Indus Valley Times

ଆମ୍ବ ଟାକୁଆ ଖାଇବା ପଛର ସତ କାହାଣୀ

 Breaking News

ଆମ୍ବ ଟାକୁଆ ଖାଇବା ପଛର ସତ କାହାଣୀ

November 02
12:35 2024

By Kailash Chandra Dandapat 

ଅଶି ନବେ ଦଶକରେ ଆମ୍ବ ଟାକୁଆ ବିଷୟ, ରାୟଗଡା ର କାଶୀପୁର ଓ କନ୍ଧମାଳର ବୁତେଡି ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା ପରେ ଥଣ୍ଡା ପଡିଯାଇଥିଲା। ଗତ କାଲି ଗଦାପୁର ପଞ୍ଚାୟତ ର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ରୁ ପ୍ରସ୍ତୁତ ଖାଦ୍ୟ ଖାଇ ଦୁଇ ମହିଳାଙ୍କ ମୃତ୍ୟୁ ପରେ ଏହା ପୁଣି ଆଲୋଚ୍ୟ ବିଷୟ ପାଲଟିଛି। ଆମ୍ବଟାକୁଆ ସାଧାରଣ ରେ ଖାଦ୍ୟ ଯୋଗ୍ୟକି ବୋଲି ବହୁତ ଲୋକ ପ୍ରଶ୍ନ କରୁଛନ୍ତି। ଗତ ଦୁଇ ଦିନ ତଳେ ଜାଗୃତି ରେ ଆୟୋଜିତ ପାରମ୍ପରିକ ଖାଦ୍ଯ ମେଳା ରେ ଉପସ୍ଥିତ ଲୋକଙ୍କୁ କିଏ ଆମ୍ବ ଟାକୁଆ ରୁ ପ୍ରସ୍ତୁତ ଖାଦ୍ଯ ଖାଇଛ ବୋଲି ପଚାରିବାରୁ କେବଳ ଟିକିଏ ବୟସ୍କ ଲୋକ ହାତ ଉଠାଇଥିଲେ। ଅନେକ କମ ବୟସ ର ଅଂଶ ଗ୍ରହଣ କାରୀ ମୁହଁ ଚାହାଁ ଚାହିଁ ହୋଇଥିଲେ।

