Indus Valley Times

ଆନ୍ଦୋଳନକୁ ଓହ୍ଲାଇବେ ଆଉଟସୋର୍ସିଂଙ୍ଗ କର୍ମଚାରୀ

 Breaking News

ଆନ୍ଦୋଳନକୁ ଓହ୍ଲାଇବେ ଆଉଟସୋର୍ସିଂଙ୍ଗ କର୍ମଚାରୀ

ଆନ୍ଦୋଳନକୁ ଓହ୍ଲାଇବେ ଆଉଟସୋର୍ସିଂଙ୍ଗ କର୍ମଚାରୀ
October 07
08:56 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୭/୧୦: ସ୍ଥାୟୀ ନିଯୁକ୍ତି ଓ ବିଭିନ୍ନ ଦାବି ନେଇ ସରକାରଙ୍କର ବିଭିନ୍ନ ବିଭାଗରେ ଆଉଟସୋର୍ସିଂଙ୍ଗରେ କାମ କରୁଥିବା କର୍ମଚାରୀ ମାନେ ଖୁବ ଶିଘ୍ର ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତି ନେଇଛନ୍ତି । ବୌଦ୍ଧ ଟାଉନ ହଲ ଠାରେ ଆଉଟସୋର୍ସିଂଙ୍ଗ ମହାସଂଘର ସାଧାରଣ ସଭା ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିରେ ରାଜ୍ୟ ସରକାରଙ୍କର ଟାଳଠୁଳ ନିତିକୁ ନେଇ ଉଦବେଗ ପ୍ରକାଶ ପାଇଛି ।
ଦୀର୍ଘ ବର୍ଷଧରି ସେବା ଯୋଗାଇ ଆସୁଥିବା ଆଉଟ ସୋର୍ସିଂଙ୍ଗ କର୍ମଚାରୀମାନେ ଦୟନୀୟ ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ଦାବିପତ୍ର ମାଧ୍ୟମରେ ବାରମ୍ବାର ସରକାରଙ୍କୁ ଅନୁରୋଧ କରିବା ପରେ ମଧ୍ୟ ସେମାନଙ୍କର ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ତେଣୁ ଆଗାମୀ ୧୫ ତାରିଖ ଭିତରେ ରାଜ୍ୟ ସରକାର ଆଲୋଚନା ପୂର୍ବକ ଏହି ଅସହାୟ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିର୍ଦ୍ଦେଶନାମା ପ୍ରକାଶ ନ କଲେ ରାଜଧାନୀରେ ରାଜ୍ୟସାରା ଆଉଟସୋର୍ସିଂଙ୍ଗ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହେବେ ବୋଲି ଏହି ସାମ୍ବାଦିକ ସମ୍ମିଳନିରେ ସୂଚନା ଦିଆଯାଇଛି ।
ମୁଖ୍ୟତଃ ତିନିଗୋଟି ଦାବି ସଂପର୍କରେ ସରକାର ତୁରନ୍ତ ବିଚାର କରିବାକୁ ଆଉଟସୋର୍ସିଂଙ୍ଗ ମହାସଂଘ ପକ୍ଷରୁ ଦାବିକରାଯାଇଛି । ସମସ୍ତ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି , ଆଉଟ ସୋର୍ସିଂଙ୍ଗ ବ୍ୟବସ୍ଥା ଭିତରେ ଦିନ ମଜୁରୀଆକୁ ହଟାଇ ସମସ୍ତ କର୍ମଚାରୀଙ୍କୁ ସରକାରୀ ବ୍ୟବସ୍ଥାରେ ମାସିକ ଦରମା ପ୍ରଦାନ, ଏବଂ ବହୁ ବର୍ଷଧରି ସେବା ଯୋଗାଇ ଆସୁଥିବା ସମସ୍ତ ଆଉଟ ସୋର୍ସିଂଙ୍ଗ କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀର ମାନ୍ୟତା ପ୍ରଦାନ ପାଇଁ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନି ରେ ରାଜ୍ୟ ସଂଗଠନର ଉପସଭାପତି ପୂର୍ଣ୍ଣଚନ୍ଦ୍ର ମିଶ୍ର,କନ୍ଧମାଳ ଜିଲ୍ଲା ସଭାପତି ସରୋଜ ନାଏକ, ସାଂଗଠାନିକ ସଂପାଦକ ସୁଶାନ୍ତ କହଁର, ସଦସ୍ୟ ବିମଳ ବେଲରା ପ୍ରମୁଖ ଉପସ୍ଥିତ ଥିଲେ । ବୌଦ୍ଧଜିଲ୍ଲା ମହାସଂଘର ସଭାପତି ସଂଜିତ ଜେନା, ସାଧାରଣ ସଂପାଦକ ପ୍ରକାଶ ବେହେରା, ସଂଗଠନ ସଂପାଦକ ଶ୍ରୀବତ୍ସ କର୍ମୀ,ଦେବେନ ବାରିକ ଏବଂ ଉପସଭାପତି ନରେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବୌଦ୍ଧ କଲଚରାଲ ଏକାଡେମୀର ପୁରସ୍କାର ଘୋଷଣା
ବୌଦ୍ଧ,୭/୧୦ : ବୌଦ୍ଧଜିଲ୍ଲା କଲଚରାଲ ଏକାଡେମୀର ଚଳିତବର୍ଷ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପୁରସ୍କାର କମିଟି ବୈଠକରେ ହୋଇଥିବା ନିଷ୍ପତିକ୍ରମେ କଟକ ର ଦେବେନ୍ଦ୍ର କରଙ୍କୁ ବିବେକାନନ୍ଦ ପଟ୍ଟନାୟକ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇ ଥିବାବେଳେ ଅନୁଗୁଳ ଜିଲ୍ଲା ମାଧପୁର (ବାସୁଦେବପୁର) ର ଦେବରାଜ ନାୟକଙ୍କୁ ପ୍ରଫୁଲ୍ଲ ମହାକୁଳ ସାହିତ୍ୟ ପୁରସ୍କାର,ବୌଦ୍ଧ ସରସରା ର ଭୂମିସୂତା ବେହେରାଙ୍କୁ ଭିକାରୀ ନାୟକ କଳା ଓ ସଙ୍ଗିତ ପୁରସ୍କାର,ସୁବର୍ଣ୍ଣପୁର ଜାଲୋଏ ର ଡକ୍ଟର ଶୁଭେନ୍ଦୁ ମେହେରଙ୍କୁ ବେଣୁଧର ମିଶ୍ର କବିତା ପୁରସ୍କାର, ଅନୁଗୁଳ ଜିଲ୍ଲା ତାଳଚେର ର ରତ୍ନପ୍ରଭା ବାଇଙ୍କୁ ଭକ୍ତି ସାହିତ୍ୟ ପୁରସ୍କାର,ବରଗଡ ଜିଲ୍ଲା ପହଣ୍ଡି ର ସୁହଂସ ଭୋଇଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, ବୌଦ୍ଧର କାର୍ତ୍ତିକେଶ୍ୱର ନାଏକଙ୍କୁ ଅଭିଷେକ ପ୍ରଧାନ ଯୁବ ପ୍ରତିଭା ପୁରସ୍କାର ଓ କବି କିଶୋର ମିଶ୍ର ଏବଂ ଅଧ୍ୟାପକ ପ୍ରତାପ ରଥଙ୍କୁ ସ୍ୱତନ୍ତ୍ର ଭାବରେ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିବା ନେଇ ସୂଚନା ଦିଆଯାଇଛି ।
ଦାନ ବାକ୍ସ ସହ ଧରାପଡିଲା ମନ୍ଦିର ଲୁଟେରା
ବୌଦ୍ଧ,୭/୧୦ : ବୌଦ୍ଧଜିଲ୍ଲାର ବିଭିନ୍ନ ଦେବାଳୟରୁ ଦେବା ଦେବୀଙ୍କ ଦାନବାକ୍ସ ଓ ଅଳଙ୍କାର ସବୁ ଚୋରୀ ହୋଇଚାଲିଥିବାବେଳେ ଅନେକ ଉଦ୍ୟମ ସତ୍ୱେ ପୁଲିସ ଚୋରୀ ସାମଗ୍ରୀ କିମ୍ବା ଚୋର ସଂପର୍କରେ ଟେର ପାଇପାରୁନଥିଲା । ଦୀର୍ଘଦିନର ବ୍ୟବଧାନ ପରେ ପୁଣିଥରେ ଗତ ୪ ତାରିଖ ଦିନ ବୌଦ୍ଧ ସହର ଉପକଣ୍ଠରେ ଥିବା ଟୁଟୁସିଙ୍ଗା ଶିବ ମନ୍ଦିରରୁ ଦାନ ବାକ୍ସ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଶନିବାର ରାତିରେ ଜଣେ ଯୁବକ ଏକ ବୁଦାମୂଳେ ଦାନବାକ୍ସ ଭାଙ୍ଗୁଥିବା ସ୍ଥାନିୟ ଲୋକଦେଖି ତାକୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଗୁମୁଦୁଲା ଗ୍ରାମର ରାଜୀବଲୋଚନ ସାହୁ(୨୬)ଙ୍କୁ ମନ୍ଦିର ଚୋରୀ ମାମଲାରେ ପୁଲିସ ଗିରଫ କରିଥିଲା । ତାଙ୍କ ନିକଟରୁ ଚୋରୀ ଦାନ ବାକ୍ସ ସହିତ ୧୨୦୦ ଟଙ୍କା ପୁଲିସ ଜବତ କରିବାପରେ ବୌଦ୍ଧ ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରି ଥାନାକୁ ଆଣି ପଚରା ଉଚୁରା କରିଥିଲା । ପୁଲିସ ନିକଟରେ ଅଭିଯୁକ୍ତ ରାଜୀବ ଗତ ଫେବୃୟାରୀ ମାସରେ ବୌଦ୍ଧର ପ୍ରସିଦ୍ଧ ଭୈରବୀ ମନ୍ଦିର ସମେତ ଅନ୍ୟ ଏକ ମନ୍ଦିରରୁ ଚୋରୀ ମାମଲାରେ ସଂପୃକ୍ତ ଥିବା ନେଇ ସ୍ୱୀକାର କରିଛି ବୋଲି ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି ।
ସରସରା ଅନ୍ତର୍ଯ୍ୟାମୀ ସ୍ୱାଇଁ ହତ୍ୟାକାଣ୍ଡ ମାମଲା, ଅଭିଯୁକ୍ତ ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡ
ବୌଦ୍ଧ, ୭/୧୦ : ବୌଦ୍ଧଜିଲ୍ଳା ଦୌରାଜଜ୍ ଆଜି ବୌଦ୍ଧଜିଲା ହରଭଙ୍ଗା ବ୍ଲକ ସରସରା ଗ୍ରାମର ଅର୍ନ୍ତଯୃଂମୀ ସ୍ୱାଇଁ ହତ୍ୟାକାଣ୍ଡ ମାମଲାର ବିଚାର କରି ଅଭିଯୁକ୍ତ ବାପ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିବା ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ମାମଲାରୁ ପ୍ରକାଶଯେ, ଗତ ୦୪.୦୬.୨୦୨୧ ରିଖରେ ସରସରା ଗ୍ରାମର ଅର୍ନ୍ତଯ୍ୟାମୀ ସ୍ୱାଇଁ ଙ୍କ କ୍ଷତ ବିକ୍ଷତ ମୃତ ଶରୀର ସରସରା ଗ୍ରାମର ରାଧାବାହାଲି ସେତୁ ନିକଟ ରାସ୍ତା କଡରେ ପଡିଥିଲା ।
ମୃତଦେହ ଦେଖି ଗାଁ ଲୋକ ପୁଲିସକୁ ସୂଚନା ଦେଇଥିଲେ । ଅର୍ନ୍ତଯ୍ୟାମୀ ମୃତ୍ୟୁ ଘଟଣା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକ୍ରମେ ବୌଦ୍ଧ ପୁଲିସ ଥାନା କେସ ନମ୍ବର ୧୩୯/୨୧ ରେ ହତ୍ୟା ମାମଲା ରୁଜୁ କରି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଏହି ହତ୍ୟା ଘଟଣାରେ ସରସରା ଗ୍ରାମର ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପୁଅ ନାରାୟଣ ସ୍ୱାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରବର୍ତ୍ତୀ ସମୟରେ ମାମଲାଟି ଜିଲା ଦୌରାଜଜ୍ ଙ୍କ ଅଦାଲତରେ ଏସଟି କେସ ନମ୍ବର ୧୦୩/୨୨ ହୋଇ ବିଚାର ହୋଇଥିଲା ।
ମାମଲାରେ ସରକାରଙ୍କ ପକ୍ଷରୁ ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ଅଦାଲତ ଅଭିଯୁକ୍ତ ବାପ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପିପି ସବିତା କୁମାରୀ ପଣ୍ଡା ପରିଚାଳନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031