Indus Valley Times

ସୋମବାରଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ, ସ୍ବାଭାବିକ ହେବ ଇଣ୍ଟରନେଟ୍ ସେବା

 Breaking News

ସୋମବାରଠାରୁ ବାଲେଶ୍ବରରେ ଖୋଲିବ ସ୍କୁଲ, ସ୍ବାଭାବିକ ହେବ ଇଣ୍ଟରନେଟ୍ ସେବା

June 23
21:27 2024

ବାଲେଶ୍ୱର, ୨୩/୬ : ଗୋଷ୍ଠୀ ସଂଘର୍ଷକୁ ନେଇ ବାଲେଶ୍ୱର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ।
ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ। ଆସନ୍ତାକାଲି ପୌରାଞ୍ଚଳରେ ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ। ଅନ୍ୟପଟେ ଲାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆସନ୍ତାକାଲି ଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।
ଘଟଣାରେ ମୋଟ ୨୯ ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ସଂଖ୍ୟା ୮୯ ପହଞ୍ଚଛି। ସେପଟେ କୌଣସି ଗୁଜବ ପ୍ରଚାର, ଶୋସାଆଲ ମିଡିଆ ପୋଷ୍ଟ ଉପରେ ନଜର ରଖିଛି ସାଇବର ଟିମ୍।
ଜଣେ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଏସପି ସାଗରିକା ନାଥ। ଯେଉଁ ବ୍ୟକ୍ତି ଏଭଳି ଗୁଜବ ପ୍ରଚାର କରିବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା ନାଥ କହିଛନ୍ତି।
ଘଟଣାଟି ହେଉଛି ୧୭ ତାରିଖ ସୋମବାର ବାଲେଶ୍ୱର ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।
ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ। ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଥିଲା।
ବିଳମ୍ବିତ ରାତିରେ ମଧ୍ୟ ସୁଏଲପୁର ଓ ଦପ୍ତରସାହିର ଅଞ୍ଚଳର କିଛି ସ୍ଥାନରେ ଗାଡ଼ି ଭଙ୍ଗାରୁଜା ଓ ଦୋକାନ ଆସବାବପତ୍ରରେ ନିଆଁ ଲଗାଯିବା ଭଳି ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ପରସ୍ପରକୁ ଢେଲା ପଥର ମାଡ଼ କରିଥିଲେ।
ଢେଲା ପଥର ମାଡ଼ରେ ସାଧାରଣ ଜନତା, ପୁଲିସ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଥିଲେ। ଏହାପରେ ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031