ଆମ୍ବ ଟାକୁଆ କୁ ଖାଦ୍ଯ ରୂପେ ଗ୍ରହଣ କରିବାର ବିଭିନ୍ନ ଦିଗ ଅଛି। ସେଥିମଧ୍ୟରୁ ମୁଖ୍ଯତଃ ଦୁଇଟି ଦିଗ ଉପରେ ଆଲୋଚନା କରିବି । ଗୋଟିଏ ହେଲା ପାରମ୍ପରିକ ଖାଦ୍ୟ ସାରଣୀ। କନ୍ଧମାଳ ଓ ଏହାର ପଡୋଶୀ ରାୟଗଡା ଓ ଗଜପତି ଜିଲା ର ଆଦିବାସୀ ତଥା ଅନ୍ୟାନ୍ୟ ଜଙ୍ଗଲ ଉପରେ ମୁଖ୍ଯତଃ ନିର୍ଭର କରୁଥିବା ଲୋକଙ୍କ ପାରମ୍ପରିକ ଖାଦ୍ୟ ପ୍ରାୟ ସମାନ। କନ୍ଧମାଳ ଜିଲା ରେ ମୋର ଜାଣିବାରେ ପ୍ରାୟ 128 ପ୍ରକାରର ଅଣ ଚାଷ ଜଙ୍ଗଲରୁ ମିଳୁଥିବା ଖାଦ୍ୟ ରହିଛି। ଅଶି ଓ ନବେ ଦଶକରେ ଜଙ୍ଗଲରୁ ମିଳୁଥିବା ବିଭିନ୍ନ ପ୍ରକାରର କନ୍ଦା, ମୂଳ, ଚେର, ଶାଗ, ଫୁଲ, ଫଳ, ଆଦିବାସୀ ତଥା ଅନ୍ୟାନ୍ୟ ଜଙ୍ଗଲ ଉପରେ ମୁଖ୍ଯତଃ ନିର୍ଭର କରୁଥିବା ଲୋକଙ୍କ ଖାଦ୍ୟ ଥାଳି ର ଏକ ମୁଖ୍ୟ ଉପାଦାନ ଥିଲା। ଆମ୍ବ – ପଣସ ଖାଇ ଲୋକେ କିଛିଦିନ କଟାଇ ଦେଉଥିଲେ। ଆମ୍ବ ଖାଇସାରିଲା ପରେ ବା ଆମ୍ବରୁ ଚମ୍ପେଇତ, ଆମ୍ବୁଲ ଓ ଆମ୍ବ ଶଢା ବନାଇଲାପରେ, ଏହାର ଟାକୁଆକୁ ଫିଙ୍ଗି ନଦେଇ, ଧାନ ଚାଉଳ ଭଳି ସାଇତି ରଖୁଥିଲେ। ଯାହାକି ମୁଖ୍ଯତଃ ବର୍ଷାଦିନରେ ଭୋକ ସମୟରେ ଖାଉଥିଲେ। ତେଣୁ ଏହାକୁ କେଉଁ ଅନାଦି କାଳରୁ ଖାଦ୍ୟଭାବେ ଆଦିବାସୀ ଅଞ୍ଚଳର ଲୋକେ ବ୍ୟବହାର କରିଆସୁଛନ୍ତି। ଏହାର ବ୍ୟବହାର ପ୍ରଣାଳୀ କହିଲେ, ପ୍ରଥମେ ଆମ୍ବଟାକୁଆ କୁ ଆଣି ତାର ଉପର ର ଶକ୍ତ ଆବରଣ କୁ ବାଡେଇ ଭାଙ୍ଗି ତା ଭିତରୁ କୋଇଲି କଢାଯାଏ। ତାପରେ ତାକୁ ଆହୁରି ଭାଙ୍ଗି ଛୋଟ ଛୋଟ ଟୁକୁଡା କରି, ବିଶେଷ ରୂପେ ଛୋଟକଣାଥିବା ଏକ ଡାଲାରେ ଭର୍ତ୍ତିକରି ଚାଲୁଥିବା ଝରଣା ପାଣିରେ ରେ ପ୍ରାୟ ଦଶ ବାର ଘଣ୍ଟା ରଖିଲେ, ତାର କଷା ଅଂଶ କମିଯାଏ। ପରେ ଏହାକୁ କୁଟି ଗୁଣ୍ଡ କରି, ଏଥିରେ ଜାଉ ପ୍ରସ୍ତୁତ କରାଯାଇ ଖିଆଯାଏ। ଏଥିରେ ପୌଷ୍ଟିକ ତତ୍ଵ ରହିଥିବା କଥା କେତେକ ଖାଦ୍ୟ ଉପରେ କାମକରୁଥିବା ସାମାଜିକ ବୈଜ୍ଞାନିକ ମତ ପ୍ରକାଶ କରିଛନ୍ତି। ତେଣୁ ଆଦିବାସୀ ତଥା ଅନ୍ୟାନ୍ୟ ଜଙ୍ଗଲ ଉପରେ ମୁଖ୍ଯତଃ ନିର୍ଭର କରୁଥିବା ଲୋକଙ୍କ ଜୀବନ ସହ ଏହି ଆମ୍ବ ଟାକୁଆ କେଉଁଠି ନା କେଉଁଠି ଜଡିତ ଓ ଏହାର ଏକ ଭାବଗତ ସମ୍ପର୍କ ରହିଛି। ମୁଁ ବହୁବାର ଟାଙ୍କୁ ଜାଉ, ଲୋକଙ୍କ ସହିତ ଖାଇଛି।

