Indus Valley Times

ଯାଜପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

 Breaking News

ଯାଜପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

December 27
19:43 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୨୭/୧୨ : ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମିତିର ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଦ୍ରୁତ ଗତିରେ ଗାଡ଼ି ଚାଳନା, ମଦ୍ୟ ପାନ କରି ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା, ମୋବାଇଲରେ କଥା ହୋଇ ଗାଡ଼ି ଚଲାଇବା ଇତ୍ୟାଦି ଦୁର୍ଘଟଣାର ମୁଖ୍ୟ କାରଣଗୁଡ଼ିକୁ ରୋକିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ନାବାଳକ ତଥା ବିନା ଲାଇସେନ୍ସରେ ସ୍କୁଲ ପିଲାଙ୍କ ଗାଡି ଚାଳନାକୁ ରୋକିବା ସହ ଏଦିଗରେ ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଶିକ୍ଷା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ପୋଲିସ୍ ଓ ପରିବହନ ବିଭାଗର ମିଳିତ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ କର କହିଥିଲେ ଏବଂ ଆବଶ୍ୟକ ସ୍ଥଳେ ଆଇନ ଅମାନ୍ୟକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ କଠୋର ନିର୍ଦ୍ଦେଶ ଦେଇଥିଲେ।
ଜାତୀୟ ରାଜପଥରେ ମିଳିତ କାର୍ଯ୍ୟାନୁଷ୍ଠାନ ଓ ପାଟ୍ରୋଲିଂକୁ ଜିଲ୍ଲାପାଳ ଅଧିକ ଗୁରୁତ୍ବ ଦେଇଥିଲେ। ଏହାସହ ସଡ଼କ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।
ଏହି କ୍ରମରେ ଜାତୀୟ ରାଜପଥରେ ଅନଧିକୃତ ମେଡିଆନ କ୍ରସିଂ ବନ୍ଦ କରାଯାଇଛି ଏବଂ ସତର୍କ ସୂଚନା ଫଳକ ମଧ୍ୟ ସ୍ଥାପନ କରାଯାଇଛି।
ଆରଟିଓଙ୍କ ପକ୍ଷରୁ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯାଇ ଆଇନ ଅମାନ୍ୟକାରୀଙ୍କୁ ଦଣ୍ଡିତ କରାଯାଇଛି। ଚଳିତ ବର୍ଷ ସେପ୍ଟେମ୍ୱରରୁ ନଭେମ୍ବର ମାସ ମଧ୍ୟରେ ଯାଜପୁରରେ ୧୮୬ ଏବଂ ଚଣ୍ଡିଖୋଲରେ ୧୦୭ ଜଣ ସଡ଼କ ନିୟମ ଉଲଂଘନ କରିଥିବା ବ୍ୟକ୍ତିଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ରବ୍ଦ କରାଯାଇଛି।
ମଦ୍ୟପାନ କରି ଗାଡ଼ି ଚଲାଇବା ଯାଞ୍ଚ ପାଇଁ ଅଧିକ ବ୍ରିଥ ଆନାଲାଇଜର ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଏହାସହ ଆଗକୁ ନୂଆ ବର୍ଷ ଏବଂ ଜିରୋ ନାଇଟ ଉତ୍ସବ ଥିବାରୁ, ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ଟେଷ୍ଟକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ଶ୍ରୀ କର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ, ଯାଜପୁର ଏବଂ ଚଣ୍ଡିଖୋଲର ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ, ଏନଏଚଏଆଇ ଅଧିକାରୀ, ଅବକାରୀ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ।ଆଗକୁ ସଡ଼କ ସୁରକ୍ଷା ମାସ ପାଳନ ପାଇଁ ରହିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା।
ଆସନ୍ତା ଜାନୁଆରୀ ମାସକୁ ସଡ଼କ ସୁରକ୍ଷା ମାସ -୨୦୨୬ ପାଇଁ ସଚେତନତା ରଥ, ବ୍ୟାନର, ହୋଡ଼ିଂ ଲାଗିବା ସହ ସଡ଼କ ସୁରକ୍ଷା ଆଧାରିତ କୁଇଜ୍, ବକ୍ତୃତା, କର୍ମଶାଳା, ପୋଷ୍ଟର ଡିଜାଇନ୍ ଇତ୍ୟାଦି ଆୟୋଜିତ ହେବ।
ଏହାସହ ଜନସାଧାରଣଙ୍କ ସଚେତନତା ପାଇଁ ୱାକାଥନ୍ ମଧ୍ୟ ଆୟୋଜିତ ହେବ। ଗାଡ଼ି ଚାଳକମାନଙ୍କ ପାଇଁ ଚକ୍ଷୁ ପରୀକ୍ଷା ଶିବିର, ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ।
ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଡ଼କ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଗୁଡ଼ ସାମାରିଟନ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ନେଇ ଯୋଜନା ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031