Indus Valley Times

ଜୟ ନୟାଗଡ଼ ଫାଉଣ୍ଡେସନ

 Breaking News

ଜୟ ନୟାଗଡ଼ ଫାଉଣ୍ଡେସନ

ଜୟ ନୟାଗଡ଼ ଫାଉଣ୍ଡେସନ
July 03
19:13 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩/୭ : ଆଜିର ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ-(ନୟାଗଡରେ ମେଡିକାଲ କଲେଜର ପ୍ରତିଷ୍ଠା।)
ରାଜଧାନୀରୁ ମାତ୍ର ୮୦ କିମି ଦୂରରେ ନୟାଗଡ଼ ଜିଲ୍ଲା ରାଜଧାନୀର କର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଦ୍ୟାବଧି ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ପର ଠାରୁ ବିଜୁ ବାବୁଙ୍କ ୨ ବର୍ଷର ସ୍ଥିର ସରକାର, ୧୯୯୫-୨୦୦୦ ପର୍ଯ୍ୟନ୍ତ କଂଗ୍ରେସର ଅସ୍ଥିର ସରକାର ଓ ମହାବାତ୍ୟାର ତାଣ୍ଡବ, ୨୦୦୦-୨୦୨୪ ନବୀନ ପଟ୍ଟନାୟକଙ୍କର ସ୍ଥିର ସରକାର, ଏବେ ୨୦୨୪ ନିର୍ବାଚନ ପରେ ୧ ବର୍ଷର ମୋହନ ଚରଣ ମାଝୀଙ୍କ ଡବଲ ଇଞ୍ଜିନ ସରକାର ଶାସନ କରି ଆସିଛନ୍ତି।
କିନ୍ତୁ ନୟାଗଡ଼ ଜିଲ୍ଲାରଅବସ୍ଥା ଯଥା ପୂର୍ବଂ ତଥା ପରଂ ଭଳି ପଡ଼ି ରହିଛି। ଜିଲ୍ଲା ହେବାର ୩୨ ବର୍ଷ ବିତିଯାଇଥିଲେ ମଧ୍ୟ ନୟାଗଡ଼ ହେଉଛି ଅବହେଳିତ, ନିଷ୍ପେଷିତ ଓ ଶିଳ୍ପବିହୀନ ଜିଲ୍ଲା। ନୟାଗଡ଼ ଜିଲ୍ଲା ଗଠନ ଓ ତା ପୂର୍ବରୁ ନୟାଗଡ଼ରେ ବିଜୟଲାଭ କରିଥିବା ରାଜନେତାମାନଙ୍କ ଓଡ଼ିଶାରେ ସ୍ଥାନ ସ୍ୱତନ୍ତ୍ର କିନ୍ତୁ ଦଳପ୍ରେମରେ ସମସ୍ତେ ହୋଇଯାନ୍ତି ଧୃତରାଷ୍ଟ୍ର।
ଏଠାରୁ ପ୍ରତି ନିର୍ଵାଚନରେ ୪ଜଣ ବିଧାୟକ ନିର୍ବାଚିତ ହୋଇ ବିଧାନସଭା ଯାଆନ୍ତି। ଏବଂ ୩ଜଣ ସାଂସଦ ମଧ୍ୟ ଜିଲ୍ଲାରୁ ଦିଲ୍ଲୀ ପର୍ଯ୍ୟନ୍ତ ଯାଆନ୍ତି । ସବୁ ନିର୍ବାଚନରେ ନୟାଗଡ଼ ଜନସାଧାରଣ ରାଜ୍ୟ ସରକାରଙ୍କୁ ଭଲ ଭୋଟ ଦେଇ ଜୟଯୁକ୍ତ କରନ୍ତି କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ନୟାଗଡରେ ସେମିତି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ। ନା\’ ଏଠାରେ ଅଛି ସ୍ୱାସ୍ଥ୍ୟ ପାଇଁ ମେଡିକାଲ କଲେଜ, ନା ଅଛି ଶିକ୍ଷାର ଉନ୍ନତି ପାଇଁ ବିଶ୍ବବିଦ୍ୟାଳୟ ନା ଏଠାରେ ରହିଅଛି କୌଣସି ଶିଳ୍ପ ସଂସ୍ଥାନ। ନୟାଗଡ଼ ଆଜି ଅବହେଳିତ ଅବସ୍ଥାରେ ରହିବାରେ ମୂଳ କାରଣ ରହିଅଛି ରାଜନୈତିକ ଇଛାଶକ୍ତିର ଅଭାବ।
