Indus Valley Times

ଗଜପତି: ରାମଲିଙ୍ଗେଶ୍ୱର ମନ୍ଦିର ପରିସରକୁ ଲାଗି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିରାଟ ଗାତ ଓ ଭଙ୍ଗା ଭୂତଳ ପୋଲ

 Breaking News

ଗଜପତି: ରାମଲିଙ୍ଗେଶ୍ୱର ମନ୍ଦିର ପରିସରକୁ ଲାଗି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିରାଟ ଗାତ ଓ ଭଙ୍ଗା ଭୂତଳ ପୋଲ

ଗଜପତି: ରାମଲିଙ୍ଗେଶ୍ୱର ମନ୍ଦିର ପରିସରକୁ ଲାଗି ମୁଖ୍ୟ ରାସ୍ତା ପାର୍ଶ୍ୱରେ ବିରାଟ ଗାତ ଓ ଭଙ୍ଗା ଭୂତଳ ପୋଲ
September 15
20:10 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୯ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସଂଲଗ୍ନ ଗୋଷାଣୀ ବ୍ଲକର ନୂଆ କେରେଣ୍ଡି ଗ୍ରାମ ନିକଟରେ ରାସ୍ତା ଓ ଭଙ୍ଗା ପୋଲର ସୁରକ୍ଷାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ଗୁରୁତର ସମସ୍ୟା ଦେଖା ଦେଇଛି।
ରାମଲିଙ୍ଗେଶ୍ୱର ମନ୍ଦିର ପରିସର ସୀମା ପାଚେରିକୁ ଲାଗି ଏବଂ ପାରଳାଖେମୁଣ୍ଡି–ବ୍ରହ୍ମପୁର–ପଲାସା ଯାତାୟାତର ମୁଖ୍ୟ ରାସ୍ତା କଡ଼ ପାର୍ଶ୍ୱ ଧୋଇ ହୋଇ ଯାଇଥିବା ଏବଂ ତାକୁ ଲାଗିଏକ ଭୂତଳ ପୋଲ ଦୀର୍ଘଦିନ ଧରି ଅବ୍ୟବସ୍ଥିତ ତଥା ପରିତ୍ୟକ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ଏବଂ ଏଥିପ୍ରତି ସମ୍ପୃକ୍ତ ବିଭାଗ କୌଣସି ମରାମତି କାର‌୍ୟ୍ୟ କରି ନ ଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଏକ ଗୁରୁତର ଅଭିଯୋଗ ହୋଇଛି। ଏହା ସହିତ ମନ୍ଦିର ପାଚେରୀକୁ ଲାଗି ପ୍ରାୟ ୧୦ ଫୁଟ ଗଭୀର ଏକ ବିରାଟ ଗାତ ରହିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦୁର୍ଘଟଣାକୁ ନେଇ ଭୟ ବଢ଼ିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ନୂଆ କେରେଣ୍ଡି ଗ୍ରାମର ଅନେକ ଅଞ୍ଚଳରୁ ନିଷ୍କାସିତ ହେଉଥିବା ବର୍ଷା ଓ ନାଳପାଣି ଏହି ପରିତ୍ୟକ୍ତ ନାଳ ଗାତ ଦେଇ ରାମସାଗରକୁ ଯାଇଥାଏ।
କିନ୍ତୁ ଗାତର ଅବସ୍ଥା ଦିନକୁ ଦିନ ଅଧିକ ବିପଜ୍ଜନକ ଓ ଶୋଚନୀୟ ହୋଇ ପଡ଼ୁଥିବା ଯୋଗୁଁ ଏହା ଦୀର୍ଘ ମାସ ହେଲାଣି ଯାତାୟାତକାରୀଙ୍କ ପାଇଁ ବିପଦପୂର୍ଣ୍ଣ ତଥା ମୃତ୍ୟୁଫାନ୍ଦ ପାଲଟିଛି ବୋଲି ଅଭିଯୋଗ ହୋଇଛି।
ବିଶେଷକରି ରାତ୍ରି ସମୟରେ ଏହି ସ୍ଥାନଟି ଅଧିକ ବିପଦପୂର୍ଣ୍ଣ ହୋଇପଡ଼ୁଛି। ପର‌୍ୟ୍ୟାପ୍ତ ଆଲୋକ ବ୍ୟବସ୍ଥା ନ ଥିବାରୁ ଏବଂ ସାମାନ୍ୟ ବୁଲାଣି ରାସ୍ତା ନା କିଛି ସତର୍କ ସଙ୍କେତ ନ ଥିବା ଯୋଗୁଁ ଗାତ ଓ ଭଙ୍ଗା ପୋଲ ସମ୍ପର୍କରେ ଦୂରରୁ ଯାତାୟାତକାରୀ ମାନେ ସହଜରେ ଜାଣିପାରୁନାହାନ୍ତି। ଫଳରେ ଦୁଇଚକିଆ ଯାନ, ସାଇକେଲ ଓ ଅନ୍ୟାନ୍ୟ ଯାନବାହନ ଚାଳକମାନେ ବିପଦରେ ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଦୁର୍ଘଟଣାର ଭୟରେ ଅଞ୍ଚଳବାସୀ ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟକ ଯାନବାହନ ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ପଲାସା ଅଭିମୁଖେ ଯାତାୟାତ କରୁଛି। ଏପରି ଏକ ବ୍ୟସ୍ତବହୁଳ ରାସ୍ତା କଡ଼ରେ ଏତେ ବଡ଼ ଗାତ ଖୋଲା ଅବସ୍ଥାରେ ରହିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ହୋଇନଥିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ସ୍ଥାନରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷକରି ଅସାବଧାନତା କିମ୍ବା ଅନ୍ଧାରରେ ଯାତାୟାତ କରୁଥିବା ଲୋକେ ଗାତରେ ପଡ଼ି ଆହତ ହେବାର ଆଶଙ୍କା ରହିଛି। ଆଗାମୀ ଦିନରେ ଏଠାରେ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଓ ପୂର୍ତ୍ତ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଏ ସମ୍ପର୍କରେ ଅଞ୍ଚଳବାସୀଙ୍କ ଠାରୁ ଗୁରୁତର ଅଭିଯୋଗ ଶୁଣି ଘଟଣାସ୍ଥଳ ପରିଦର୍ଶନ କରି ବିଧାୟକ
ଗ୍ରାମବାସୀଙ୍କ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ଅବଗତ ହୋଇ ଘଟଣା ସ୍ଥଳର ସ୍ଥିତି ଅନୁଧ୍ୟାନ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଘଟଣାସ୍ଥଳ ପରିଦର୍ଶନ କରି ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ।
ସମସ୍ୟାର ଗୁରୁତ୍ୱ ସମ୍ପର୍କରେ ଘଟଣାସ୍ଥଳରୁ ହିଁ ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ ପୂର୍ତ୍ତ ବିଭାଗର ଉପରିସ୍ଥ ଯନ୍ତ୍ରୀ ତଥା ଅଧୀକ୍ଷଣ ଯନ୍ତ୍ରୀ ଅଭିଷେକ ସେଠୀଙ୍କୁ ଫୋନ୍ ଯୋଗେ ଅବଗତ କରାଇଥିଲେ।
ବିଧାୟକ ସ୍ଥିତି ସମ୍ପର୍କରେ ସମସ୍ତ ଗୁରୁତର ବିଷୟ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସେଠୀଙ୍କୁ ଜଣାଇ ଆଲୋଚନା କରିବା ପରେ ଉକ୍ତ ସ୍ଥାନରେ ଥିବା ଗାତ ଓ ଭୂତଳ ପୋଲର ସମସ୍ୟାକୁ ଗୁରୁତ୍ୱ ଦେଇ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଆବଶ୍ୟକ ମରାମତି କାର‌୍ୟ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ତୁରନ୍ତ ସମାଧାନ ନହେଲେ ବଡ଼ ଅଘଟଣ ଘଟିବା ଆଶଙ୍କା ରହିଛି ।
ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଏହା କେବଳ ଏକ ଛୋଟ ରାସ୍ତା ସମସ୍ୟା ନୁହେଁ; ଏହା ଲୋକଙ୍କ ଜୀବନ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତର ପ୍ରସଙ୍ଗ। ମନ୍ଦିର ନିକଟରେ ଥିବାରୁ ପୂଜାପାଠ ଓ ବିଭିନ୍ନ ଧାର୍ମିକ ଅବସରରେ ଏଠାକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଥାଏ। ଏପରି ସ୍ଥାନରେ ବିରାଟ ଗାତ ଖୋଲା ରହିବା ଏବଂ ପୋଲ ଭାଙ୍ଗିଯାଇଥିବା ଅବସ୍ଥାରେ ଥିବା ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ଗ୍ରାମବାସୀ କହିଛନ୍ତି।
ତେଣୁ ଗାତକୁ ସୁରକ୍ଷିତ ଭାବେ ପୋତିବା/ପ୍ରତିରୋଧ କରିବା, ଭୂତଳ ପୋଲର ଆବଶ୍ୟକୀୟ ମରାମତି, ନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ରାସ୍ତା କଡ଼ରେ ସତର୍କତାମୂଳକ ବ୍ୟବସ୍ଥା ଓ ଆଲୋକୀକରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏହି ଗସ୍ତ ସମୟରେ ବିଧାୟକ ରୁପେଶ କୁମାର ପାଣିଗ୍ରାହୀଙ୍କ ସହ ଜିଲ୍ଲା ପରିଷଦ ସଦସ୍ୟ ଏସ୍‌. ବାଲାରାଜୁ, ସ୍ଥାନୀୟ ସରପଞ୍ଚ ୱାଇ. ଦଣ୍ଡପାଣି, ୱାର୍ଡ ମେମ୍ବର ସନିଆ ପଲେଇ, ପୂର୍ବତନ ସମିତି ସଭ୍ୟ ଦିବାକର ରାଓ, ବ୍ରହ୍ମାନନ୍ଦ ପଣ୍ଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଉପସ୍ଥିତ ଥିଲେ।
ଘଟଣାସ୍ଥଳରେ ସମସ୍ୟାର ଗମ୍ଭୀରତା ଅନୁଧ୍ୟାନ କରାଯାଇଥିବାରୁ ଖୁବ୍‌ଶୀଘ୍ର ମରାମତି କାର‌୍ୟ୍ୟ ଆରମ୍ଭ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ତେବେ କେବଳ ମୌଖିକ ନିର୍ଦ୍ଦେଶରେ ସୀମିତ ନରହି ଯଥାଶୀଘ୍ର ମାଟିସ୍ତରରେ କାମ ଆରମ୍ଭ କରାଯାଇ ରାସ୍ତାକୁ ଦୁର୍ଘଟଣାମୁକ୍ତ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଅଞ୍ଚଳବାସୀଙ୍କ ଏକମାତ୍ର ଦୃଢ଼ ଦାବି ଯେ: ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ପରିତ୍ୟକ୍ତ ଗାତ ଓ ଭଙ୍ଗା ପୋଲର ସ୍ଥାୟୀ ମରାମତି ଶୀଘ୍ର କରାଯାଉ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930