Indus Valley Times

୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

 Breaking News

୭୫ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

August 16
20:34 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୧୬/୮ : ବୌଦ୍ଧ ସଦର ମହକୁମାସ୍ଥିତ ପ୍ୟାରେଡ ପଡିଆଠାରେ ରବିବାର ୭୫ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଅନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ଜନତାଙ୍କୁ ଉଦବୋଧନ ଦେଇ ବୌଦ୍ଧଜିଲ୍ଲାକୁ ସଂପୂର୍ଣ୍ଣ ନିଶାମୁକ୍ତ କରିବା ବିଷୟରେ ସୂଚାଇବା ସହ ସମ୍ମଳିତ ଜନତାଙ୍କୁ ଶପଥ ପାଠ କରାଇଥିଲେ ।
ପ୍ୟାରେଡରେ ୫ମ ଆଇଆରବି ବାଟାଲିୟନ, ଏପିଆର, ଜିଲ୍ଲା ପୋଲିସ, ଆଇଆରବି ବ୍ୟାଣ୍ଡ କଣ୍ଟିଜେନ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡକୁ ରିଜର୍ଭ ଇନିସପେକ୍ଟର ମଧୁସୁଦନ ମହାପାତ୍ର ପରିଚାଳନା କରିଥିବା ବେଳେ ସର୍ଜେଣ୍ଟ ଦୁଷମନ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।
ପ୍ରାତଃରେ ଡିଆଇପିଆରଓଙ୍କ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସହରସାରା ରାମଧୂନ, ସକାଳ ୭ ଟାରେ ସରକାରୀ, ବେସରକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ, ସକାଳ ୮ଟାରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ, ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ, ହାଇସ୍କୁଲ ଦଶମ ଶ୍ରେଣୀ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ପଲ୍ଲିବିକାଶ ହାଇସ୍କୁଲ ଲୁଣିବାହଲର ମଧୁସୂଦନ ପ୍ରଧାନଙ୍କୁ ସମାଜସେବୀ ମାତାଦିନ ଅଗ୍ରୱାଲା, ଏବଂ ତାଙ୍କ ଧର୍ମପତ୍ନୀ ଗୋଦାବରୀ ଦେବୀ ଅଗ୍ରୱାଲାଙ୍କ ତରଫରୁ ମେଧାଛାତ୍ର ବୃତ୍ତି ବାବଦକୁ ଦଶ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ ସହ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କୋଭିଡ ମହାମାରୀ ସମୟରେ କୋଭିଡରେ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ଦାହ ସମ୍ମାନ ସହ ସଂପୂର୍ଣ୍ଣ କରିଥିବା କରୋନା ଯୋଦ୍ଧା,କରୋନା ସମୟରେ ଘରକୁ ଘର ବୁଲି କକୋଭିଡ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ଆରଆରଟି, ଶ୍ରେଷ୍ଠ ରକ୍ତଦାତା ଭାବରେ ସଂଜୟ ପଣ୍ଡା,ଦେବାଶିଷ ପୁରୋହିତ, ଓଡିଶା ମୋ ପରିବାର ପକ୍ଷରୁ ଜିଲ୍ଲା ସଂଯୋଜକ ମୃତ୍ୟୁଂଜୟ ମିଶ୍ର ସର୍ବଧିôକ ଶିବିର ଆୟୋଜନ କରି ପୁରସ୍କୃତ ହୋଇଥିଲେ ।
ଏହି ଅବସରରେ ଆର୍କିଟେକଚର ସୁମନ ଷଡଙ୍ଗୀ, ଡେପୁଟି କଲେକ୍ଟର ଅବିନାଶ ପାଣ୍ଡିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଂଜନ ମହାନ୍ତି , ବୌଦ୍ଧ ଥାନା ଅଧିକାରୀ ତପସ୍ୱିନୀ କହଁର, ବୌଦ୍ଧଗଡ ଏନଏସିର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ବଘିଆପଡା ଠାରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପିଡି ଡିଆରଡିଏ ବବିତା ରାଣୀ ଦଳବେହେରା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂ,ବିଡିଓ ଦେବୀ ପ୍ରସାଦ ଦାଶ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତିକାନ୍ତି ବଳିଆରସିଂ ପରିଚାଳନା କରିଥିବା ବେଳେ ଶିକ୍ଷକ ବସନ୍ତ ସାହୁ ସଂଯୋଜନା କରିଥିଲେ ।
ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସଂପର୍କିୟ ଓ ଅସହାୟମାନଙ୍କୁ ଖାଦ୍ୟ ବଂଟନ
