Indus Valley Times

ଆଜି ହେଉଛି ପବିତ୍ର କୁମ୍ଭ ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

 Breaking News

ଆଜି ହେଉଛି ପବିତ୍ର କୁମ୍ଭ ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ

ଆଜି ହେଉଛି ପବିତ୍ର କୁମ୍ଭ ସଂକ୍ରାନ୍ତି , ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
February 12
12:13 2025

ପୁରୀ ,୧୨/୨ : ଆଜି ପବିତ୍ର କୁମ୍ଭ ସଂକ୍ରାନ୍ତି । ଏହି ଅବସରରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବା ପରେ ପୁଷ୍ପାଳକ ସେବକମାନେ ଦାରୁବିଗ୍ରହଙ୍କୁ ଏହି ବେଶ କରିବେ। ଏହି ବେଶ ଥାଇ ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟାଧୂପ ନୀତି ହେବ। ଏହାପରେ ବେଶ ଓଲାଗି ହୋଇ ଅନ୍ୟାନ୍ୟ ନୀତି କରାଯିବ।
ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି । ଚତୁଃହସ୍ତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବା ପ୍ରଦର୍ଶିତ ହୋଇଥାଏ ।
ଉଡ୍ଡୟନରତ ଭଙ୍ଗୀରେ ଥିବା ଦୁଇଟି ପକ୍ଷ ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ନିର୍ମିତ ହୋଇଥାଏ। ପକ୍ଷ ବିସ୍ତାରି ଉଡୁଥିବା ଗରୁଡ଼ ପୃଷ୍ଠରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି ଶ୍ରୀ ଜଗନ୍ନାଥଙ୍କ ଚାରିହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭାପାଇଥାଏ ।
ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହସ୍ତରେ ଶୋଲ ଓ ଜରି ନିର୍ମିତ ଶଙ୍ଖ ଓ ଚକ୍ର ତଥା ନିମ୍ନ ଦୁଇ ହସ୍ତରେ ହଳ (ବାମ) ଓ ମୂଷଳ (ଦକ୍ଷିଣ) ଧାରଣ କରିଥାନ୍ତି । ସୁଭଦ୍ରା ଦୁଇଭୁଜ ଓ ଦୁଇ ପଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥାନ୍ତି। ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ଧରିଥାଆନ୍ତି ପଦ୍ମ କଳିକାଟିଏ ।
ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହସ୍ତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ । ଗୋଟିଏ ହସ୍ତୀ ବଳଭଦ୍ରଙ୍କ ସମୀପରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ ।
ଜଗନ୍ନାଥଙ୍କ ସମ୍ମୁଖରେ ଥିବା ଗଜଟି ଆର୍ତ୍ତ ହରଣ ପାଇଁ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ପ୍ରଦର୍ଶିତ ହୁଏ । ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହସ୍ତୀଟିର ଟେକି ହୋଇଥିବା ଶୁଣ୍ଢରେ ପ୍ରସ୍ଫୁଟିତ ପଦ୍ମଫୁଲ ଶୋଭା ପାଇଥାଏ ।
ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୈଣସି ଉପାୟ ନଦେଖି ବିକଳରେ ପୁରୁଷୋତ୍ତମ ଭଗବାନଙ୍କୁ ସେ ପ୍ରାର୍ଥନା କରିଥିଲା । ଗଜରାଜର ପ୍ରାର୍ଥନାରେ ସ୍ୱଂୟ ପୁରୁଷୋତ୍ତମ ତତ୍କ୍ଷଣାତ ଭକ୍ତ ଗଜଙ୍କୁ ଆକ୍ରମଣରୁ ରକ୍ଷାକରିବା ପାଇଁ ଚକ୍ରପେଷି କୁମ୍ଭୀରକୁ ମାରି ଉଦ୍ଧାର କରିଥିଲେ । ସେହି ପୌରାଣିକ ଆଖ୍ୟାୟିକାର ସ୍ମୃତିରେ ଶ୍ରୀମନ୍ଦିରରେ ଅତ୍ୟନ୍ତ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି । ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ ।
ତତ୍ପରେ କିଛି ବର୍ଷ ପାଇଁ ଏହା ବନ୍ଦ ହୋଇଯାଇଥିଲା । ୧୫୭୫ ମସିହାରେ ରାମଚନ୍ଦ୍ର ଦେବ ଠାକୁରମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃପ୍ରଚଳନ କରାଇଥିଲେ ।
ବାଲିସାହିରେ ଥିବା ବାସୁଦେବ ମଠର ମହନ୍ତ ବସୁଦେବ ବାବା ଗଜୋଦ୍ଧାରଣ ବେଶ କରାଇ ଆସୁଥିଲେ, ମଠଟିର ଅବଲୁପ୍ତି ପରେ କିଛି ବର୍ଷ ପାଇଁ ମନ୍ଦିର ପ୍ରଶାସନ ଖର୍ଚ୍ଚରେ ଏ ବେଶ ଅନୁଷ୍ଠିତ ହୋଇଥିଲା। ଅଳ୍ପ କିଛିବର୍ଷ ହେବ ଇମ୍ଫା କମ୍ପାନୀର ପରିଚାଳକ ବଂଶୀଧର ପଣ୍ଡାଙ୍କ ଦାନରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇ ଆସୁଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031