Indus Valley Times

କଥା ରଖିଲେ ଶୁଭେନ୍ଦୁ ଅଧିକାରୀ, ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିଲା

 Breaking News

କଥା ରଖିଲେ ଶୁଭେନ୍ଦୁ ଅଧିକାରୀ, ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିଲା

କଥା ରଖିଲେ ଶୁଭେନ୍ଦୁ ଅଧିକାରୀ, ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିଲା
June 10
17:11 2026

ଓଡ଼଼ିଶା,୧୦/୬ : ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ ।
ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ‘ଧାମ’ ଶବ୍ଦ ହଟାଯାଇଛି । ଫଳରେ ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି ।
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମକୁ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି ।
ଦୀଘାର ଜଗନ୍ନାଥ ମନ୍ଦିରକୁ ଆଉ ‘ଧାମ’ ଆଖ୍ୟା ଦିଆଯିବ ନାହିଁ, ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ପବିତ୍ର ଜଗନ୍ନାଥ ଧାମ ଏବଂ ଏହାର ସର୍ବୋଚ୍ଚ ସ୍ଥାନକୁ କ୍ଷୁର୍ଣ୍ଣ କରାଯିବ ନାହିଁ । ପୁରୀ ଶ୍ରୀକ୍ଷେତ୍ର ହେଉଛି ଚାରି ଧାମ ମଧ୍ୟରୁ ଅନ୍ୟତମ । ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବା ଦ୍ବାରା ଓଡ଼ିଆ ସଂସ୍କୃତି ଓ ଭକ୍ତଙ୍କ ଭାବନାକୁ ଆଘାତ ହେଉଥିଲା । ଏହି ନିଷ୍ପତ୍ତି ପରେ ସମସ୍ତ ବିବାଦର ସମାଧାନ ହୋଇଛି ।
ଏ ନେଇ ପୂର୍ବରୁ ବହୁ ଦାବି ହୋଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାର ବଦଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ‘ଧାମ’ ଶବ୍ଦ ହଟାଇବା ପାଇଁ ଅନୁରୋଧ କରିଥିଲେ । ଏହି ‘ଧାମ’ ଶବ୍ଦ ହଟାଇବା ପରେ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନା ଅନୁଯାୟୀ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ା ହୋଇଛି ଦୀଘା ଜଗନ୍ନାଥ ମନ୍ଦିର । ୨୦ ଏକର ଜମିରେ ଓ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ମନ୍ଦିର । ୨୦୧୯ ମସିହାରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା ।
୨୦୨୫ ମସିହା ଏପ୍ରିଲ ୩୦ ତାରିଖରେ ଏହା ଉଦଘାଟିତ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତି ପରେ ଦୀଘା ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସି ପ୍ରକଟ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31