Indus Valley Times

ନରେନ୍ଦ୍ର ମୋଦୀ ପୁଣି ଭାରତର ପ୍ରଧାନମନ୍ତ୍ରୀ ଓ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ: କାର୍ତ୍ତିକ ପାଣ୍ଡିଆନ

 Breaking News

ନରେନ୍ଦ୍ର ମୋଦୀ ପୁଣି ଭାରତର ପ୍ରଧାନମନ୍ତ୍ରୀ ଓ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ: କାର୍ତ୍ତିକ ପାଣ୍ଡିଆନ

ନରେନ୍ଦ୍ର ମୋଦୀ ପୁଣି ଭାରତର ପ୍ରଧାନମନ୍ତ୍ରୀ ଓ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ: କାର୍ତ୍ତିକ ପାଣ୍ଡିଆନ
March 19
16:44 2024

ଭୁବନେଶ୍ୱର,୧୯/୩:ନିର୍ବାଚନୀ ବିଗୁଲ ବାଜିବା ପରେ ବି ରାଜ୍ୟରେ ବିଜେଡି-ବିଜେପି ସମ୍ଭାବ୍ୟ ମେଂଟକୁ ନେଇ ଜାରି ରହିଥିବା ଚର୍ଚ୍ଚାକୁ ଆଜି ନୂଆମୋଡ଼ ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ। ଦେଶର ଦୁଇ ମହାନ ନେତା ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହାଁନ୍ତି । ଯାହାକି ରାଜନୀତିରୁ ଊର୍ଦ୍ଧ୍ୱରେ ଓ ଏହା ହିଁ ରାଷ୍ଟ୍ରନୀତି । ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ ବୋଲି ପାଣ୍ଡିଆନ କହିଛନ୍ତି । ଏହାସହିତ ସମ୍ଭାବ୍ୟ ମେଂଟ ଚର୍ଚ୍ଚାରେ ସାମାନ୍ୟ ସ୍ପଷ୍ଟତା ମଧ୍ୟ ସେ ଆଣିଛନ୍ତି।
ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଟିଭି ଚ୍ୟାନେଲ ଦ୍ୱାରା ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗ ଦେଇ ବିଜେଡିର ଦ୍ୱିତୀୟ କ୍ଷମତାଶାଳୀ ନେତା ଭିକେ ପାଣ୍ଡିଆନ ମେଂଟକୁ ନେଇ ସିଧାସଳଖ କିଛି ପ୍ରତିକ୍ରିୟା ରଖିନାହାନ୍ତି। ମାତ୍ର ମେଂଟକୁ ନେଇ ଏକପ୍ରକାର ସ୍ପଷ୍ଟ ଚିତ୍ର ଦେଇଛନ୍ତି । ମେଂଟକୁ ନେଇ ଯାହା କିଛି ହେବ ତାହା ସମସ୍ତେ ଜାଣିବା ବୋଲି କହିଛନ୍ତି । ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ନିର୍ବାଚନୀ ମେଂଟକୁ ନେଇ ଚାଲିଥିବା ଚର୍ଚ୍ଚା ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖି ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟରେ ବିଜେଡିକୁ ନିର୍ବାଚନୀ ଗଣିତ ପାଇଁ ବିଜେପିର ଆବଶ୍ୟକତା ନାହିଁ । ସେହିପରି କେନ୍ଦ୍ରରେ ମଧ୍ୟ ସରକାର ଗଢ଼ିବା ପାଇଁ ବିଜେପିକୁ ବିଜେଡିର ସହଯୋଗ ଦରକାର ବୋଲି ସେ ଭାବୁନାହାନ୍ତି। ନବୀନ ପଟ୍ଟନାୟକଙ୍କୁ ପୁଣିଥରେ କ୍ଷମତାକୁ ଫେରିବା ଓ ଲୋକଙ୍କ ସେବା କରିବା ପାଇଁ ମେଂଟର ଆବଶ୍ୟକତା ନାହିଁ।
ବିଜେଡି କ୍ରମାଗତ ଭାବେ ରାଜ୍ୟରେ ତିନିଚତୁର୍ଥାଂଶ ଆସନ ଜିତିବାରେ ସକ୍ଷମ ହେଉଛି । ଗତ ପଂଚାୟତ ନିର୍ବାଚନରେ ୯୦ ପ୍ରତିଶତ ଆସନ ବିଜେଡିକୁ ମିଳିଥିଲା। ବିଜେପିକୁ ମାତ୍ର ୫ ପ୍ରତିଶତ ମିଳିଥିଲା । ନବୀନ ପଟ୍ଟନାୟକ ସର୍ବାଧିକ ଲୋକପ୍ରିୟ ନେତା । ରାଜ୍ୟରେ ସରକାର ଗଢ଼ିବା ପାଇଁ ବିଜେଡିକୁ କାହା ସହ ମେଂଟ କରିବାର ଆବଶ୍ୟକତା ନାହିଁ । ସେହିପରି ସମସ୍ତ ସର୍ଭେ କହୁଛି କେନ୍ଦ୍ରରେ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ । କେନ୍ଦ୍ରରେ ବିଜେପିକୁ ସରକାର ଗଢ଼ିବା ପାଇଁ ବିଜେଡିର ସହାୟତା ଦରକାର ପଡ଼ିବ ନାହିଁ । ତେଣୁ ନିର୍ବାଚନୀ ଗଣିତ ପାଇଁ ବିଜେଡି କିମ୍ବା ବିଜେପି ଉଭୟଙ୍କୁ ମେଂଟର ଆବଶ୍ୟକତା ନାହିଁ।
ତେବେ ଦୁଇ ମହାନ ନେତା(ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକ) ବୃହତ୍ତର ଉଦ୍ଦେଶ୍ୟ ପାଇଁ ଏକାଠି ହେବାକୁ ଚାହୁଁଛନ୍ତି । ଦୁଇ ମହାନ ବ୍ୟକ୍ତିଙ୍କର ରାଷ୍ଟ୍ରନୀତି ଦୃଷ୍ଟିରୁ ଗୁରୁତ୍ୱ ରହିଛି । ଏହା ସହ ରାଜନୀତିର କୌଣସି ଦେଣନେଣ ନାହିଁ । ଏହାର ଭୋଟ୍ ଉଦ୍ଦେଶ୍ୟ ଉଭୟ ବିଜେଡି କିମ୍ବା ବିଜେପି ପାଇଁ ମଧ୍ୟ ନାହିଁ । ତେଣୁ ଏହା ଦୁଇ ବ୍ୟକ୍ତିଙ୍କର ପରସ୍ପର ମଧ୍ୟରେ ଥିବା ବନ୍ଧୁତ୍ୱ । ଯାହାକି ରାଜନୀତିରୁ ଊର୍ଦ୍ଧ୍ୱରେ। ଯାହାକି ବିରଳ ରାଷ୍ଟ୍ରନୀତି।
ସେ ନବୀନ ପଟ୍ଟନାୟକଙ୍କୁ ନିଜର ଗୁରୁ ବୋଲି ଅଭିହିତ କରିବା ସହ ତାଙ୍କର ଅନୁଗାମୀ ଭାବେ ତାଙ୍କୁ ସହାୟତା କରିବା ପାଇଁ ରାଜନୀତିରେ ସାମିଲ ହୋଇଥିବା କହିଛନ୍ତି । ରାଜ୍ୟରେ ନବୀନ ପଟ୍ଟନାୟକ ସରକାର ଏବେ ‘ଧାର୍ମିକ ଗଭର୍ଣ୍ଣାନ୍ସ’ରେ ବିଶ୍ୱାସ କରୁଛନ୍ତି । ତେଣୁ ସବୁ ଧର୍ମର ଲୋକଙ୍କ ବିଶ୍ୱାସ ସହ ଜଡ଼ିତ ଉପାସନାସ୍ଥଳୀର