ଏହାର ଦ୍ଵିତୀୟ ଦିଗ ଟି ହେଲା ଦାରିଦ୍ରତା। ପ୍ରଶ୍ନ ଉଠେ ଆଦିବାସୀ ତଥା ଅନ୍ୟାନ୍ୟ ଜଙ୍ଗଲ ଉପରେ ମୁଖ୍ଯତଃ ନିର୍ଭର କରୁଥିବା ଲୋକ କଣ ଦାରିଦ୍ରତା ହେତୁ ଏହାକୁ ଖାଇବାକୁ ବାଧ୍ୟ ହୋଇଥାନ୍ତି। ଏହାର ଉତ୍ତର ରେ ମୋର ନିଜସ୍ୱ ମତାମତ ହଁ । ଏହା ସିଧା ସଳଖ ଭାବେ ଦାରିଦ୍ରତା ସହିତ ଯୋଡି ହୋଇ ରହିଛି। ଏହାକୁ ବୁଝିବାକୁ ହେଲେ, ଆମ୍ବକୁ କନ୍ଧମାଳ ର ଦାରିଦ୍ରତା ର ସ୍ତର (poverty ranking) କୁ ବୁଝିବାକୁ ପଡିବ। କନ୍ଧମାଳ ଜିଲାରେ ଲୋକଙ୍କ ରୋଜଗାର (ଟଙ୍କା) କୁ ନେଇ ଚଳଣି ର ସ୍ତର ମପାଯାଏ ନାହିଁ । ସରକାର ଆୟ ସମନ୍ଧୀୟ ସାର୍ଟିଫିକେଟ ଟଙ୍କା ହିସାବରେ ସେ ଲୋକର ଜମି ଆଧାରରେ ଦିଅନ୍ତି । କିନ୍ତୁ ଏହାକୁ ସାମିଜକ ସ୍ତରେରେ ଲୋକେ ବୁଝନ୍ତି ନାହିଁ। ନିଜ ଜମିରୁ ଆଦାୟ କରିଥିବା ସଶ୍ୟ କୁ ନେଇ କିଏ କେତେ ମାସ ଚଳେ- ଏହାହିଁ ସାମାଜିକ ଚଳଣି ର ମାନ ଦଣ୍ଡ । ଯିଏ ବାରମାଷ ଚଳିଲା ସେମାନେ ଧନୀ ବା ପଡ୍ରା ଗୋଷ୍ଠୀର, ଯେଉଁମାନେ ଚ୍ଛଅ ମାସରୁ ରୁ କମ ଚଳନ୍ତି, ସେମାନେ ଗରିବ ବୋଲି ଧରାଯାଏ। ଏ ଭଳି ଧନୀ ଲୋକଙ୍କ ସଂଖ୍ୟା ପ୍ରାୟ 14% ଓ ଗରିବଙ୍କ ସଂଖ୍ୟା 86%। ନବେ ଦଶକରେ ଦାରିଙ୍ଗବାଡି ବ୍ଲକ ଶରାମୁଳି ପଞ୍ଚାୟତ ଅନ୍ତର୍ଗତ ବୁତେଡି ଗ୍ରାମରେ 5 ଜଣ ଆମ୍ବାଟାକୁଆ ଖାଇଲା ପରେ ମୃତ୍ୟୁ ମୁଖରେ ପଡିଥିଲେ। ଯେତେବେଳେ ସରକାରୀ ସ୍ତରରେ ତଦନ୍ତ ହେଲା ସେତେବେଳେ ତାଙ୍କ ଭିତରୁ କିଛି ପରିବାର ର ଘରେ କିଛି ଧାନ ଥିବାର ଦେଖିବାକୁ ମିଳିଥିଲା। ତେଣୁ ଏହା ଦାରିଦ୍ରତା ଯୋଗୁ ଖାଦ୍ଯାଭାବ ହେତୁ ଟାଙ୍କୁ ଜାଉ ଖାଇ ମୃତ୍ୟୁ କୁ ତତ୍କାଳୀନ ସରକାର ମାନି ନଥିଲେ। ଏହାବି ସତ କଥା ଲୋକେ ଘରେ ଧାନ ଥାଉ ଥାଉ ଟାଙ୍କୁ ଜାଉ କାହିଁକି ଖାଇବେ? ଏ ପ୍ରଶ୍ନ ର ଉତ୍ତର ଭୋକ କୁ ବୁଝି ନଥିବା ଲୋକଙ୍କ ପାଇଁ ବୁଝିବା କଷ୍ଟ ହୋଇପାରେ। ଏହା ସହିତ ଖାଦ୍ୟ ପରିଚାଳନା ବହୁ ଭାବେ ଯୋଡିହୋଇ ରହିଛି। ଯାହାପାଖରେ ଛଅ ମାସର ଖାଦ୍ୟ ଅଛି, ସେ ବର୍ଷ ସାରା କେମିତି ଚଳିବ? ତେଣୁ ସେ ମାଣ୍ଡିଆ ଜାଉ ରେ ଚାଉଳ ମୁଠେ, ମକା ଭାତରେ, ଟାଙ୍କୁ ଯାଉରେ, କୁଇରି କିମ୍ବା କାଙ୍ଗୁ ଭାତରେ ଚାଉଳ ମୁଠେ ଦି ମୁଠା ମିଶେଇ ଯେଉଁ ଖାଦ୍ୟ ପ୍ରସ୍ତୁତ କରେ ସେଇଥିରେ ଚଳେ। ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗରିବ ଲୋକ ଆମ୍ବ, ପଣସ, ନାପା (ଏକପ୍ରକାର ଜଙ୍ଗରେ ମିଳୁଥିବା କନ୍ଦା) ଆଦି ଖାଇ ମାସ ମାସ ସଂଖ୍ୟା ଚଳିଥାନ୍ତି। ତେଣୁ ଧାନକୁ ଏକା ଥରକେ ଶେଷ ହେଲାପରେ ଅନ୍ୟାନ୍ୟ ଜଙ୍ଗଲରୁ ମିଳୁଥିବା ଖାଦ୍ୟ ଖାଆନ୍ତି ନାହିଁ। ଯେଉଁ ଅଳ୍ପ ପରିମାଣ ର ଧାନ ଥାଏ ତାକୁ ପ୍ରତିଦିନ କିଛିକିଛି ଚାଉଳ କରି ବର୍ଷ ତମାମ ଅନ୍ୟାନ୍ୟ ଶସ୍ୟ ତଥା ଜଙ୍ଗଲ ଜାତ ଦ୍ରବ୍ଯ ସହମିଶାଇ ଖାଦ୍ୟ ପ୍ରସ୍ତୁତ କରି ଚଳିଥାଏ।

