Indus Valley Times

‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ’

 Breaking News

‘ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ’

July 31
20:03 2025

ଭୁବନେଶ୍ୱର, ୩୧/୭: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ତେଣୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେବାକୁ ଓଡ଼ିଶାରେ ଲାଗିବ ୭୫ ଲକ୍ଷ ଗଛ । ଲୋକସେବା ଭବନରେ ଆୟୋଜିତ ବୈଠକରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆଜି ଲୋକସେବା ଭବନରେ “ଏକ୍ ପେଡ୍ ମା କେ ନାମ୍” ଅଭିଯାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗତବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ତା’ର ଲକ୍ଷ୍ୟ ଅତିକ୍ରମ କରି ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ଏ ବର୍ଷ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ଏବଂ ତା ସହିତ କେବଳ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହା ଏକ ରେକର୍ଡ ହେବ ବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ରେ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲାଗିବ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର।
କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ସଂସ୍ଥାକୁ ଏଥିରେ ଯୋଡ଼ା ଯିବ । ଏହାକୁ ବ୍ୟାପକ କରିବାକୁ ପ୍ରଚାର ପ୍ରସାର କାର‌୍ୟ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ହେବା ଉଚିତ । ପ୍ରଚାର ପ୍ରସାର କେବଳ ଏକ କାର୍ଯ୍ୟକ୍ରମର ନୁହେଁ, ଏହା ପରିବେଶ ସୁରକ୍ଷା ପାଇଁ ଏକ ଜନ ଆନ୍ଦୋଳନ ହେବା ଉଚିତ ବୋଲି ସେ ମତ ଦେଇଥିଲେ ।
କେବଳ ଗଛ ଲଗାଇଦେଲେ ହେବ ନାହିଁ, ଏହି ଗଛକୁ କିଭଳି ଉତ୍ତମ ଭବିଷ୍ୟତ ମିଳିବ ତା’ର ମଧ୍ୟ ଦାୟିତ୍ୱ ନେବା ଆବଶ୍ୟକ ବୋଲି ମତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥି ସହିତ ବୃକ୍ଷ ରୋପଣର ଫଟୋ ଓ ଡାଟା ମେରି ଲାଇଫ ପୋର୍ଟାଲରେ ଅପଲୋଡ କରାଯିବ । ଭଲ ପ୍ରଦର୍ଶନ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ପୁରସ୍କାର ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥିସହିତ ଯେଉଁ ଅଞ୍ଚଳରେ ଯେଉଁ ଫଳ ଭଲ ଉତ୍ପାଦନ ହେଉଛି ସେହିଭଳି ଚାରା ଲୋକମାନଙ୍କୁ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ ପେଡ ମା କେ ନାମ୍ ଅଭିଯାନ ଆରମ୍ଭ ହୋଇଥିଲା। ଚଳିତବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ତାରିଖ ପର‌୍ୟ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ଏକ ପେଡ୍ ମା କେ ନାମ୍ ୨.୦ ଚାଲିବ। ଦ୍ୱିତୀୟ ସଂସ୍କରଣର ଏହି କାର‌୍ୟ୍ୟକ୍ରମରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31