନିକ କାହାଣୀକୁ ଗ୍ରହଣ ନକରି ଅଭିଯୋଗକାରୀଙ୍କ ପକ୍ଷର ଅଭିଯୋଗ ଅନୁଯାୟୀ,ଜ୍ୟେଷ୍ଠକୁ ବାଇକ୍ ସହ ଧରିନିଆଯିବା ପରେ ମାଡରେ ମୃତ୍ୟୁ ହୋଇଯାଇଥିବା ଓ ଅଭିଯୁକ୍ତ ପୁଲିସ୍ ମାନେ ପୁଣି ଆଣି ଘାଟୀତଳ ଖାଲରେ ଶୁଆଇଦେଇଥିବା କାହିଁକି ସମ୍ଭବ ନୁହେଁ \’ବୋଲି ଚର୍ଚ୍ଚା ହେଉଛି।
ସେ ଯାହାହେଉନା କାହିଁକି,ଯୁବକଟିର ମୃତ୍ୟୁ ପାଇଁ କିଏ ଦାୟୀ ଓ ଏହା ହତ୍ୟା ପରି ଏକ ଗୁରୁତର ଅପରାଧଠାରୁ କିପରି କମ୍ ହେବ ବୋଲି ପ୍ରଶ୍ନ କରାଯାଇଛି।ଏଭଳି ବିଶୃଙ୍ଖଳିତ ଓ ଲାଳସୀ ତଳିଆ ପୁଲିସ୍ କର୍ମଚାରୀଙ୍କ ମୁତୟନ ବା କାର୍ଯ୍ୟକଳାପ ପ୍ରତି ଜିଲ୍ଲା ପୁଲିସ୍ ପ୍ରଶାସନକୁ ଦାୟୀ କରାଯାଇ ପାରିବନାହିଁ କାହିଁକି?ଏହି ନିଲମ୍ବନ ବା ଗୃହରକ୍ଷୀଙ୍କୁ କାର୍ଯ୍ୟରୁ ଅନ୍ତର ଇତ୍ୟାଦି ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ପରେ ଜଣେ ଯୁବକର ପୁଲିସ୍ ନିମନ୍ତେ ପ୍ରାଣହାନୀ ଘଟିବା ବନାମ ହତ୍ୟା ଅଭିଯୋଗର ତଦନ୍ତର ଫଳାଫଳ ବା ଗିରଫଦାରୀ ସହ ଦଣ୍ଡବିଧାନ କେବେ?
କେବଳ ରାଜଧାନୀ ବା ଭରତପୁର ଥାନା ପୁଲିସ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନରେ ତତ୍ପରତାକୁ ରାଜ୍ୟବାସୀ ସରକାରଙ୍କ ସ୍ବଚ୍ଛତା ବୋଲି ବାହାବା\’ ଦେବେ ନା ବୌଦ୍ଧକନ୍ଧମାଳର ଜଣେ ବେକାର ହରିଜନ ଯୁବକଙ୍କୁ ନ୍ୟାୟ ଦେବାଦିଗରେ କିଛି ଦୃଷ୍ଟ୍ବାନ୍ତମୂଳକ ପଦକ୍ଷେପ ନେବେ,ଲୋକେ ପ୍ରଶ୍ନ କରିଛନ୍ତି ?
କନ୍ଧମାଳ,ବୌଦ୍ଧ ଆଦି ଜିଲ୍ଲାରେ ବର୍ଷ ବର୍ଷ ଧରି ବ୍ୟାପକ ଗଞ୍ଜେଇ ଚାଷ ଓ ଏଠାରୁ ଆନ୍ତଃରାଜ୍ୟ ଚୋରାଚାଲାଣରେ ପୁଲିସ୍,ଅବକାରୀ ବିଭାଗର ଧରପଗଡ ଆଳରେ ହାତଚିକ୍କଣ ସହିତ ମାଓବାଦୀଙ୍କୁ ସୁହାଉଥିବା ସମସ୍ୟାର ପ୍ରକୃତ ନିରାକରଣ ପାଇ ସରକାରଙ୍କ ନିଷ୍କ୍ରିୟତା ନିନ୍ଦନୀୟ ।
ଅପରପକ୍ଷରେ,ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି ଯେ ପ୍ରେମବିବାହ କରି ଦୁଇଟି ଛୋଟଛୁଆଙ୍କୁ ଛାଡି ଜୀବନରେ ନାବାଳିକା ବିବାହ ଅଭିଯୋଗରେ ଦୁଇଥର ବର୍ଷେ ଲେଖାଏଁ ଜେଲ୍ ରେ କଟାଇଥିବା ସହିତ ତାମିଲନାଡୁରେ ଦାଦନଖଟୁଥିବା ଓ ଛ\’ ମାସତଳେ ସ୍ତ୍ରୀପିଲାଙ୍କ ପାଖକୁ ଫେରିଥିବା ଗରିବ ହରିଜନ ଯୁବକଟି ଦାଶରଥୀ କଥାରେ ପଡି ହଜାରେ ଟଙ୍କା ଭଡାରେ ଯାଇ ଚୋରାଗଞ୍ଜେଇ କାରବାରରେ ଫସି ଜୀବନକୁ ଜଳାଞ୍ଜଳି ଦେଇ ପିଲା ମାଇପ ଙ୍କୁ ଅନାଥ କରିଯିବା କେତେଦୂର ଶୋଚନୀୟ।
ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସି ଆଇ ଡି କ୍ରାଇମ୍ ବ୍ରାଞ୍ଚ ର ଡି ଏସ ପି ରଜତ କୁମାର ରାୟ ତଦନ୍ତ କରିବେ ବୋଲି ଓଡ଼ିଶା ପୋଲିସ ମୁଖ୍ୟାଳୟ ର ପତ୍ର ସଂଖ୍ୟା ୧୭୮/୫.୧୦.୨୦୨୪ ରୁ ଜଣାପଡିଛି।ଉପରୋକ୍ତ ଘଟଣା ହତ୍ୟା ନା ଦୁର୍ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସରକାର ଙ୍କ ପକ୍ଷରୁ ଏହି ମାମଲାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031