Indus Valley Times

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ : ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ

 Breaking News

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ : ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ

ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପାଇଁ ଖୋରଧା ସହର ଚଳଚଂଚଳ : ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଲେ ବିଘ୍ନରାଜ ଗଣେଶ
September 15
18:17 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୫/୯ : ପାର୍ବଣ ଋତୁର ଆଗମନ ସହିତ ଖୋରଧା ସହରରେ ଉତ୍ସବର ରଙ୍ଗ ଲାଗିଛି। ଗଣେଶ ଚତୁର୍ଥୀ ଅବସରରେ ସହରର ବିଭିନ୍ନ ସାହି, ବସ୍ତି, କ୍ଳବ ଓ ପୂଜାମଣ୍ଡପରେ ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ଆରାଧନା ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି।
ସକାଳୁ ବିଭିନ୍ନ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ବେଳକୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମରେ ସହରର ପରିବେଶ ଚଳଚଞ୍ଚଳ ହୋଇଉଠିଥିଲା।
ଗଣେଶ ପୂଜାକୁ ନେଇ ସହରର ବିଭିନ୍ନ ଅଞ୍ଚଳରେ ପୂଜାମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଭାବେ ସଜାଯାଇଛି। କେଉଁଠି ଆଲୋକମାଳାରେ ମଣ୍ଡପ ଝଲସି ଉଠିଛି ତ ଆଉ କେଉଁଠି ବିଭିନ୍ନ ଥିମ୍ ଆଧାରିତ ସାଜସଜ୍ଜା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପୂଜାମଣ୍ଡପ ଗୁଡ଼ିକରେ ଭକ୍ତିମୟ ପରିବେଶ ସହିତ ପ୍ରସାଦ ବଣ୍ଟନ ଓ ବିଭିନ୍ନ ଧାର୍ମିକ କାର‌୍ୟ୍ୟକ୍ରମ ମଧ୍ୟ ଆୟୋଜିତ ହେଉଛି।
ଗଣେଶଙ୍କୁ ବିଘ୍ନବିନାଶକ ଓ ଅଗ୍ରପୂଜ୍ୟ ଭାବେ ପୂଜା କରାଯାଉଥିବାରୁ ନୂଆ କାର୍ଯ୍ୟର ଶୁଭାରମ୍ଭ ଓ ମଙ୍ଗଳ କାମନା ପାଇଁ ଭକ୍ତମାନେ ତାଙ୍କ ଆଶୀର୍ବାଦ ଲାଭ କରିବାକୁ ପୂଜାମଣ୍ଡପରେ ପହଞ୍ଚିଥିଲେ। ପରିବାର ସହ ମହିଳା, ଶିଶୁ ଓ ଯୁବପିଢ଼ି ମଧ୍ୟ ବିଭିନ୍ନ ମଣ୍ଡପ ପରିଦର୍ଶନ କରି ଗଜାନନଙ୍କ ଦର୍ଶନ କରିଥିଲେ। ସେହିପରି
ଖୋରଧା ଜିଲ୍ଲା ପ୍ରେସ କ୍ଲବ ପରିସରରେ ମଧ୍ୟ ପ୍ରତିବର୍ଷ ଭଳି ଏବର୍ଷ ଗଣେଶ ପୂଜା ଶ୍ରଦ୍ଧା ଓ ଭକ୍ତିଭାବରେ ଅନୁଷ୍ଠିତ ହୋଇଛି। ପ୍ରେସ୍ କ୍ଲବ ପକ୍ଷରୁ ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ପୂଜାମଣ୍ଡପକୁ ସୁନ୍ଦର ଭାବେ ସଜାଯାଇଥିଲା। ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାବିଧି ସମ୍ପନ୍ନ ହୋଇଥିଲା।
ଜିଲ୍ଲା ପ୍ରେସ୍ କ୍ଲବରେ ଅନୁଷ୍ଠିତ ପୂଜାରେ କ୍ଲବର ଉପସଭାପତି ପ୍ରସନ୍ନ କୁମାର ପାଇକରାୟ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପୁରୋହିତ ପ୍ରଭାତ କୁମାର ପାଣିଗ୍ରାହୀ ବିଧିବିଧାନ ଅନୁଯାୟୀ ପୂଜାକାର‌୍ୟ୍ୟ ସମ୍ପାଦନ କରିଥିଲେ।
ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ, ଘଣ୍ଟଘଣ୍ଟା ଓ ଧୂପଦୀପର ସୁଗନ୍ଧରେ ପ୍ରେସ କ୍ଲବ ପରିସର ଏକ ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା। ଗଜାନନଙ୍କ ଆବାହନ ଓ ପୂଜା ସମୟରେ ଉପସ୍ଥିତ ସଦସ୍ୟମାନେ ଭକ୍ତିର ସହ ପ୍ରଭୁଙ୍କ ଆଶୀର୍ବାଦ କାମନା କରିଥିଲେ।
ଗଣେଶ ପୂଜା କେବଳ ଧାର୍ମିକ ଉତ୍ସବ ମଧ୍ୟରେ ସୀମିତ ନ ରହି ପ୍ରେସ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଭାଇଚାରା ଓ ସାମୂହିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ଅବସର ମଧ୍ୟ ପାଲଟିଛି।
ପୂଜାରେ ପ୍ରେସ୍ କ୍ଲବର ସଭାପତି ତପନ କୁମାର ନାୟକ, ସମ୍ପାଦକ ପ୍ରକାଶ କୁମାର ହାତୀ, ଇକବାଲ ଅହମ୍ମଦ, ଦିଲ୍ଲୀପ କୁମାର ପଟ୍ଟନାୟକ, ରଞ୍ଜିତ କେ.ଏନ୍. ସାମନ୍ତରାୟ, ଗୋପାଳ କୃଷ୍ଣ ଦାସ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀଙ୍କ ସମେତ କ୍ଲବର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପୂଜାରେ ସାମିଲ ହୋଇଥିଲେ।
ଖୋର୍ଦ୍ଧା ସହରର ବିଭିନ୍ନ ମଣ୍ଡପରେ ଗଣେଶ ପୂଜା ଦଶଦିନ ଧରି ଚାଲିବାକୁ ଥିବାରୁ ଆଗାମୀ ଦିନଗୁଡ଼ିକରେ ସହରରେ ଉତ୍ସବର ମାହୋଲ ଆହୁରି ଜମିବାର ଆଶା କରାଯାଉଛି। ପୂଜା କମିଟିଗୁଡ଼ିକ ପକ୍ଷରୁ ଭକ୍ତଙ୍କ ଦର୍ଶନ, ପ୍ରସାଦ ବଣ୍ଟନ ଓ ଅନ୍ୟାନ୍ୟ କାର‌୍ୟ୍ୟକ୍ରମ ପାଇଁ ପ୍ରସ୍ତୁତି କରାଯାଇଛି।
ପୂଜାମଣ୍ଡପ ଗୁଡ଼ିକରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଆୟୋଜକମାନେ ମଧ୍ୟ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। ଗଣେଶ ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମାପନ କରିବା ପାଇଁ ପୂଜା କମିଟି ଓ ସ୍ଥାନୀୟ ଲୋକମାନଙ୍କ ସହଯୋଗ ମଧ୍ୟ ଗୁରୁତ୍ୱ ବହନ କରୁଛି।
ଅନ୍ୟପକ୍ଷରେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣେଶ ପୂଜାକୁ ନେଇ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଡିଜେ ଓ ଆତସବାଜି ବ୍ୟବହାର ଉପରେ କଟକଣା ରହିଛି। ଉତ୍ସବ ପାଳନ ସମୟରେ ନିୟମ ଉଲ୍ଲଂଘନ ନକରିବା ଏବଂ ସାଧାରଣ ଲୋକଙ୍କ ଶାନ୍ତି ଓ ସୁବିଧା ପ୍ରତି ଧ୍ୟାନ ଦେବାକୁ ପୂଜା କମିଟି ଗୁଡ଼ିକୁ କୁହାଯାଇଛି।
ବିଶେଷକରି ଉଚ୍ଚଶବ୍ଦ ଓ ଅନାବଶ୍ୟକ ଶବ୍ଦ ପ୍ରଦୂଷଣ ଯେପରି ନ ହୁଏ, ସେଥିପ୍ରତି ଆୟୋଜକମାନେ ସଚେତନ ରହିବା ଆବଶ୍ୟକତା ରହିଛି। ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରି ଧାର୍ମିକ ଭାବନା ସହିତ ପରିବେଶ ଓ ସାଧାରଣ ଲୋକଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ଉତ୍ସବ ପାଳନ କରିବାକୁ ଆହ୍ୱାନ ରହିଛି।
