Indus Valley Times

ପେନସନ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଲା ୬୬୨ ବର୍ଗ କଲେଜ ସଙ୍ଘ

 Breaking News

ପେନସନ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ଦେଲା ୬୬୨ ବର୍ଗ କଲେଜ ସଙ୍ଘ

August 06
19:42 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୬/୮: ଆଜି ୬୬୨ ବର୍ଗ କଲେଜ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ତରଫରୁ ପେନସନ ଦାବିରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ,ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଶହ ଶହ ଅଧ୍ୟାପକ, କର୍ମଚାରୀ ସ୍ଥାନୀୟ ଗୀତା ଭବନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ସଙ୍ଘ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ରାଜ୍ୟ ସରକାରଙ୍କ ଶିକ୍ଷକ ଓ କର୍ମଚାରୀ ମାରଣ ନୀତିର ଦୃଢ଼ ପ୍ରତିବାଦ କରାଯାଇଥିଲା। ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ କାଳ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟ କଲାପରେ ଅବସର ସମୟରେ ଖାଲି ହାତରେ ବିଦାୟ ନେଉଛନ୍ତି। ନା ଅଛି ଗ୍ରାଚ୍ୟୁଇଟି,ପେନସନ ନା କୌଣସି ଅବସରକାଳୀନ ସୁବିଧା।
ଅବସର ପରେ ଶହ ଶହ କର୍ମଚାରୀ ହା ହୁତାସ ରେ କାଳାତିପାତ କରୁଛନ୍ତି। ସେମାନଙ୍କ ପାଇଁ କୌଣସି ଅବସରକାଳୀନ ସୁବିଧା ସରକାର ଏ ପର୍ଯ୍ୟନ୍ତ ଘୋଷଣା କଲେନାହିଁ। ବହୁ ଆନ୍ଦୋଳନ ପରେ ବିଗତ ସରକାର ଏକ ମୁଣ୍ଡାମୁଣ୍ଡି ପ୍ରାପ୍ୟ ଦଶ ଲକ୍ଷ ଟଙ୍କା ଦେବେ ବୋଲି ୨୦୨୪ ମସିହା ମାର୍ଚ୍ଚ ମାସରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ।
ନୂଆ ସରକାର ଆସିବା ପରେ ସେମାନଙ୍କ ଠାରୁ ବହୁ ଆଶା ରଖିଥିଲେ ମଧ୍ୟ ନା ସେମାନେ ତାକୁ କାର‌୍ୟ୍ୟକାରୀ କଲେ ନା ପୁରୁଣା ପେନସନ କାର୍ଯ୍ୟକାରୀ କଲେ। ନୂତନ ସରକାରଙ୍କୁ ସମ୍ମାନ ଜଣାଇ ସଂଘ ଏକବର୍ଷ ହେଲା ଆନ୍ଦୋଳନକୁ ସ୍ଥଗିତ ରଖି ସରକାରଙ୍କ ସହ ଆଲୋଚନା ପାଇଁ ପ୍ରୟାସ କରିଥିଲା। କିନ୍ତୁ ସରକାର ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଆଲୋଚନା କଲେନାହିଁ। ଏହି ବର୍ଗର କଲେଜରୁ ଏତେ ସଂଖ୍ୟାରେ କର୍ମଚାରୀ ଅବସର ନେଉଛନ୍ତି ଯେ ଆଗାମୀ ୨୦୨୭ ମସିହା ସୁଦ୍ଧା ପ୍ରାୟ ୯୦ ଭାଗ କର୍ମଚାରୀ ଅବସର ନେଇଯିବେ। ସାରା ଓଡ଼ିଶାରେ ଏହି ବର୍ଗ କଲେଜରେ ପାଠ ପଢୁଥିବା ପ୍ରାୟ ୫ ଲକ୍ଷ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ କିପରି ପାଠ ପଢିବେ ଓ ଅନୁଷ୍ଠାନର ଭବିଷ୍ୟତ କଣ ହେବ ସେଥିପ୍ରତି ସରକାରଙ୍କ କୌଣସି ନିଘା ନାହିଁ। ଚାକିରୀ ସର୍ତ୍ତାବଳୀ ସହ ପେନସନ ଘୋଷଣା କଲେ ଏହି ପଦବୀ ଗୁଡିକ ସ୍ଥାୟୀ ହେବ ସହିତ ଛାତ୍ରଛାତ୍ରୀ ଓ ଅନୁଷ୍ଠାନ ମାନଙ୍କର ଭବିଷ୍ୟତ ରକ୍ଷା ହୋଇପାରନ୍ତା।
ଏହି ସଂକ୍ରାନ୍ତୀୟ କେସ ବିଚାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ପେନସନ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସରକାର ଏହି ମାମଲାକୁ ଯୁଗ୍ମ ବେଞ୍ଚକୁ ନେଇ କାଳ କ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ଏହାର ପ୍ରତିବାଦରେ ଆଜି ଶହ ଶହ ଅଧ୍ୟାପକ, କର୍ମଚାରୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ସେମାନଙ୍କ ଦାବିପତ୍ର ପ୍ରଦାନ କରିଛନ୍ତି।
ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ ଜିଲ୍ଲା ସଭାପତି ଡ. ତପନ କୁମାର ଜେନା, ରାଜ୍ୟ ସାଧାରଣ ସମ୍ପାଦକ ସତ୍ତାପ ଉଦିନ ଅହମ୍ମଦ, ରାଜ୍ୟ କୋଷାଧ୍ୟକ୍ଷ ରଂଜନ ପ୍ରଧାନ, ଜିଲ୍ଲା ସମ୍ପାଦକ ଅକ୍ଷୟ କୁମାର ଶତପଥୀ, ସଂଗଠନ ସମ୍ପାଦକ ପ୍ରଶାନ୍ତ ଦାସ, ବିକାଶ ସ୍ୱାଇଁ, କଲ୍ୟାଣ ପଣ୍ଡା, ସୁଧୀର ପଟ୍ଟନାୟକ ପ୍ରମୁଖ। ଯଦି ସରକାର ଆଲୋଚନାକୁ ଡାକି ଏହାର ସୁବିଚାର ନ କରନ୍ତି ତେବେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଲୋୟର ପିଏମଜିରେ ଏକ ମହାସମାବେଶ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930