Indus Valley Times

ଏନସି କଲେଜରେ ସାମୂହିକ ବନ୍ଦେ ମାତରମ୍ ଗାନ ସହ ସ୍ୱଦେଶୀ ସଂକଳ୍ପ ପାଠ

 Breaking News

ଏନସି କଲେଜରେ ସାମୂହିକ ବନ୍ଦେ ମାତରମ୍ ଗାନ ସହ ସ୍ୱଦେଶୀ ସଂକଳ୍ପ ପାଠ

ଏନସି କଲେଜରେ ସାମୂହିକ ବନ୍ଦେ ମାତରମ୍ ଗାନ ସହ ସ୍ୱଦେଶୀ ସଂକଳ୍ପ ପାଠ
January 13
07:34 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୧୩/୧ : ବନ୍ଦେ ମାତରମର ୧୫୦ ତମ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ସଂସ୍କୃତି ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଛି।
ଏହି କ୍ରମରେ ଜାତୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ଦିନ ସ୍ଥାନୀୟ ନରସିଂହ ଚୌଧୁରୀ ମହାବିଦ୍ୟାଳୟରେ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ପାଳନ ଉଦ୍ଦେଶ୍ୟରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇଥିଲେ। ସ୍ଵାଗତ ଅଭିଭାଷଣ ପରେ ପୂର୍ବାହ୍ନ ୧୧ ଘଟିକା ସମୟରେ ସାମୂହିକ ବନ୍ଦେ ମାତରଂ ଗାନ ସହ ସ୍ୱଦେଶୀ ସଂକଳ୍ପ ପତ୍ର ପାଠ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ କର ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଭାରତର ସ୍ଵାଧୀନତା ସଂଗ୍ରାମ ଏବଂ ବଙ୍ଗ ବିଭାଜନ ବେଳେ ବନ୍ଦେ ମାତରଂ ଗାନ କିଭଳି ଦେଶାତ୍ମବୋଧ ମନୋଭାବ ଜାଗ୍ରତ କରିଥିଲା, ସେ ସମ୍ପର୍କରେ ବୁଝାଇଥିଲେ।
ଦେଶର ବୀର ସୈନିକ ନିଃସ୍ଵାର୍ଥପର ଭାବେ ଦିନରାତି ସୀମାରେ ସୁରକ୍ଷା ଯୋଗାଉଛନ୍ତି। ରାଷ୍ଟ୍ରପ୍ରେମ ବିନା ଏହା ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ କହିଥିଲେ ଏବଂ ସ୍ୱଦେଶୀ ଜୀବନ ଶୈଳୀ ଆପଣାଇବା ସହ ଦେଶ ସେବାକୁ ନିଜ ଜୀବନର ମନ୍ତ୍ର କରି ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଏହା ସହ ଯୁବ ପିଢ଼ିଙ୍କୁ ସମୟର ସଦୁପଯୋଗ କରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କର ପ୍ରେରଣା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଏନସି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରଞ୍ଜନ କୁମାର ବେହେରା, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ, ଯାଜପୁର ବିଡ଼ିଓ ଶ୍ରୀ ହେମନ୍ତ କୁମାର ମହନ୍ତ, ଏନସି କଲେଜର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଓଡ଼ିଆ ଅଧ୍ୟାପକ ଶ୍ରୀ ବିନୋଦ କୁମାର ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ରସାୟନ ବିଜ୍ଞାନ ପ୍ରଫେସର ଶ୍ରୀ ଦିବ୍ୟଲୋଚନ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031