Indus Valley Times

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ

 Breaking News

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ

ଆଦିବାସୀ ମହାବିଦ୍ୟାଳୟରେ ଏବିଭିପି ପ୍ରାର୍ଥୀଙ୍କ ବାଜିମାତ : ସଭାପତି ଭାବେ ଶ୍ରୀଧର ସିଅ, ସମ୍ପାଦକ ଭାବେ ଅଭୟ ପାଟମାଝି ବିଜୟୀ
October 15
22:02 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧୫/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ।
ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ଏହି ନିର୍ବାଚନରେ ମୋଟ ୭୨.୮୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୩୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
ଏହା ସହ ମହାବିଦ୍ୟାଳୟରେ ଛାତ୍ର ନେତୃତ୍ୱ ଓ ପ୍ରତିନିଧିତ୍ୱର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଗୁରୁବାର ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାବିଦ୍ୟାଳୟରେ ମତଦାନ ହୋଇଥିଲା।
ମତଦାନ ପରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇ ମୋଟ ୯ ରାଉଣ୍ଡରେ ଗଣତି ଶେଷ ହୋଇଥିଲା। ଅପରାହ୍ନ ୫ଟାରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ସମସ୍ତ ୮ଟି ପଦବି ପାଇଁ ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାରୁ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା।
ଘୋଷିତ ଫଳାଫଳ ଅନୁଯାୟୀ, ସଭାପତି ପଦରେ ଶ୍ରୀଧର ସିଅ ୩୬୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଉପସଭାପତି ପଦରେ ଅବିନାଶ ମସିହା ଦିଗାଳ ୩୭୫ ଖଣ୍ଡ ଭୋଟ ପାଇ ବିଜୟ ହାସଲ କରିଛନ୍ତି।
ସେହିପରି ସାଧାରଣ ସମ୍ପାଦକ ଭାବେ ଅଭୟ ପାଟମାଝି ୩୭୧ ଖଣ୍ଡ ଭୋଟ ପାଇଥିବା ବେଳେ ସହସମ୍ପାଦକ ଭାବେ ଅଂଶୁମାନ ବେହେରା ୩୧୪ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ଅନ୍ୟ ପଦବିଗୁଡ଼ିକ ମଧ୍ୟରେ ଡିଏସଏ ସମ୍ପାଦକ ଭାବେ ଇତି ନାୟକ ୩୭୦ ଖଣ୍ଡ ଭୋଟ ପାଇଥିବା ବେଳେ ଡିଏସଏ ସହସମ୍ପାଦକ ଭାବେ ବିଜୟ କହଁର ୪୦୧ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। କ୍ରୀଡ଼ା ସମ୍ପାଦକ ପଦରେ ଇସାକ ନାୟକ ୨୮୫ ଖଣ୍ଡ ଭୋଟ ପାଇଥିବା ବେଳେ କ୍ରୀଡ଼ା ସହସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ମଲ୍ଲିକ ୩୮୪ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ପ୍ରକାଶିତ ପ୍ରାର୍ଥୀ ତାଲିକା ଅନୁଯାୟୀ, ସଭାପତି ପଦ ପାଇଁ ୭ ଜଣ, ଉପସଭାପତି ପଦ ପାଇଁ ୪ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ, ସହସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସମ୍ପାଦକ ପଦ ପାଇଁ ୩ ଜଣ, ଡିଏସଏ ସହସମ୍ପାଦକ ପଦ ପାଇଁ ୩ ଜଣ, କ୍ରୀଡ଼ା ସମ୍ପାଦକ ପଦ ପାଇଁ ୪ ଜଣ ଏବଂ କ୍ରୀଡ଼ା ସହସମ୍ପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ରହିଥିଲେ। ଏହିପରି ମୋଟ ୩୧ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ।
ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ନିର୍ବାଚନ
ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ, ଅବାଧ ଓ ନିରପେକ୍ଷ ଭାବେ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। ଏଥିସହ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଏହି ନିର୍ବାଚନ ପ୍ରକ୍ରିୟା ସମୟରେ କଲେଜ ପରିଚାଳନା କମିଟିର ସଭାପତି ତଥା ଉପଜିଲ୍ଲାପାଳ ପ୍ରଣୀତା ଦାସ, ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ନିର୍ବାଚନ ଅଧିକାରୀ ଅଧ୍ୟାପକ ତେଜେଶ୍ୱର ନାୟକ, ସହନିର୍ବାଚନ ଅଧିକାରୀ ଅଧ୍ୟାପକ ସରୋଜ ପାଠୀ ଓ ଅଧ୍ୟାପକ ହିମାଂଶୁ ଶେଖର ସାହୁ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୂତି ଭୂଷଣ ଆଚାର‌୍ୟ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ନିର୍ବାଚନ ଫଳାଫଳ ଘୋଷଣା ପରେ ଏବେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ କାର‌୍ୟ୍ୟକ୍ରମକୁ ନେଇ ଅପେକ୍ଷା ରହିଛି। ଆସନ୍ତା ୧୬ ତାରିଖରେ ବିଜୟୀ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିବେ। ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ନିର୍ବାଚନ ମହାବିଦ୍ୟାଳୟର ଛାତ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଥିବା ବେଳେ ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଦାବିକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।