ତେବେ ପ୍ରଶ୍ନ ଉଠୁଛି ସରକାର ଖାଦ୍ୟ ସୁରକ୍ଷା ଅଧିକାର ଅଧୀନରେ ମାସକୁ ଜଣ ପିଛା ପାଞ୍ଚକିଲୋ ଚାଉଳ ଦେଉଥିଲା ବେଳେ, ଲୋକେ ପୁଣି କାହିଁକି ଆମ୍ବଟାକୁଆ ଖାଉଛନ୍ତି। ଜଣେ ସାଧାରଣ ଲୋକର ପାଞ୍ଚ କିଲୋ ଚାଉଳ, 10 ରୁ 12 ଦିନ ଯାଏ। ଅବଶିଷ୍ଟ ଦିନଗୁଡିକ କିପରି ଚଳିବ? ଅବଶ୍ୟ ସରକାର MGNREGA ଯୋଜନାରେ କାମ ଯୋଗାଇ ଦେଇଛନ୍ତି, କିନ୍ତୁ ଏହାର ସୁପରିଚାଳନ ଏବେବି ପ୍ରଶ୍ନବାଚୀ ସୃଷ୍ଟି କରୁଛି ଓ ଏହା ଏବେବି ଲୋକ ଙ୍କ ଦ୍ଵାରା ଆଦୃତ ହୋଇ ପାରି ନାହିଁ। ସେଥିପାଇଁ ଏ ଅଞ୍ଚଗୁଡିକରୁ ପ୍ରାୟ 25% ରୁ ଅଧିକ ପରିବାରର ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।

