Indus Valley Times

୧୨୫ ବର୍ଷର ଗୌରବମୟ ଯାତ୍ରା : ଐତିହ୍ୟର ସ୍ମୁତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ ; ପୂର୍ତ୍ତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

 Breaking News

୧୨୫ ବର୍ଷର ଗୌରବମୟ ଯାତ୍ରା : ଐତିହ୍ୟର ସ୍ମୁତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ ; ପୂର୍ତ୍ତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଜୋରଦାର

୧୨୫ ବର୍ଷର ଗୌରବମୟ ଯାତ୍ରା : ଐତିହ୍ୟର ସ୍ମୁତି ବହନ କରୁଛି ବିଜେବି ଉଚ୍ଚ ବିଦ୍ୟାଳୟ ; ପୂର୍ତ୍ତି ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଜୋରଦାର
September 27
20:21 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୭/୯ :ଶିକ୍ଷା କେବଳ ଜ୍ଞାନ ଆହରଣର ମାଧ୍ୟମ ନୁହେଁ, ଏହା ଏକ ଜାତିର ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶର ମୂଳଦୁଆ।
ଏହି ମହତ୍ତ୍ୱପୂର୍ଣ୍ଣ ଆଦର୍ଶକୁ ପାଥେୟ କରି ଦୀର୍ଘ ବର୍ଷ ଧରି ଶିକ୍ଷାର ଆଲୋକ ବିତରଣ କରିଆସୁଛି ଖୋରଧାର ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ଉଚ୍ଚ ବିଦ୍ୟାଳୟ। ଅତୀତର ଗୌରବମୟ ଇତିହାସ, ସମୃଦ୍ଧ ଶିକ୍ଷାଦାନର ପରମ୍ପରା ଓ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସ୍ମୃତିକୁ ନେଇ ଏହି ଶିକ୍ଷାନୁଷ୍ଠାନ ଆଜି ଖୋରଧା ମାଟିର ଏକ ଅନନ୍ୟ ପରିଚୟ ହୋଇ ରହିଛି।
ଏହି ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ସହ ବିଦ୍ୟାଳୟର ଐତିହ୍ୟକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ୧୨୫ତମ ପୂର୍ତ୍ତି ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି।
ଏହି ଐତିହାସିକ ଉତ୍ସବର ଆୟୋଜନ, କାର୍ଯ୍ୟକ୍ରମ ଓ ବିଦ୍ୟାଳୟର ଭବିଷ୍ୟତ ଯୋଜନା ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇବା ପାଇଁ ରବିବାର ବିଦ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ଓ ବିଦ୍ୟାଳୟ କମିଟିର ମିଳିତ ଆନୁକୂଲ୍ୟରେ ଏହି ପୂର୍ତ୍ତି ଉତ୍ସବ ପାଳନ କରାଯିବାକୁ ସ୍ଥିର ହୋଇଛି। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ଏକ ଐତିହାସିକ ଶିକ୍ଷାନୁଷ୍ଠାନର ଅବଦାନକୁ ସ୍ମରଣ କରିବା ସହ ଏହାର ଭବିଷ୍ୟତ ଦିଗ ନିର୍ଦ୍ଧାରଣ କରିବାର ଏକ ସୁଯୋଗ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।
ଉପଲବ୍ଧ ତଥ୍ୟ ଅନୁଯାୟୀ, ୧୮୯୬ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଇତିହାସ ୧୮୪୪ ମସିହାରୁ ଆରମ୍ଭ ହୋଇଥିବା କୁହାଯାଏ। ଦୀର୍ଘ ଶିକ୍ଷାଦାନର ଏହି ପରମ୍ପରା ଖୋର୍ଦ୍ଧା ଅଞ୍ଚଳର ଶିକ୍ଷାଗତ ବିକାଶ ସହ ଗଭୀର ଭାବେ ଜଡ଼ିତ। ବିଭିନ୍ନ ସମୟରେ ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷାଲାଭ କରି ଅନେକ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।
ଶିକ୍ଷା, ସାହିତ୍ୟ, ସଂସ୍କୃତି, ପ୍ରଶାସନ, ନ୍ୟାୟିକ ସେବା ଓ ଐତିହାସିକ ଗବେଷଣା ଆଦି କ୍ଷେତ୍ରରେ ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ଅବଦାନ ଏହାର ଗୌରବକୁ ଆହୁରି ବୃଦ୍ଧି କରିଛି। ବିଦ୍ୟାଳୟର ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ସ୍ରଷ୍ଟା ଡକ୍ଟର ମାୟାଧର ମାନସିଂହ, ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚି ରାଉତରାୟ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ବିଚାରପତି ଯୁଗଳ କିଶୋର ମହାନ୍ତି, କୁଳପତି ବୈଦ୍ୟନାଥ ମିଶ୍ର, ବ୍ରିଗେଡିୟର ଡକ୍ଟର ବାସୁଦେବ ରାଉତରାୟ ଓ ଐତିହାସିକ କେଦାରନାଥ ମହାପାତ୍ରଙ୍କ ଭଳି ବହୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ରହିଛନ୍ତି।