ନବରାତ୍ରର ପଞ୍ଚମ ଦିନରେ ମା’ ପାଟଖଣ୍ଡାଙ୍କ ସ୍କନ୍ଦମାତା ବେଶ: ଭକ୍ତିମୟ ପରିବେଶରେ ଚାଲିଛି ମା’ଙ୍କ ନବରାତ୍ର ପୂଜା

ବାଲିଗୁଡ଼ା,୧୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆରାଧ୍ୟା ତଥା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କ ପୀଠରେ ଭକ୍ତି ଓ ଆଧ୍ୟାତ୍ମିକତାର ମାହୋଲ ମଧ୍ୟରେ ପାଳିତ ହେଉଛି ପବିତ୍ର ଶାରଦୀୟ ନବରାତ୍ର ଉତ୍ସବ। ନବରାତ୍ରର ପଞ୍ଚମ ଦିନରେ ମା’ ପାଟଖଣ୍ଡା ଜଗତ୍‌ଜନନୀ ମା’ ସ୍କନ୍ଦମାତାଙ୍କ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ଏହି ମନୋରମ ବେଶ ଭକ୍ତଙ୍କ ମନରେ ଭକ୍ତିଭାବ ଓ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିଛି। ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ଆନୁକୂଲ୍ୟରେ ମା’ଙ୍କ ମନ୍ଦିର ପରିସରରେ ନବରାତ୍ର ଉତ୍ସବ ଶ୍ରଦ୍ଧା, ନିଷ୍ଠା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦିନ ମା’ଙ୍କ ଭିନ୍ନ ଭିନ୍ନ ବେଶ ଓ ପୂଜାବିଧି ଭକ୍ତମାନଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରୁଛି। ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଗଭୀର ଆଗ୍ରହ। ଚଳିତ ବର୍ଷର ନବରାତ୍ର ପୂଜାରେ କର୍ତ୍ତା ଭାବେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର ଦାୟିତ୍ୱ ତୁଲାଉଛନ୍ତି। ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ପୂଜାକାର‌୍ୟ୍ୟ ସମ୍ପାଦନ କରୁଛନ୍ତି।ମା’ ସ୍କନ୍ଦମାତାଙ୍କ ଉପାସନା ନବରାତ୍ରର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ। ମା’ଙ୍କ ଏହି ସ୍ୱରୂପ ମାତୃତ୍ୱ, ସ୍ନେହ, କରୁଣା ଓ ମମତାର ପ୍ରତୀକ ଭାବେ ପୂଜିତ। ମା’ ପାଟଖଣ୍ଡାଙ୍କ ପୀଠରେ ଚାଲିଥିବା ଏହି ନବରାତ୍ର ପୂଜା ଅଞ୍ଚଳର ଧାର୍ମିକ ପରମ୍ପରା ଓ ଲୋକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରୁଛି। ମା’ଙ୍କ ଆଶୀର୍ବାଦରେ ସମଗ୍ର ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ଭକ୍ତମାନେ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି।
ଫୁଲବାଣୀରେ ଦୁର୍ଗାପୂଜା ପାଇଁ ପ୍ରଶାସନର କଡ଼ା ପ୍ରସ୍ତୁତି: ଡିଜେ ବାଜିବା ମନା, ସବୁ ମଣ୍ଡପରେ ଲାଗିବ ସିସିଟିଭି

