Indus Valley Times

ସମାଜର ଜ୍ୱଳନ୍ତ ପ୍ରଶ୍ନକୁ ନେଇ ଚିନ୍ତାଶୀଳ ପ୍ରବନ୍ଧ ପୁସ୍ତକ ‘ସ୍ୱାଧୀନ ଜିଜ୍ଞାସା’ ଲୋକାର୍ପିତ

 Breaking News

ସମାଜର ଜ୍ୱଳନ୍ତ ପ୍ରଶ୍ନକୁ ନେଇ ଚିନ୍ତାଶୀଳ ପ୍ରବନ୍ଧ ପୁସ୍ତକ ‘ସ୍ୱାଧୀନ ଜିଜ୍ଞାସା’ ଲୋକାର୍ପିତ

ସମାଜର ଜ୍ୱଳନ୍ତ ପ୍ରଶ୍ନକୁ ନେଇ ଚିନ୍ତାଶୀଳ ପ୍ରବନ୍ଧ ପୁସ୍ତକ ‘ସ୍ୱାଧୀନ ଜିଜ୍ଞାସା’ ଲୋକାର୍ପିତ
September 24
19:25 2026

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
ଭୁବନେଶ୍ୱର, ୨୪/୯ : ବିଶିଷ୍ଟ ସ୍ତମ୍ଭକାର ତଥା ସାମାଜିକ ବିଶ୍ଳେଷକ ଡ. ସ୍ୱାଧୀନ କୁମାର ଦାଶଙ୍କ ରଚିତ ପ୍ରବନ୍ଧ ବହି ‘ସ୍ୱାଧୀନ ଜିଜ୍ଞାସା’ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ଲୋକାର୍ପିତ ହୋଇଯାଇଛି।
ଏହି ଲୋକାର୍ପଣ ସମାରୋହରେ ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ଲେଖକ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ଉଦଘାଟକ ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ ତଥା ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପଢ଼ିଆରୀ ଯୋଗଦାନ କରିଥିଲେ।
ସେହିପରି ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ବିରୂପାକ୍ଷ ତ୍ରିପାଠୀ ବରେଣ୍ୟ ମୁଖ୍ୟବକ୍ତା, ‘ଓଡ଼ିଶା ଭାସ୍କର’ର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ଏବଂ ବରିଷ୍ଠ ପ୍ରଶାସକ ଶ୍ରୀଯୁକ୍ତ ମାନସ ରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଓଡ଼ିଶା ସାମ୍ବାଦିକ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରସନ୍ନ ମହାନ୍ତି ସମାରୋହରେ ସଭାପତିତ୍ୱ କରିଥିଲେ।
ପୁସ୍ତକଟିରେ ସମାଜର ବିଭିନ୍ନ ଜ୍ୱଳନ୍ତ ସମସ୍ୟା ସହ ଶିକ୍ଷା, ଗଣତନ୍ତ୍ର, ପ୍ରଶାସନିକ ବ୍ୟବସ୍ଥା, ନାରୀ ସମ୍ମାନ, ଯୁବପିଢ଼ିର ଭବିଷ୍ୟତ, ମାନବିକ ମୂଲ୍ୟବୋଧ, ଧର୍ମ, ସଂସ୍କୃତି ଓ ସାଧାରଣ ଲୋକଙ୍କ ଅଧିକାର ସମ୍ପର୍କିତ ବିଭିନ୍ନ ଚିନ୍ତନଶୀଳ ପ୍ରବନ୍ଧ ସ୍ଥାନ ପାଇଛି।
ସାମାଜିକ ସମସ୍ୟାଗୁଡ଼ିକୁ କେବଳ ଉପସ୍ଥାପନ କରିବା ନୁହେଁ, ସେଗୁଡ଼ିକର ସମାଧାନ ଦିଗରେ ପାଠକଙ୍କ ମନରେ ପ୍ରଶ୍ନ, ଚିନ୍ତନ ଓ ସଚେତନତା ସୃଷ୍ଟି କରିବା ପୁସ୍ତକର ମୂଳ ଉଦ୍ଦେଶ୍ୟ ବୋଲି ଲେଖକ ଡ. ଦାଶ ପ୍ରକାଶ କରିଥିଲେ।
ସମାରୋହରେ ବକ୍ତାମାନେ ପୁସ୍ତକର ବିଷୟବସ୍ତୁ, ଲେଖକଙ୍କ ସାମାଜିକ ଦାୟିତ୍ୱବୋଧ ଓ ନିର୍ଭୀକ ଲେଖନୀ ସମ୍ପର୍କରେ ଆଲୋଚନା କରିଥିଲେ। ସମାଜର ବିଭିନ୍ନ ବିସଙ୍ଗତି ଉପରେ ପ୍ରଶ୍ନ ଉଠାଇବା ସହ ତାହାର ସମାଧାନ ପାଇଁ ବୌଦ୍ଧିକ ଚିନ୍ତନର ଆବଶ୍ୟକତା ରହିଛି ବୋଲି ସେମାନେ ମତ ଦେଇଥିଲେ। ‘ସ୍ୱାଧୀନ ଜିଜ୍ଞାସା’ ସମକାଳୀନ ସମାଜର ବାସ୍ତବ ଚିତ୍ର, ସାଧାରଣ ମଣିଷର ସ୍ୱର ଓ ସମୟର ପ୍ରଶ୍ନକୁ ପ୍ରତିଫଳିତ କରୁଥିବା ଏକ ଚିନ୍ତନଧର୍ମୀ ପୁସ୍ତକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଲେଖକ ଡ. ସ୍ୱାଧୀନ କୁମାର ଦାଶ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘ସ୍ୱାଧୀନ ଜିଜ୍ଞାସା’ କେବଳ ଏକ ପୁସ୍ତକ ନୁହେଁ; ସମୟ, ସମାଜ ଓ ସାଧାରଣ ମଣିଷକୁ ନେଇ ତାଙ୍କ ମନରେ ସୃଷ୍ଟି ହୋଇଥିବା ପ୍ରଶ୍ନ, ଅନୁଭବ ଓ ଅନୁଭୂତିର ଏକ ସଂକଳନ। ପୁସ୍ତକଟି ପାଠକଙ୍କୁ ପ୍ରଶ୍ନ କରିବା, ଚିନ୍ତା କରିବା ଏବଂ ଏକ ସୁସ୍ଥ ସମାଜ ଗଠନ ଦିଗରେ ନିଜ ଭୂମିକା ସମ୍ପର୍କରେ ଆତ୍ମସମୀକ୍ଷା କରିବାକୁ ପ୍ରେରିତ କଲେ ତାଙ୍କ ଲେଖକୀୟ ପ୍ରୟାସ ସାର୍ଥକ ହେବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930