ନୟାଗଡ଼ ଜିଲ୍ଲାର ଅପହଞ୍ଚ କୁଜାମେଣ୍ଢୀ ଗ୍ରାମ ପଞ୍ଚାୟତ ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ପ୍ରାୟ ୧୮୦ କିମି ମଧ୍ୟରେ କୌଣସି ମେଡ଼ିକାଲ କଲେଜ ନଥିବା ବେଳେ ନୟାଗଡ଼ଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାର ଅତ୍ୟନ୍ତ ଆବଶ୍ୟକତା ରହିଅଛି।
ଆଜି କିଛି ଦୃଢମନା ଯୁବବନ୍ଧୁଙ୍କ ପ୍ରଚେଷ୍ଟାରେ ନୟାଗଡରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମସ୍ତ ନୟାଗଡ଼ିଆଙ୍କ ସାମ୍ନାକୁ ଆଣି ସେମାନଙ୍କୁ ସଚେତନ କରାଇ ସରକାରଙ୍କ ନିକଟରେ ଆପଣଙ୍କ ଗଣମାଧ୍ୟମ, ଦସ୍ତଖତ ଅଭିଯାନ, ସେଲ୍ଫି ପଏଣ୍ଟ ଓ ସାମାଜିକ ଗଣମାଧ୍ୟମ ଜରିଆରେ ପହଞ୍ଚାଇବା ନିମନ୍ତେ ଏହି ବନ୍ଧୁ ମିଳନ ଓ ସାମ୍ବାଦିକ ସମ୍ମିଳନୀ \”ଜୟ ନୟାଗଡ ଫାଉଣ୍ଡେସନ\” ଜରିଆରେ ନୟାଗଡ଼ ମାଟି ତରଫରୁ କରାଯାଇଅଛି।
ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ମୁଖ୍ୟ ସମସ୍ୟା କାରଣ ନୟାଗଡ଼ ଯେହେତୁ ରାଜଧାନୀର ନିକଟରେ ରହିଅଛି ସମସ୍ତ ଡାକ୍ତର ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ରହିବା ପାଇଁ ଚେଷ୍ଟାରତ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେଫରାଲ ଚିକିତ୍ସାଳୟରେ ପରିଣତ ହୋଇଅଛି। ସବୁ ଜିଲ୍ଲାରେ ଗୋଟିଏ ଗୋଟିଏ ମେଡିକାଲ କଲେଜ ନିମନ୍ତେ ସରକାର ଘୋଷଣା କରିଥିଲେ ହେଁ ନୟାଗଡ଼ ପାଇଁ ବୈମାତୃକ ମନୋଭାବ କଣ ପାଇଁ?
ପ୍ରତ୍ୟେକ ରାଜନୈତିକ ଦଳର ନେତାମାନେ ନିଜର ରାଜନୈତିକ ଫାଇଦା ପାଇଁ ନୟାଗଡ଼ରେ ମେଡିକାଲ କଲେଜ କଥା କହୁଥିଲେ ହେଁ ଠିକ ସ୍ଥାନରେ କହିବା ପାଇଁ ସେମାନେ ଅସମର୍ଥ। ଯେଉଁମାନେ ନୟାଗଡ଼ରେ ମେଡିକାଲ କଲେଜ ହେବା ନିମନ୍ତେ ଭିତ୍ତିଭୂମି ନାହିଁ ବୋଲି କହୁଛନ୍ତି ସେମାନେ ବୁଝିବା ଦରକାର ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ଯଦି ବଲାଂଗୀ ପାର୍କ ଭଳି ବିଶ୍ୱସ୍ତରୀୟ ପାର୍କର ପରିକଳ୍ପନା ଏବଂ ସେ ଜଳମଗ୍ନ ଅବସ୍ଥାରେ ଥିବା ଜାଗାର ଅଧିଗ୍ରହଣ କରି ସହର ଉପକଣ୍ଠରେ ଜମି ଯୋଗେଇ ଦିଆଯାଉଛି ସେହି ସ୍ଥାନରେ କଣ ସମସ୍ତ ନୟାଗଡ଼ିଆଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ଏକ ମେଡିକାଲ କଲେଜ ନିମନ୍ତେ ଜମି ଅଧିଗ୍ରହଣ କରାଯାଇ ପାରିବ ନାହିଁ କି ?
