Indus Valley Times

ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡାର ବୁଲୁ ଭାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ

 Breaking News

ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀରେ ବାଲିଗୁଡାର ବୁଲୁ ଭାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ

August 25
09:49 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୫/୮ : ନବୀନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ଵ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀରେ ଭୁବନେଶ୍ୱର ଜୟଦେବ ଭବନଠାରେ ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦ୍‌ଯାପିତ ହୋଇ ଯାଇଛି।
ଏଥିରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗଦେଇ ଚିରାଚରିତ ଫଟୋ ଛଡ଼ା କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ଫଟୋଗ୍ରାଫରଙ୍କୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ, ସମାଜସେବୀ ରୁଦ୍ର ନାରାୟଣ ସାମାନ୍ତରାୟ, ସମାଜସେବୀ ଚିନ୍ମୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
ଫଟୋଗ୍ରାଫରଙ୍କ ସମାଜ ପରିବର୍ତ୍ତନରେ ଏହି ଦିବସ ଅନ୍ତରେ ଅବଦାନ ସମ୍ପର୍କରେ ସମସ୍ତେ ଆଲୋକପାତ କରିବା ସହ ଏଭଳି ପ୍ରଦର୍ଶନୀକୁ ବ୍ୟାପକ କରିବାକୁ କହିଥିଲେ। ପ୍ରଦର୍ଶନୀରେ ଓଡିଶା ର ବିଭିନ୍ନ କୋଣ ଅନୁକୋଣରୁ ବହୁ ଫଟୋଗ୍ରାଫର ଯୋଗ ଦେଇ ନିଜେ ଉଠାଇଥିବା ଫୋଟୋ ଗୁଡିକୁ ପ୍ରଦର୍ଶନ କରିଥିଲେ ।
ସେଥି ମଧ୍ୟରୁ ୩ ଜଣଙ୍କୁ ଶ୍ରେଷ୍ଠ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିବା ବେଳେ ୫ଜଣ ଯୁବ ଫଟୋଗ୍ରାଫରଙ୍କୁ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା ।
ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲାରୁ ଏକମାତ୍ର ବାଲିଗୁଡା ଅଞ୍ଚଳର ସୁରେନ୍ଦ୍ର କୁମାର ସେଠୀ (ବୁଲୁ ଭାଇ) ୫ଟି ଫୋଟୋ ପ୍ରଦାନ କରିଥିବା ବେଳେ ୪ଟି ଫୋଟୋ ପ୍ରଦର୍ଶନୀରେ ସ୍ଥାନିତ ପାଇ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ କରାଯାଇଥିଲା।ଏହି କାର‌୍ୟ୍ୟକ୍ରମକୁ ବିନୋଦ ବିହାରୀ ବେହେରା ସଞ୍ଚାଳନ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦାସ ଧନ୍ୟବାଦ ଦେଇଥିଲେ। ବୁଲୁ ଭାଇ ଜଣେ ଉଦୀୟମାନ ଫଟୋଗ୍ରାଫର ଭାବେ ସମ୍ମାନିତ ହୋଇଥିବାରୁ କନ୍ଧମାଳ ଜିଲ୍ଲାର ଗର୍ବ ଓ ଗୌରବ ବୋଲି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ କାର୍ଯ୍ୟକ୍ଷମ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ
ବାଲିଗୁଡା,୨୫/୮ :କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ଅନ୍ତର୍ଗତ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସରେ ମେସିନ ନଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବାଲିଗୁଡା ବ୍ଳକର ୮ରୁ ଅଧିକ ପଞ୍ଚାୟତ ବାସୀ ନିର୍ଭର କରନ୍ତି। ଏଠାରେ ଏକ୍ସରେ ମେସିନ ନଥିବାରୁ ରୋଗୀ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ଓ ଅନ୍ୟତ୍ର ଯାଇଥାନ୍ତି।
ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଦୁଇଟି ଏକ୍ସରେ ମେସିନ କିଣାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟ ପଡ଼ିରହିଛି । ଏ ସମ୍ପର୍କରେ ବିଡିଓ, ଉପ- ଜିଲାପାଳ, ସାଂସଦଙ୍କ ନିକଟରେ ଲିଖିତ ଅବଗତ କରାଯାଇଛି ତଥାପି ସୁଫଳ ମିଳୁନି ।
ବାରଖମା ସ୍ଵାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମି ବିକାଶ କରି ତୁରନ୍ତ ଏକ୍ସରେ ମେସିନ କାର୍ଯ୍ୟକ୍ଷମ କରାନଗଲେ ସେପ୍ଟେମ୍ବର ମାସରେ ଚିକିତ୍ସାଳୟ କେନ୍ଦ୍ର ସମ୍ମୁଖରେ ଗଣଧାରଣା ଦେବୁ ବୋଲି ବାରଖମା ପଞ୍ଚାୟତ ଜନପ୍ରତିନିଧି ତଥା ସମାଜ ସେବୀ ପରମାନନ୍ଦ ନାୟକ କହିଛନ୍ତି । ଏ ବାବଦରେ ଡାକ୍ତର ଦେବଦାସ କ‌ହିଛନ୍ତି ଯେ ଏକ୍ସରେ ମେସିନ ନିମନ୍ତେ ସ୍ବତନ୍ତ୍ର ଗୃହ ନ‌ଥିବାରୁ ତାହା ସଂଯୋଗ ହୋଇପାରୁନି। ଗୃହ ନିର୍ମାଣ ହେଲେ ମେସିନ କାର୍ଯ୍ୟକ୍ଷମ ହୋଇପାରିବ ବୋଲି କ‌ହିଛନ୍ତି ।
ଝିରିପାଣି ରେ ଝାଡାବାନ୍ତି : ୪ମୃତ: ଶତାଧିକ ଆକ୍ରାନ୍ତ
ବାଲିଗୁଡା,୨୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ପ୍ରାୟ ଏକ ସପ୍ତାହ ହେବ ଝାଡାବାନ୍ତି ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଏହା ବ୍ୟାପକ ରୂପ ନେଉଛି ଯାହା ଫଳରେ ଅଞ୍ଚଳ ରେ ଆତଙ୍କ ଦେଖାଦେଇଥିବା ଜଣାପଡିଛି ।
ବର୍ତ୍ତମାନ ଦୁଇ ତିନି ଦିନ ମଧ୍ୟରେ ବରଗାଁ ର ମୁଶ୍ରୀ ମାଝି (୫୨), ଟାପଡି ମାଝି ର ସ୍ତ୍ରୀ (୫୦) ଓ ନଲକୁଟି ଗ୍ରାମର ଅମିତ ମାଝି (୩୫) , ଅମିତ ମାଝି ର ମାବିଙ୍ଗିଟି ମାଝି (୫୦) ଏପରି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ବର ଗାଁ, ନାଲକୁଟି, ପୁଡେଣି ଗାଁ, କୁନାବାଡା ରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ଗାଁ ରେ ଡାକ୍ତର ଟିମ ପହଞ୍ଚି ନଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଜିଲ୍ଲା ଚିକିତ୍ସାଧିକାରୀ ଙ୍କୁ ଜଣାଇବା ପରେ ଖୁବ ଶିଘ୍ର ଆକ୍ରାନ୍ତ ଗାଁ ରେ ଡାକ୍ତରୀ ଟିମ ପହଞ୍ଚିବ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି ।
ଆକ୍ରାନ୍ତ ହୋଇଥିବା ଗ୍ରାମ ଗୁଡିକରେ ଆଦିମ ଜନଜାତି କୁଟିଆ କନ୍ଧ ସମ୍ପ୍ରଦାୟ ର ଲୋକ ବସବାସ କରନ୍ତି। ଏହି ଝାଡ଼ାବାନ୍ତି ଏକ ସପ୍ତାହ ହେବ ଆରମ୍ଭ ହୋଇ ଥିବା ବେଳେ ଘରକୁ ଘର ଗାଁ କୁ ଗାଁ ବ୍ୟାପିବାରେ ଲାଗିଛି।
ଆକ୍ରାନ୍ତ ଙ୍କ ମଧ୍ୟରୁ କିଛି ତୁମୁଡ଼ିବନ୍ଧ ମେଡ଼ିକାଲ ଓ ଆଉ କେତେ କଳାହାଣ୍ଡି ଜିଲ୍ଲାକୁ ଚିକିତ୍ସା ପାଇଁ ଯାଇଥିବା ଜଣାପଡିଛି।
ସ୍ବାସ୍ଥ୍ୟ ବିଭାଗ ଯଦି ଗାଁ ରେ ପହଞ୍ଚିବା ରେ ବିଳମ୍ବ କରେ ତେବେ ଆକ୍ରାନ୍ତ ଓ ମୃତକ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶା କରାଯାଉଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930