ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ : ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ଆମର ପ୍ରାଥମିକତା ହେବ – ଜିଲ୍ଲାପାଳ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୮ : ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଜିଲ୍ଲା ହାଇୱେ ସୁରକ୍ଷା ଟ୍ୟାକ୍ସ ଫୋର୍ସ କମିଟି ମିଟିଂ,ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର୍ଯ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।
ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁ ସମସ୍ତଙ୍କୁ ସ୍ବାଗତ କରି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର କାର୍ୟ୍ୟାବଳୀ ପ୍ରଦର୍ଶନ କରିଥିଲେ ।
ଜିଲ୍ଲାପାଳ କହିଲେ ଯେ, ବୌଦ୍ଧ ଜିଲ୍ଲାବାସୀଙ୍କ ଧନ ଜୀବନ କିଭଳି ସୁରକ୍ଷିତ ରହିବ ଏହା ଆମର ପ୍ରାଥମିକତା ହେବା ଉଚିତ । ହେଲମେଟ ପରିଧାନ , ମଦ୍ୟପ ଡ୍ରାଇଭର ମାନଙ୍କୁ ନିୟମିତ ଯାଞ୍ଚ କରି ଜରିମାନା ଆଦାୟ କରାଯିବ, ରାସ୍ତାରେ କେହି ବାଲି, ମେଟାଲ ଜମା କରିବେନାହିଁ, ରାସ୍ତା ଉପରେ ଭାରିଯାନ ପାର୍କିଂ ହେବନାହିଁ । ଏଥିପାଇଁ ପରିବହନ, ପୋଲିସ, ଅବକାରୀ ବିଭାଗ ଓ ତହସିଲଦାର ମିଳିତ ପଦକ୍ଷେପ ଗ୍ରହଣ କରିବେ ।
ସମସ୍ତ ରାସ୍ତା ରୁ ଜବର ଦଖଲ ଉଚ୍ଛେଦ କରିବା ପାଇଁ ଆର୍ ଡି, ପୂର୍ତ୍ତ, ପରିବହନ ବିଭାଗ ଓ ତହସିଲଦାର ମିଳିତ ପଦକ୍ଷେପ ନେବେ ।
ସମୀକ୍ଷାରୁ ଜଣାଗଲା ଯେ, ଚଳିତ ୨୦୨୬ ମସିହାର ପ୍ରଥମ ସାତ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୬୬୯୦ଟି ଚାଲାଣ କଟାଯାଇଥିବା ବେଳେ ୧ କୋଟି ୮୪ ଲକ୍ଷ ୦୪ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ଆରଟିଓ ଙ୍କ ପକ୍ଷରୁ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୮୯ଟି, ହେଲମେଟ୍ ନ ପିନ୍ଧିବା ପାଇଁ ୨୫୩୦ଟି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ପାଇଁ ୨୫୪୪ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧୬୬ଟି ମାମଲା ରୁଜୁ ହେବା ସହ ୯୨୧ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା ।
ସେହିପରି ପୋଲିସ ପକ୍ଷରୁ ଇ-ଚାଲାଣ ମାଧ୍ୟମରେ ହେଲମେଟ୍ ନ ପିନ୍ଧିବା ପାଇଁ ୧୩୫୫ଟି ଓ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୫୩୫ , ମଦ୍ୟପ ଗାଡ଼ି ଚାଳନା ପାଇଁ ୧୦୮ ଟି ଚାଲାଣ କରାଯାଇଥିବା ସୂଚନା ଦିଆଯାଇଥିଲା ।
ଏ ବର୍ଷର ପ୍ରଥମ ସାତ ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୪୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ଏହି ଅବସରରେ ଦୁର୍ଘଟଣାରୁ ଜୀବନ ରକ୍ଷା କରିବା ପାଇଁ ବେଷ୍ଟ୍ ସାମାରିଟାନ ହିସାବରେ ଅଧ୍ୟାପକ ତଥା ସଡ଼କ ସୁରକ୍ଷା ମାଷ୍ଟର ଟ୍ରେନର ଅଶୋକ କୁମାର ପାଣ୍ଡିଆଙ୍କୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହି ସମୀକ୍ଷା ବୈଠକରେ ଡି ଏସ୍ପି ଗୌରାଙ୍ଗ ଚରଣ ସାହୁ , ଆର୍ ଆଣ୍ଡ ବି ଯନ୍ତ୍ରି କୁନା ଚରଣ ସିଂ, ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ସାହୁ, ଏମ୍ଭିଆଇ ସଞ୍ଜୟ କୁମାର ବେହେରା, ଟ୍ରାଫିକ ଇନସ୍ପେକ୍ଟର ଦେବାଶିଷ ନାୟକ, ଏସ୍ଡିଓ ଏନ୍ଏଚ୍ ପ୍ରଶାନ୍ତ କୁମାର ସାହୁ, ଟ୍ରକ୍ ମାଲିକ ସଂଘ ସଭାପତି ଶିବ ମିଶ୍ର,ପ୍ରାଇଭେଟ୍ ବସ୍ ଆସୋସିଏସନ୍ର ଶେଖ୍ ସାମିଉଲ୍ଲା ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ ।