ଏହି ବରପୁତ୍ରମାନେ ନିଜ ନିଜ କର୍ମକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରିଛନ୍ତି। ସେମାନଙ୍କ ଜୀବନ, ସାଧନା ଓ କୃତିତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ। ଏହି ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହ ବିଦ୍ୟାଳୟର ସମ୍ପର୍କ ଏହାର ଐତିହାସିକ ମହତ୍ତ୍ୱକୁ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି।
ପୂର୍ତ୍ତି ଉତ୍ସବ ଅବସରରେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସ୍ମରଣ କରିବା ସହ ସେମାନଙ୍କ ଆଦର୍ଶକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯିବ। ଏହାଦ୍ୱାରା ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ନୂତନ ପିଢ଼ି ଅବଗତ ହେବା ସହ ନିଜ ଜୀବନରେ ଉଚ୍ଚ ଆଦର୍ଶ ଓ ମୂଲ୍ୟବୋଧକୁ ଆପଣାଇବା ପାଇଁ ପ୍ରେରିତ ହୋଇପାରିବେ।
ପୂର୍ତ୍ତି ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ତିନି ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ। ଏହି ତାଲିକାରେ ରହିଛନ୍ତି ଜ୍ଞାନପୀଠ ପୁରସ୍କାର ବିଜେତା ସ୍ୱର୍ଗତ ସଚ୍ଚି ରାଉତରାୟ, ଓଡ଼ିଆ ସାହିତ୍ୟ ଓ ନାଟ୍ୟ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଏବଂ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟକ।
ବିଦ୍ୟାଳୟର ପୂର୍ତ୍ତି ଉତ୍ସବକୁ ଆହୁରି ସ୍ମରଣୀୟ କରିବା ପାଇଁ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରଦତ୍ତ ଶହେ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସ୍ମାରକୀ ଜାତୀୟ ପତାକା ସ୍ଥାପନ କରାଯିବ। ଜାତୀୟ ଏକତା, ଦେଶପ୍ରେମ ଓ ଗର୍ବର ପ୍ରତୀକ ତ୍ରିରଙ୍ଗା ବିଦ୍ୟାଳୟ ପରିସରରେ ସ୍ଥାପିତ ହେବା ଏହି ଉତ୍ସବର ଅନ୍ୟତମ ପ୍ରମୁଖ ଆକର୍ଷଣ ହେବ।
ଏହି ଉତ୍ସବ ଅବସରରେ ବିଦ୍ୟାଳୟର ଇତିହାସ, ଶିକ୍ଷାଦାନର ପରମ୍ପରା, ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀଙ୍କ ଜୀବନୀ ଓ ଅବଦାନକୁ ନେଇ ଏକ ସ୍ମରଣିକା ପ୍ରକାଶନ ଓ ଉନ୍ମୋଚନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ପୂର୍ତ୍ତି ଉତ୍ସବର ବିଭିନ୍ନ କାର୍ଯ୍ୟକ୍ରମ, ଆୟୋଜନର ଉଦ୍ଦେଶ୍ୟ ଓ ବିଦ୍ୟାଳୟର ଭବିଷ୍ୟତ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ଉତ୍ସବର ବ୍ୟାପକ ପ୍ରଚାରପ୍ରସାର କରିବା ସହ ଏହାକୁ ସଫଳ କରିବାରେ ସହଯୋଗ କରିବାକୁ ଆୟୋଜକଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା।
ଜୟନ୍ତୀ କମିଟିର ଗଣମାଧ୍ୟମ ସଂଯୋଜକ ଉମାଶଙ୍କର ପ୍ରସାଦ କହିଛନ୍ତି ଯେ, ବିଦ୍ୟାଳୟର ୧୨୫ତମ ପୂର୍ତ୍ତି ଉତ୍ସବକୁ ସଫଳତାର ସହ ପାଳନ କରିବା ସହ ଏହାର ଗୌରବମୟ ଐତିହ୍ୟ, ଶିକ୍ଷାଦାନର ପରମ୍ପରା ଓ ବରପୁତ୍ରମାନଙ୍କ ଅବଦାନକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବା ହେଉଛି ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଉତ୍ସବ ବିଦ୍ୟାଳୟର ଅତୀତକୁ ସ୍ମରଣ କରିବା ସହ ଭବିଷ୍ୟତର ଉନ୍ନତି ପାଇଁ ଏକ ନୂତନ ପ୍ରେରଣା ଯୋଗାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କୁମାର ଦାଶ, ପ୍ରମୋଦ ରାୟ, ଗୋପାଳ କୃଷ୍ଣ ଦାସ, ଦେବ ପ୍ରସାଦ ମଜୁମଦାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930