କନ୍ଧମାଳ, ୧୫/୧୦: ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବାକୁ ଫୁଲବାଣୀରେ ପ୍ରଶାସନିକ ତତ୍ପରତା ବଢ଼ିଛି। ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ସହରର ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଡିଜେ ବ୍ୟବହାର ଉପରେ ନିଷେଧାଦେଶ, ସମସ୍ତ ପୂଜା ମଣ୍ଡପରେ ସିସିଟିଭି ସ୍ଥାପନ ଏବଂ ଭସାଣି ଦିନ ଟ୍ରାଫିକ୍ କଟକଣା ଭଳି ନିଷ୍ପତ୍ତି ପୂଜାର ସୁପରିଚାଳନା ପାଇଁ ଗୁରୁତ୍ୱ ବହନ କରୁଛି। ଏନେଇ ଜିଲ୍ଲାପାଳ ବେଦ ଭୂଷଣଙ୍କ ଅଧ୍ୟକ୍ଷତାରେ ଫୁଲବାଣୀଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଭିକାରୀ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ମା’ ବରାଳଦେବୀ ପୂଜା କମିଟିର କର୍ମକର୍ତ୍ତା ଏବଂ ସହରର ୯ଟି ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ ଯୋଗଦେଇଥିଲେ। ପୂଜା ସମୟରେ ସାଧାରଣ ଜନତାଙ୍କ ସୁରକ୍ଷା, ଯାତାୟାତର ସୁବିଧା ଓ ଶୃଙ୍ଖଳିତ ଭାବେ ଉତ୍ସବ ପାଳନ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ପୂଜା ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୂଜା କମିଟିଗୁଡ଼ିକ ଆବଶ୍ୟକ ସଂଖ୍ୟକ ପରିଚୟପତ୍ରଧାରୀ ସ୍ୱେଚ୍ଛାସେବୀ ନିୟୋଜିତ କରିବେ। ଦର୍ଶନାର୍ଥୀଙ୍କ ଶୃଙ୍ଖଳିତ ଯାତାୟାତ, ଟ୍ରାଫିକ୍ ପରିଚାଳନା ଓ ପ୍ରସାଦ ବଣ୍ଟନ ଦାୟିତ୍ୱରେ ସ୍ୱେଚ୍ଛାସେବୀମାନେ ସହଯୋଗ କରିବେ। ସେହିପରି ସୁରକ୍ଷା ଦୃଷ୍ଟିରୁ ସମସ୍ତ ପୂଜା ମଣ୍ଡପରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଡିଜେ ବ୍ୟବହାର ନିଷେଧ କରାଯାଇଥିବାବେଳେ ନିର୍ଦ୍ଧାରିତ ମାନକ ଅନୁଯାୟୀ ସାଉଣ୍ଡ ସିଷ୍ଟମ୍ ବ୍ୟବହାର କରାଯିବ। ଏଥିସହ ବେଆଇନ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି। ବାଣ ବିକ୍ରୟ ଓ ବ୍ୟବହାର ପାଇଁ ଆବଶ୍ୟକ ଲାଇସେନ୍ସ ରହିବା ବାଧ୍ୟତାମୂଳକ ବୋଲି ବୈଠକରେ ସ୍ପଷ୍ଟ କରାଯାଇଛି।ଦୁର୍ଗାପୂଜା ସମୟରେ ସହରର ମୁଖ୍ୟ ବଜାର ଅଞ୍ଚଳରେ ଜନସମାଗମ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୨୦ ଓ ୨୧ ତାରିଖରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ଗାନ୍ଧୀ ଛକଠାରୁ ବସ୍‌ଷ୍ଟାଣ୍ଡ ମଧ୍ୟବର୍ତ୍ତୀ ମାର୍କେଟ ଅଞ୍ଚଳକୁ ଚାରିଚକିଆ ଯାନ ପ୍ରବେଶ ଉପରେ କଟକଣା ରହିବ। ଏହାଦ୍ୱାରା ଦର୍ଶନାର୍ଥୀଙ୍କ ଯାତାୟାତ ସୁଗମ କରିବା ସହ ବଜାର ଅଞ୍ଚଳରେ ଭିଡ଼ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ, ଅକ୍ଟୋବର ୨୩ ତାରିଖରେ ହେବାକୁ ଥିବା ମା’ଙ୍କ ଭସାଣି ଉତ୍ସବ ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର‌୍ୟ୍ୟନ୍ତ ବଜାର ବନ୍ଦ ରହିବା ସହ ଟ୍ରାଫିକ୍ ଡାଇଭର୍ସନ୍ କରାଯିବ। ଏହି ସମୟରେ ଯାନବାହନ ଚଳାଚଳକୁ ନିୟନ୍ତ୍ରିତ କରିବା ସହ ଭସାଣି ଶୋଭାଯାତ୍ରା ଯେପରି ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୁଏ, ସେଥିପାଇଁ ପୋଲିସ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ।
ପୂଜା ସମୟରେ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ଆଲୋକିତ ରଖିବା ପାଇଁ ପୌରପାଳିକାକୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ସାଜସଜ୍ଜା ଆଲୋକୀକରଣ ସହ ଆରଟିଓ କାର‌୍ୟ୍ୟାଳୟ ସମ୍ମୁଖ ଓ ଅନ୍ୟାନ୍ୟ ଅଞ୍ଚଳରେ ଖରାପ ହୋଇଥିବା ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକର ମରାମତି ଦାୟିତ୍ୱ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଦିଆଯାଇଛି। ସେହିପରି ପୂଜା ପୂର୍ବରୁ ସହରର ରାସ୍ତାଘାଟ ମରାମତି କାର‌୍ୟ୍ୟ ତୁରନ୍ତ ଶେଷ କରିବାକୁ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ଥିବା ଶୌଚାଳୟକୁ ସଫାସୁତୁରା ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାଦିକୁନ୍ଦା ଦୁର୍ଗାପୂଜା ମଣ୍ଡପ ସମେତ ଅନ୍ୟାନ୍ୟ ସ୍ଥାନରେ ଥିବା ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍ ବିଭାଗର ଏସ୍‌ଡିଓଙ୍କୁ ଦାୟିତ୍ୱ ଦିଆଯାଇଛି। ଦୁର୍ଗାପୂଜା ଅବସରରେ ମା’ ବରାଳଦେବୀ ପୀଠରେ ବିଭିନ୍ନ ସାଂସ୍କୃତିକ ଆୟୋଜନ କରାଯିବ। ଅକ୍ଟୋବର ୧୭ ଓ ୧୮ ତାରିଖରେ ସଙ୍ଗୀତ କାର‌୍ୟ୍ୟକ୍ରମ ଏବଂ ୧୯ ତାରିଖରେ ଆଦିବାସୀ ସାଂସ୍କୃତିକ ପରିବେଷଣ ସହ ପାରମ୍ପରିକ ନାଟକ ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖର କାର‌୍ୟ୍ୟକ୍ରମର ତଦାରଖ ଦାୟିତ୍ୱ ଖଜୁରୀପଡ଼ା ଥାନା ଅଧିକାରୀଙ୍କୁ ଦିଆଯାଇଛି। ବୈଠକର ଶେଷରେ ଜିଲ୍ଲାପାଳ ବେଦ ଭୂଷଣ ଦୁର୍ଗାପୂଜାକୁ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ପୂଜା କମିଟି, ପୋଲିସ ପ୍ରଶାସନ ଓ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଫୁଲବାଣୀ ଟାଉନ୍ ଥାନାର ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ।
ଜଙ୍ଗଲ ସୁରକ୍ଷାକୁ ନେଇ ବନ ବିଭାଗର ନୂଆ ରଣନୀତି : କାଠ ମାଫିଆ ଓ ବେଆଇନ ଶିକାରୀଙ୍କ ଉପରେ ନଜର