ଏଇ ନିକଟରେ ଜଣେ ପ୍ରସୂତୀଙ୍କ ମୃତ୍ୟୁରେ ସାରା ନୟାଗଡ଼ ଆକ୍ରୋଶ ଭରା ପୋଷ୍ଟ କରୁଥିବା ସମୟରେ ତାର ଦୁଇଦିନ ମଧ୍ୟରେ ସବୁ ଥଣ୍ଡା ପଡିଗଲା, ବୋଧ ହୁଏ ଆମ ନୟାଗଡ଼ିଆ ଗୋଟେ ପରେ ଆଉ ଗୋଟିଏ ଅକାଳ ମୃତ୍ୟୁର ଅପେକ୍ଷାରେ ରହିଅଛନ୍ତି।
ନୟାଗଡରେ ହୁ ହୁ ବଢୁଥିବା କିଡନୀ ରୋଗୀଙ୍କ ତାଲିକା ମଧ୍ୟ ଜିଲ୍ଲା ପ୍ରଶାସନ ଓ ପ୍ରମୁଖ ଦଳର ରାଜନେତାମାନଙ୍କ ନିଦ ହଜେଇ ପାରିନାହିଁ କାରଣ ସେମାନଙ୍କ ଘରେ ନାମିଦାମୀ ୱାଟର ପିୟୁରିଫାୟାର ରହିଅଛି।
ହେ ମୋର ସାଧାରଣ ନୟାଗଡ଼ିଆ ତୁମେ ରାଜନେତାମାନଙ୍କ ହାତବାରିସି ହୁଅ ନାହିଁ। ସେମାନଙ୍କୁ ପ୍ରଶ୍ନ କର ଆମର ଉତ୍ତମ ସେବା କୁଆଡେ ଗଲା? ନୟାଗଡ଼ ମେଡିକାଲ କଲେଜ କୁଆଡେ ଗଲା? ପ୍ରଶ୍ନ ଅନେକ କିନ୍ତୁ ଏକ ହେବା ବଦଳରେ ବିଭିନ୍ନ ରାଜନୈତିକ ଝଣ୍ଡା ହିସାବରେ ଭାଗ ଭାଗ ହୋଇ ଆମ୍ଭେ ନୟାଗଡ଼ ମାଟି ପ୍ରତି ଯେଉଁ ଭାବ ଦେଖାଉଛେ? ମନେ ରଖନ୍ତୁ, ଆମ୍ଭ ଆଗାମୀ ପିଢ଼ି ତାକୁ ନେଇ ଆମ୍ଭକୁ ନିଶ୍ଚୟ ପ୍ରଶ୍ନ କରିବ।
ଆଜି ଏହି ସାମ୍ବାଦିକ ସମ୍ମିଳନୀ ପରେ \”ଜୟ ନୟାଗଡ଼ ଫାଉଣ୍ଡେସନ\” ତରଫରୁ ସାରା ନୟାଗଡ଼ ଜିଲ୍ଲାରେ ଦସ୍ତଖତ ଅଭିଯାନ, ପ୍ରତ୍ୟେକ ସ୍ଥାନରେ ମାଇକ ଦ୍ୱାରା ଲୋକଙ୍କୁ ସଚେତନ କରାଯିବା ସହ ସେଲ୍ଫି ପଏଣ୍ଟ କରି ସାମାଜିକ ଗଣମାଧ୍ୟମରେ ନୟାଗଡର ଦାବୀକୁ ପ୍ରକାଶ କରାଯିବ।
ଆସନ୍ତା ୨୯ ଜୁଲାଇ ୨୦୨୫ ମଙ୍ଗଳବାର ଦିନ ବିଜିପୁର ଠାରୁ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ନୟାଗଡ଼ିଆଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ।
ସଂଗଠନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦଙ୍କ ସଭାପତିତ୍ୱରେ ହୋଇଥିବା ଆଜିର ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ପ୍ରମୋଦ ପଟ୍ଟନାୟକ ,ସଂଗଠନର ସଂଯୋଜକ ଶ୍ରୀତମ କୁମାର ପ୍ରଧାନ ଓ ଅମ୍ଲାନ ଅଂଶୁମାନ ସାହୁ ,ଛାତ୍ର କଂଗ୍ରେସ ସଭାପତି ଶିବରଞ୍ଜନ ସାହୁ , ଜୀବନ ଜ୍ୟୋତି ପ୍ରକାଶ ରାଉତ ସମାଜସେବୀ ରଞ୍ଜନରଶ୍ମି ଜେନା , ମଲ୍ଲିକ ମହମ୍ମଦ ମୁବାସିର, ଅରବିନ୍ଦ ପାଢ଼ୀ ,ଅମନ କୁମାର ସାହୁ ,ଦିବ୍ୟ ରଞ୍ଜନ ସାହୁ, ପ୍ରକୃତି ବନ୍ଧୁ ଶ୍ରୀଧର ପ୍ରଧାନ, ଦୀପକ ବସନ୍ତୀଆ ,ଅନୁରାଗ ସ୍ୱାଇଁ ,ଶାଶ୍ୱତ ରଞ୍ଜନ ପ୍ରଧାନ ଆଦି ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031