ପୁନରୁଦ୍ଧାର ଉପରେ ମୁଖ୍ୟମନ୍ତ୍ରୀ କାର‌୍ୟ୍ୟ କରୁଛନ୍ତି । ହିନ୍ଦୁ, ମୁସଲିମ, ଖ୍ରୀଷ୍ଟିୟାନ, ଶିଖ୍ ଏପରିକି ଆଦିବାସୀଙ୍କ ପୂଜାସ୍ଥଳୀର ବିକାଶ ଦିଗରେ ସରକାର ପଦକ୍ଷେପ ନେଇଛନ୍ତି । ନବୀନ ପଟ୍ଟନାୟକ ସରକାର ସ୍ପିରିଚୁଆଲ ଗଭର୍ଣ୍ଣାନ୍ସରେ ବିଶ୍ୱାସ କରନ୍ତିି । ନବୀନଙ୍କ ପାଇଁ ଲୋକଙ୍କ ସେବା ହେଉଛି ଗୁରୁତ୍ୱପୂର୍ଣ୍ଣ ଓ ସେ ସର୍ବଦା ସେ ଦିଗରେ କାର‌୍ୟ୍ୟ କରିଥାନ୍ତି ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।
ତେବେ ମେଂଟକୁ ନେଇ ଯାହା ହେବ ତାହା ସମସ୍ତେ ଜାଣିବା ବୋଲି କହି ମେଂଟ ସସପେନ୍ସକୁ ପାଣ୍ଡିଆନ ଜାରି ରଖିବାକୁ ପ୍ରୟାସ କରିଛନ୍ତି।
ଅନ୍ୟପକ୍ଷରେ ଆଜି ବିଜେପିର ବରିଷ୍ଠ ବିଧାୟକ ପ୍ରଦୀପ କୁମାର ନାଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି । ବିଜେପି ଏକାକୀ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛି । ସେଥିପାଇଁ ଗାଁକୁ ଚାଲ, ବୁଥକୁ ଚାଲ୍ ଭଳି ଅଭିଯାନ କରୁଛି। ନିଜେ ପ୍ରସ୍ତୁତ ନଥିଲେ କୌଣସି ସ୍ତରରେ ମେଂଟ ହେଲେ ଆଲୋଚନା କରିହେବ ନାହିଁ । ମେଂଟ ନିଷ୍ପତ୍ତି ରାଜ୍ୟ ଶାଖା କରିପାରିବ ନାହିଁ । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ହିଁ ଚାହିଁଲେ ମେଂଟ ହୋଇପାରେ । ରାଜ୍ୟ ଯାହା ସ୍ଥିର କରିଛି ତାହା କେନ୍ଦ୍ରକୁ ଜଣାଇବାର ଆବଶ୍ୟକତା ଅଛି । ମେଂଟ ସମ୍ପର୍କରେ କିଛି କହିବାର ଅଧିକାର ମୋର ନାହିଁ । ରାଷ୍ଟ୍ରୀୟ ସଭାପତି ଓ ରାଜ୍ୟ ସଭାପତି ଯାହା କରିପାରିବେ ବୋଲି ଶ୍ରୀ ନାଏକ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଗତ ୧୫ଦିନ ଧରି ଜୋରସୋରରେ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଉଭୟ ଦଳର ଶୀର୍ଷ ନେତୃତ୍ୱ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ ଚିତ୍ର ରଖିବାରେ ସକ୍ଷମ ହୋଇନାହାନ୍ତି। ଯେଉଁଥିପାଇଁ ମେଂଟକୁ ନେଇ ଉଭୟ ଦଳର ନେତା ଓ କର୍ମୀ ଦ୍ୱନ୍ଦ୍ୱରେ ରହିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031