ଶେଷ ରେ ପ୍ରଶ୍ନ ଉଠୁଛି ଟାଙ୍କୁ ଜାଉ ଖାଇ ଲୋକେ ମୃତ୍ୟୁ ମୁଖେ ପଡ଼ୁଛନ୍ତି କାହିଁକି? ଆମ୍ବ ଟାକୁଆ କୁ ଖାଦ୍ୟ ସ୍ତର କୁ ଆଣିବା କେତେ ଗୁଡିଏ ସୋପାନ ଅଛି। ତାକୁ ଟୁକୁଡା କରି ଚଳନ୍ତି ପାଣିରେ ରଖିବା, ତାକୁ କୁଟି ଗୁଣ୍ଡ କରିବା , ଖାଦ୍ୟ ପ୍ରସ୍ତୁତ କରି ଖାଇବା ଓ ବିଶେଷ ଭାବେ ଏହାକୁ ବାସୀ ଖାଇବା, ଏହି ସୋପାନ ଗୁଡିକ ରେ ଫଙ୍ଗାଲ ଇନଫେକ୍ଶନ ହେବାର ଅଧିକ ଆଶଙ୍କା ଥାଏ। ମୁଁ କିଛି ଖାଦ୍ୟ ବିଶେଷଜ୍ଞ ଠାରୁ ଶୁଣିଛି,ଏହାକୁ ବାସୀ କରି ଖାଇଲେ, ଏହା ଯଦି ଠିକ ଭାବେ ଫରମେଣ୍ଟେଡ ନହୁଏ, ତେବେ ଏଥିରୁ ମିଥାଏଲ ଆଲ୍କୋହଲ ସୃଷ୍ଟି ହୋଇଥାଏ, ଯାହା ବିଷାକ୍ତ ଅଟେ। ଏହା ଦେଶୀ ମଦ କ୍ଷେତ୍ରରେ ମଧ୍ୟ ଦେଖାଯାଇଥାଏ। ଆଉ ଗୋଟିଏ କଥା ହେଲା, ଯଦି ଏହି ଟାକୁଆ ଗୁଣ୍ଡ ରେ ଅଧିକ ଆଦ୍ରତା ରହିଥାଏ ଓ କିଛି ଦିନ ରହିଯାଏ, ତେବେ ଏଥିରେ ଆଲଫା ଟକସିନ ସୃଷ୍ଟି ହୋଇଥାଏ, ଯାହା ଅତି ବିଷାକ୍ତ ଅଟେ। ଏବେ ଚିକିତ୍ସା ସୁବିଧା ହେତୁ, ଲୋକେ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ଯାଇ ଚିକିତ୍ସା ହେଲେ, ଭଲ ହୋଇ ଯାଆନ୍ତି, ନହେଲେ ମୃତ୍ୟୁ ମୁଖରେ ପଡନ୍ତି।

ଏବେ ପ୍ରଶ୍ନ ଉଠୁଛି, ଏହାର ସମାଧାନର ବାଟ କଣ? ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ, କୃଷି ଓ ଲଘୁ ଜଙ୍ଗଲଜାତ ଦ୍ରବ୍ୟ ର ପ୍ରକ୍ରିୟା କରଣ ଉଦ୍ଯୋଗ, ଜଙ୍ଗଲ ଜାତ ଦ୍ରବ୍ଯର ସଠିକ ବଜାର ବ୍ୟବସ୍ଥା, ଗ୍ରାମ ଗୋଷ୍ଠୀ ନିକଟରେ କାମ, ଖାଦ୍ୟ ସୁରକ୍ଷା ଅଧିକାର ର ସମୀକ୍ଷା କରି ପ୍ରକୃତ ହିତାଧିକାରୀ ଙ୍କ ଚିହ୍ନଟିକରଣ ଓ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ଯ ର ବ୍ୟବସ୍ଥା ଓ ସର୍ବୋପରି ସରକାର, ଗ୍ରାମ ଗୋଷ୍ଠୀ, ସାମିଜିକ ସଂଗଠନ ବସି ଲୋକଙ୍କ ପାଇଁ ପ୍ରକୃତ ଆବଶ୍ୟତା ଭିତ୍ତିକ ଯୋଜନା ଓ ଏହାକୁ ପାରଦର୍ଶିତା ର ସହିତ କାର୍ଯ୍ୟକାରୀ କଲେ, ହୁଏ ସମାଧାନ ବାଟ ଫିଟି ଯାଇ ପାରେ।

The writer is Executive Secretary, Jagruti, Kandhamal, Odisha.

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031