Indus Valley Times

ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା

 Breaking News

ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା

ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
December 22
20:28 2024

ଭୁବନେଶ୍ୱର,୨୨/୧୨ : ଗୋଟିଏ ଲଘୁଚାପର ପ୍ରଭାବ ଏଯାଏଁ ସଂପୂର୍ଣ୍ଣ ସମାପ୍ତ ହୋଇନଥିବା ବେଳେ ଆସିଛି ଆଉ ଏକ ଲଘୁଚାପ। ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଦୁଇ ତିନି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପୁଣି ହୋଇପାରେ ବର୍ଷା। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ ଯୋଗେ ଦେଇଛନ୍ତି ଏହି ସୂଚନା।
ଶ୍ରୀ ଦାସ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗତି କରି ଆଗାମୀ ୨୪ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର ତାମିଲନାଡୁ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟସ୍ଥ ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଓଡ଼ିଶା ଉପରେ ଏକ ପୂର୍ବଳୀ ନିମ୍ନଚାପ ରେଖା ସୃଷ୍ଟି ସମ୍ଭାବନା ହେତୁ ଦକ୍ଷିଣ-ପୂର୍ବ ଦିଗରୁ ଜଳୀୟ ବାଷ୍ପ ପୂର୍ଣ୍ଣ ସାମୁଦ୍ରିକ ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବା ସହ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାରେ ମେଘୁଆ ଆକାଶ ସହ ବର୍ଷାର ସମ୍ଭାବନା ରହିଛି।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବର୍ଷା ପୂର୍ବାନୁମାନ ନେଇ କରାଯାଇଥିବା ଏକ୍ସ ପୋଷ୍ଟରେ କୁହାଯାଇଛି ଯେ ୨୪ ତାରିଖ ସକାଳ ସାଢ଼େ ୮ଟା ପର‌୍ୟ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ବର୍ଷା ହେବା ସମ୍ଭାବନା ନାହିଁ। ତେବେ ୨୪ ତାରିଖ ସକାଳ ସାଢ଼େ ୮ଟାରୁ ୨୫ ତାରିଖ ସକାଳ ସାଢ଼େ ଆଠଟା ପର‌୍ୟ୍ୟନ୍ତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ୨୫ ତାରିଖ ସକାଳ ସାଢ଼େ ୮ଟାରୁ ୨୬ ତାରିଖ ସକାଳ ସାଢ଼େ ୮ଟା ପର‌୍ୟ୍ୟନ୍ତ ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
ଅନ୍ୟପକ୍ଷରେ ଆଜି ରାତି, ଆସନ୍ତାକାଲି ସକାଳ ଓ ରାତି ଏବଂ ୨୪ ତାରିଖ ସକାଳେ କଳାହାଣ୍ଡି, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆଗାମୀ ତିନି ଦିନରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ ଡିଗ୍ରୀ ସେଲ୍‌ସିୟସ ହ୍ରାସ ପାଇବାର ସମ୍ଭାବନା ଥିବା ବେଳେ ତା’ପରେ ସେମିତି କିଛି ବଡ଼ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ‘ଏକ୍ସ’ ଯୋଗେ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31