ଗଣେଶ ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ପୂଜାମଣ୍ଡପ ଉପରେ ନଜର ରଖାଯାଇଛି। ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ବ୍ୟବସ୍ଥା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।
ସହରରେ ଧାର୍ମିକ ଉତ୍ସବକୁ ଶାନ୍ତି ଓ ସୌହାର୍ଦ୍ଦ୍ୟର ସହ ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ ମଧ୍ୟ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ସେହିପରି
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଜଟଣୀ ସହର
ରଙ୍ଗୀନ ଆଲୋକ ମାଳରେ ଝଲସୁଛି ରାସ୍ତାଘାଟ
ଜଟଣୀ :ପବିତ୍ର ଗଣେଶ ପୂଜା ଉତ୍ସବ ଜଟଣୀର ଅନ୍ୟତମ ସାଂସ୍କୃତିକ ଓ ଭାଇଚାରାର ଉତ୍ସବ। ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଖେଇ ଆସିଲେ ଚଳଚଞ୍ଚଳ ହୋଇଉଠେ ସମଗ୍ର ସହର କ୍ଷ ଗଣେଶ ଚତୁର୍ଥୀ ଠାରୁ ଆରମ୍ଭ ହୋଇ ଇନ୍ଦୁ ପୂର୍ଣିମା ପର‌୍ୟ୍ୟନ୍ତ ଦଶ ଦିନ ଧରି ପୂଜା ଏଠାରେ ଧୁମଧାମରେ ପାଳିତ ହୁଏ। ଜଟଣୀ ଗଣେଶ ପୂଜାର ଅନ୍ୟତମ ବିଶେଷତଃ ହେଲା ଏଠାରେ ଗଶେଶଙ୍କ ସହ ମା ଲକ୍ଷ୍ମୀ ଓ ସରସ୍ଵତୀ ଏକତ୍ର ପୂଜା ପାଆନ୍ତି କ୍ଷ ସହରର ମୁଖ୍ୟ ପୂଜା ପେଣ୍ଡାଲ ଗୁଡିକ ହେଲା ଯଥାକ୍ରମେ କୁଦିଆରୀ ବଜାର, ନୀଳଚକ୍ର ମାର୍କେଟ, ମାଛ ଓ ପରିବା ମାର୍କେଟ, ଗୋଲେଇ ମାର୍କେଟ, ଗୋପବନ୍ଧୁ ବଜାର, ରାଜାବଜାର, ପୋଷ୍ଟ ଅଫିସ ଛକ, ସୀତାରାମ ଛକ, ବଡ଼ ବଜାର, ହାଟ ବଜାର, ଥାନା ଛକ, ମହୁଲ ଗୁଡ଼ିଆ ଛକ, ହରି ଭାଇନା ଛକ, ଖୁଦୁପୁର ଛକ ଆଦି ସ୍ଥାନରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ବିଦ୍ୟୁତ ସାଜସଜା ବେଶ ଆକର୍ଷଣୀୟ ହୋଇଥିବା ଦେଖିବାକୁ ମିଳିଛି କ୍ଷ ଏଥି ସହ ଭିନ୍ନଭିନ୍ନ ମଣ୍ଡପରେ ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ଭୋଗ ଲାଗି ହୁଏ କ୍ଷ ଦୀର୍ଘ ଦଶ ଦିନ ଧରି ଛୋଟ ବଡ଼ ହୋଇ ୧୦୦ ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଉଥିଲେହେଁ ସ୍ୱୀକୃତି ପ୍ରାପ୍ତ ୧୮ ଟି ବଜାର କମିଟିର ପୂଜା ମଣ୍ଡପ ଗୁଡିକୁ ପ୍ରାଧାନ୍ୟ ଦିଆଯାଇଥାଏ କ୍ଷ ଏହି ପରିପ୍ରେକ୍ଷୀରେ କଳିଙ୍ଗ ଯୁବ ପରିଷଦ ଆନୁକୂଲ୍ୟରେ ଓଡ଼ିଶାର ଲୋକକଳା, ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ଶରତ ପାଇକରାୟ ଷ୍ଟାଡିୟମରେ ଗଣେଶ ମହୋତ୍ସବ ସୋମବାର ସନ୍ଧ୍ୟା ସମୟରୁ ଉଦଘାଟିତ ହୋଇଯାଇଛି କ୍ଷ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମିତ୍ତ ଅତିରିକ୍ତ ଡିସିପିଙ୍କ ତତ୍ୱାବଧାନରେ ୩୪ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ସମସ୍ତ ଛକ ଓ ପୂଜା ମଣ୍ଡପ ନିକଟରେ ମୁତୟନ କରାଯାଇଛି ବୋଲି ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ କହିଛନ୍ତି କ୍ଷ ପାଗ ଭଲ ଥିବାରୁ ପ୍ରଥମ ଦିନରୁ ଖଚାଖଚ ଭିଡ ପରିଲକ୍ଷିତ ହୋଇଛି କ୍ଷ

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930