ଜିଲ୍ଲାରେ ୩୭୫ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ; ୧୮ଟି ଅଗ୍ନିଶମ ଓ ୧୦ଟି ଓଏଫଡିସି ଟିମ ନିୟୋଜିତ, ୧୬୩ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୦/୧୧ : ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଓ ଜରୁରୀକାଳୀନ ପଦକ୍ଷେପ ଜାରି ରହିଛି।
ଶୁକ୍ରବାର ଅପରାହ୍ଣ ୩ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୨୫ ହଜାର ୫୨୭ ଜଣଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲା ଜରୁରୀକାଳୀନ ଅପରେସନ କେନ୍ଦ୍ର (ଡିଇଓସି) ପକ୍ଷରୁ ପ୍ରକାଶିତ ସଦ୍ୟତମ ସ୍ଥିତି ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୪୨୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିବାବେଳେ ସମସ୍ତ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି।
ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ଜିଲ୍ଲାରେ ୩୭୫ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇଛି। ଏହାଦ୍ୱାରା ବିପଦସଂକୁଳ ଅଞ୍ଚଳରୁ ସ୍ଥାନାନ୍ତରିତ ଲୋକଙ୍କୁ ନିୟମିତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରାଯାଉଛି।
ବିପର୍ଯ୍ୟୟର ମୁକାବିଲା ଓ ଜରୁରୀ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୧୮ଟି ଅଗ୍ନିଶମ ଟିମ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଉପଖଣ୍ଡରେ ୮ଟି ଏବଂ ଭୁବନେଶ୍ୱର ଉପଖଣ୍ଡରେ ୧୦ଟି ଟିମ ମୁତୟନ ହୋଇଛନ୍ତି।
ସେହିପରି ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି)ର ୧୦ଟି ଟିମକୁ ମଧ୍ୟ ମୁତୟନ କରାଯାଇଛି।
ଏଥିରୁ ଖୋର୍ଦ୍ଧା ଉପଖଣ୍ଡରେ ୩ଟି ଏବଂ ଭୁବନେଶ୍ୱର ଉପଖଣ୍ଡରେ ୭ଟି ଟିମ ରହିଛନ୍ତି।
ରିପୋର୍ଟ ପ୍ରସ୍ତୁତ ହେବା ସମୟରେ ଜିଲ୍ଲାରେ କୌଣସି ଓଡ୍ରାଫ କିମ୍ବା ଏନଡିଆରଏଫ ଟିମ ଉପଲବ୍ଧ ନଥିବାବେଳେ ଅଧିକ ସୁରକ୍ଷା ବ୍ୟବସ୍ଥା ଓ ଉଦ୍ଧାର କାର୍ୟ୍ୟକୁ ସୁଦୃଢ଼ କରିବା ଲାଗି ୨ଟି ଓଡ୍ରାଫ ଟିମ ମଗାଯାଇଛି। ଜିଲ୍ଲାର ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ଉପଜିଲ୍ଲାପାଳ, ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ମଧ୍ୟ ପ୍ରସ୍ତୁତି ଓ ରିଲିଫ କାର୍ୟ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି।
ବିଶେଷକରି ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପ୍ରଶାସନ ପକ୍ଷରୁ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧୬୩ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସେମାନଙ୍କ ମଧ୍ୟରୁ ୧୦୭ ଜଣ ମହିଳାଙ୍କର ଇତିମଧ୍ୟରେ ପ୍ରସବ ହୋଇଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି।
ଏଥିସହିତ ବିପନ୍ନ ଓ ସ୍ଥାନାନ୍ତରିତ ଲୋକଙ୍କୁ ଯୋଗାଇଦେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପରିମାଣର ଶୁଖିଲା ଖାଦ୍ୟ ମହଜୁଦ ରଖାଯାଇଛି। ଏଥିରେ ୫୭.୦୧ କ୍ୱିଣ୍ଟାଲ ଚୁଡ଼ା, ୧୫.୮୩୩ କ୍ୱିଣ୍ଟାଲ ଗୁଡ଼ ଏବଂ ୨୧ ହଜାର ୯୧୧ ପ୍ୟାକେଟ ବିସ୍କୁଟ ରହିଛି। ଜରୁରୀ ପରିସ୍ଥିତିରେ ପ୍ରଭାବିତ ପରିବାରଙ୍କୁ ସହାୟତା ପାଇଁ ୨ ହଜାର ୩୮୩ ରୋଲ ପଲିଥିନ ମଧ୍ୟ ମହଜୁଦ ରଖାଯାଇଛି।
ଅନ୍ୟପକ୍ଷରେ ବାତ୍ୟାଜନିତ ପ୍ରତିକୂଳ ପାଣିପାଗରେ ଜୀବନହାନି ଆଶଙ୍କାକୁ ଏଡ଼ାଇବା ପାଇଁ ଚିଲିକା ହ୍ରଦ ସମେତ ଅନ୍ୟାନ୍ୟ ଅଧିସୂଚିତ ଜଳଭାଗରେ ମାଛଧରା ଡଙ୍ଗା, ପର୍ୟ୍ୟଟକ ଡଙ୍ଗା ଏବଂ ବାଣିଜ୍ୟିକ ଡଙ୍ଗା ଚଳାଚଳ ଉପରେ ନଭେମ୍ବର ୨୧ ତାରିଖ ପର୍ୟ୍ୟନ୍ତ କଟକଣା ଜାରି କରାଯାଇଛି।
ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ୟ୍ୟକ୍ଷମ ରହି ଜରୁରୀକାଳୀନ ପଦକ୍ଷେପର ସମନ୍ୱୟ ଓ ପାଣିପାଗ ସ୍ଥିତି ଉପରେ ନଜର ରଖିଛି। ରିପୋର୍ଟିଂ ସମୟ ମଧ୍ୟରେ ଜିଲ୍ଲାରେ ହାରାହାରି ୨୪.୨୬ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଅପରାହ୍ଣ ୩ଟା ସୁଦ୍ଧା ପବନର ବେଗ ସ୍ୱାଭାବିକ ରହିଥିବା ଜଣାପଡ଼ିଛି। ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ନଭେମ୍ବର ୨୦ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯାଇଛି।
ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସରକାରୀ ସତର୍କ ସୂଚନା ଓ ପରାମର୍ଶ ପାଳନ କରିବା ସହ ସ୍ଥାନାନ୍ତରଣ କାର୍ୟ୍ୟରେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ୟ୍ୟନ୍ତ ଲୋକମାନେ ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳୀରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି। ବିଶେଷକରି ଶିଶୁ, ବୟସ୍କ, ଗର୍ଭବତୀ ମହିଳା ଓ ଅନ୍ୟାନ୍ୟ ଅସହାୟ ବର୍ଗଙ୍କ ସୁରକ୍ଷା, ଖାଦ୍ୟ ବଣ୍ଟନ ଏବଂ ଜରୁରୀ ସେବାର ଉପଲବ୍ଧତା ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି।







