Indus Valley Times

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ: ‘ରନ୍ ଫର୍ ୟୁନିଟି’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 Breaking News

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ: ‘ରନ୍ ଫର୍ ୟୁନିଟି’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

October 31
10:40 2025

ଭୁବନେଶ୍ୱର , ୩୧/୧୦ : ଆଜି ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ସାରା ଦେଶ ‘ଏକତା ଦିବସ’ ପାଳନ କରୁଛି। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ସକାଳ ୭ଟାରେ ‘ଏକତା ଦୌଡ଼’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ଏଥିରେ ଯୋଗ ଦେଇ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ସହିତ ରନ୍ ଫର୍ ୟୁନିଟି ଦୌଡ଼ କାର୍ଯ୍ୟକ୍ରମକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଗଣଦୌଡ଼ରେ ସାମିଲ ହୋଇଥିଲେ। ଏହି ଗଣଦୌଡ଼, କଳିଙ୍ଗ ଷ୍ଟାଡିଅମରୁ ଆରମ୍ଭ ହୋଇ ପାୱାର ହାଉସ ଛକ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଭିନ୍ନତାରେ ଏକତା ହେଉଛି ଭାରତର ଆତ୍ମା ଓ ଶକ୍ତି। ଜାତି, ଧର୍ମ, ଭାଷା, ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ,ଏହି ଆତ୍ମବୋଧ ଆମକୁ ଏକଜୁଟ ରଖେ ଓ ଦେଶକୁ ଶକ୍ତିଶାଳୀ କରେ। ସର୍ଦ୍ଦାର ପଟେଲ ଏକ ଏମିତି ମହାନ ନେତା ଥିଲେ, ଯିଏ ଶତାଧିକ ରାଜା ରଜୁଡାଙ୍କୁ ଏକତା ସୁତ୍ରରେ ବାନ୍ଧି ଏକ ଅଖଣ୍ଡ ଭାରତ ଗଢିଥିଲେ। ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଙ୍କଳ୍ପ, ଦୃଷ୍ଟିକୋଣ ବଳରେ ଆମେ ଆଜି ଭାରତ କୁ \’ଏକ\’ ଦେଖୁଛୁ ବୋଲି ସେ କହିଥିଲେ ।
ସର୍ଦ୍ଦାର ପଟେଲଙ୍କ ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯେ ଆମେ ସମସ୍ତେ ମିଳିମିଶି, ସଂଘବଦ୍ଧ ଭାବେ କାମ କଲେ ଖୁବ ଶୀଘ୍ର ବିକଶିତ ଭାରତର ସ୍ଵପ୍ନକୁ ସାକାର କରିପାରିବା।
ଏହି ଦୌଡ଼ ହେଉଛି ସେହି ଏକତା, ସମନ୍ୱୟ ଓ ଦେଶପ୍ରେମର ପ୍ରତୀକ। ୨୦୧୪ ମସିହାରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ “ରନ୍ ଫର ୟୁନିଟି” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଏବଂ ୨୦୧୮ ମସିହାରେ ଗୁଜରାଟର କେଭାଡିଆ ଠାରେ ସର୍ଦ୍ଦାର ପଟେଲଙ୍କ ୧୮୨ ମିଟର ଉଚ୍ଚ “Statue of Unity” ଅନାବରଣ ହୋଇଥିଲା ଯାହା ବିଶ୍ୱର ସର୍ବବୃହତ୍ ପ୍ରତିମା ଭାବେ ଭାରତୀୟ ଗୌରବର ପ୍ରତୀକ ହୋଇଉଠିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ଆହୁରି କହିଥିଲେ ଯେ ଏହି ଦୌଡ଼ ଆମକୁ ମନେପକାଇ ଦେଉଛି ଯେ ଏକଜୁଟ ରହିବା ହେଉଛି ଆମର ସାମୂହିକ ଇଚ୍ଛା ଓ ଆମର ଶକ୍ତି। ସର୍ଦ୍ଦାର ପଟେଲଙ୍କ ଜୀବନରୁ ପ୍ରେରିତ ହୋଇ ଆମେ ଭାଇଚାରା, ଶାନ୍ତି ଓ ସମୃଦ୍ଧିର ବନ୍ଧନକୁ ସୁଦୃଢ଼ କରିବା ଓ ସମୃଦ୍ଧ ଓଡ଼ିଶା ଏବଂ ବିକଶିତ ଭାରତ ଗଢିବା ପାଇଁ ଏକଜୁଟ ହେବା ଆବଶ୍ୟକ।
ଏହି ଅବସରରେ କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଏହି ଦୌଡ଼ ମାଧ୍ୟମରେ ଆମେ ଏକତା, ସମନ୍ୱୟ ଓ ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଓ ଏକ ସଶକ୍ତ ଭାରତ ଗଢିବାରେ ନିରନ୍ତର ଅଗ୍ରସର ହେବା ଆମ ସମସ୍ତଙ୍କ ଦାୟିତ୍ୱ । କାର୍ଯ୍ୟକ୍ରମ ଶେଷରେ ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଖେଳାଳି ଓ ଶତାଧିକ ନାଗରିକ ଅଂଶଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031