ବୌଦ୍ଧ,୧୬/୮: ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ ରବିବାର ସଂନ୍ଧ୍ୟାରେ ଅସହାୟ ଓ ନିରାଶ୍ରୟ ମାନଙ୍କୁ ଖାଦ୍ୟ ବଂଟନ କରାଯାଇଛି । ସ୍ୱାଧିନତା ଦିବସ ଠାରୁ ଅସହାୟ ଓ ନିରାଶ୍ରୟଙ୍କ ସମତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟ ସଂପର୍କିୟଙ୍କୁ ପ୍ରତି ରବିବାର ଦିନ ରନ୍ଧା ଖାଦ୍ୟ ବଂଟନ ଆରମ୍ଭ କରାଯାଇଛି । ଉଲ୍ଳେଖ ଯୋଗ୍ୟ ଯେ ପ୍ରତି ରବିବାର ଦିନ ସରକାରଙ୍କ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ନିକଟ ସଂପର୍କିୟମାନେ ନାନା ସମସ୍ୟାର ସମ୍ମୁଖିନ ହୋଇଥାଆନ୍ତି ।
ଆବାହକ ସମ୍ପଦ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନରେ ବରିଷ୍ଠ ସଦସ୍ୟ ଦେବାଶିଷ ପୁରୋହିତ, ମିଥୁନ ସାହୁ, ମୋହିତ ଅଗ୍ରୱାଲ, ଇମତିୟାଜ ଖାଁ, ଉମେଶ ପାତ୍ର, ଦୀପକ ଅଦର, କୁଶ ଅଗ୍ରୱାଲା, ମନରଂଜନ ପାଣିଗ୍ରାହୀ ଓ ଚୂଡାମଣି ସାହୁ ପ୍ରମୁଖ ରନ୍ଧା ଖାଦ୍ୟ ବଂଟନରେ ସହଯୋଗ କରିଥିଲେ । ‘ଉତ୍ସର୍ଗ’ ଦ୍ୱାରା ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ‘ଅମୂଲ୍ୟ ଆହାର’ ଯୋଜନା ମାଧ୍ୟମରେ କରୋନା ସମୟରେ କରୋନା ପଜିଟିଭ, ଅସହାୟ ଓ ନିରାଶ୍ରୟଙ୍କୁ ଦୁଇ ବେଳି ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଥିଲା ।
ବୌଦ୍ଧଜିଲ୍ଲାକୁ ସଂପୁର୍ଣ୍ଣ ମରୁଡି ଘୋଷଣା କରିବାପାଇଁ ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ବୌଦ୍ଧ,୧୬/୮: ପାଣିପାଗ ବିଜ୍ଞାନିମାନଙ୍କ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଚଳିତବର୍ଷ ବୌଦ୍ଧଜିଲ୍ଲାରେ ସ୍ୱଳ୍ପ ବୃଷ୍ଟିପାତ ସମସ୍ତ ଚାଷୀକୂଳଙ୍କ ଚିନ୍ତା ବଢାଇଦେଇଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚଳିତବର୍ଷ ଜିଲ୍ଲାର ସାଲୁଙ୍କି ଓ ବାଘନଦୀ ଜଳସେଚନ ପ୍ରକଳ୍ପ ଚାଷୀଙ୍କ ଜମିକୁ ଜଳ ଯୋଗାଇବାରେ ସଂପୁର୍ଣ୍ଣ ବିଫଳ ହୋଇଛି । ଜିଲ୍ଲାରେ ଚାଷ ଉଜୁଡି ସାରିଥିବାବେଳେ ଯାହାକିଛି ବଞ୍ଚିଥିଲା ପ୍ରଚଣ୍ଡ ଖରା ଯୋଗୁଁ ତଳି ଜଳିଯିବା ସହ ମାଟିଫାଟି ଆଁ କଲାଣି ଏବଂ ଚାଷୀପରିବାରମାନେ ହତାଶ ହୋଇସାରିଲେଣି ।
ଜିଲ୍ଲାରେ ଅଣଜଳସେଚିତ ଅଞ୍ଚଳର ଅବସ୍ଥା ନକହିବା ଭଲ । ଏନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ପୂର୍ବରୁ ହରଭଙ୍ଗା ତହସିଲଦାରଙ୍କୁ ଦାବିପତ୍ର ଦିଆଯାଇଥିଲା । ସୋମବାର ସଂଘର ଏକ ପ୍ରତିନିଧି ମଣ୍ଡଳୀ ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ସଂପାଦକ ଭୋଳାଗିରୀ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିବା ଜଣାଯାଇଛି ।
କିଷାନ ସଂଘ ପକ୍ଷରୁ ଦାବିପତ୍ରରେ ବୌଦ୍ଧଜିଲ୍ଲାକୁ ସଂପୁର୍ଣ୍ଣ ମରୁଡିଗ୍ରସ୍ତ ଘୋଷଣା କରାଯାଇ ଆନୁସଙ୍ଗିକ ସରକାରୀ ସାହାଯ୍ୟ ଯୋଗାଇଦେବା,ପ୍ରଧାନମନ୍ତ୍ରୀ ଶସ୍ୟବୀମା ଯୋଜନାରେ କ୍ଷତିପୂରଣ ରାଶି ପ୍ରଦାନ କରାଯିବା,ବିକଳ୍ପ ଚାଷ ପାଇଁ ମାଗଣାରେ ସାର,ଔଷଧ ଓ ବିହନ ଆଦି ଯୋଗାଇଦେବା ଓ ମରୁଡିର ସ୍ଥାୟୀ ସମାଧାନ ପାଇଁ ସାଲୁଙ୍ଖୀ ନଦୀର ବୌଦ୍ଧ ବ୍ଲକ ଗୁରୁଜୀମୁଣ୍ଡା,କଣ୍ଟାମାଳ ବ୍ଲକ ଖଡଙ୍ଗ ନଦୀର ସାଦାଙ୍ଗଠାରେ ଜଳଭଣ୍ଡାର ନିର୍ମାଣ ତଥା ମହାନଦୀର ସାମ୍ପୋଚ,ଧଳପୁର,ରାମଗଡଠାରେ ତିନୋଟି ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯିବାକୁ ଦାବି କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ବୌଦ୍ଧର ହଜାର ହଜାର ଚାଷୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କିଷାନ ସଂଘ ପକ୍ଷରୁ ଦାବିପତ୍ର ଜରିଆରେ ଚେତାବନୀ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031