ବାଲିଗୁଡ଼ା, ୧୫/୧୦: ଜଙ୍ଗଲର ସୁରକ୍ଷା କେବଳ କାଗଜପତ୍ରରେ ସୀମିତ ନ ରହୁ, ବରଂ ଜଙ୍ଗଲ ଭିତରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଉପରେ ଗୁରୁତ୍ୱ। ଏହି ଲକ୍ଷ୍ୟ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳରେ ଆରମ୍ଭ ହୋଇଛି ଏକ ନୂଆ ପଦକ୍ଷେପ। ଜିପ୍‌ରେ ବସି ପାଟ୍ରୋଲିଂ କରିବା ପରିବର୍ତ୍ତେ ଏବେ ଘଞ୍ଚ ଜଙ୍ଗଲ, ଦୁର୍ଗମ ପାହାଡ଼ ଓ ଘାଟି ରାସ୍ତାରେ ପାଦରେ ଚାଲି ଜଙ୍ଗଲର ସୁରକ୍ଷା ସ୍ଥିତି ଯାଞ୍ଚ କରୁଛନ୍ତି ବନ ଅଧିକାରୀ ଓ କର୍ମଚାରୀ। ଦୈନିକ ୧୦ କିଲୋମିଟର ପଦଯାତ୍ରା କରି ପାଟ୍ରୋଲିଂ କରିବା ଉପରେ ଦିଆଯାଇଛି ଗୁରୁତ୍ୱ। ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଜଙ୍ଗଲ ସୁରକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ବନାଞ୍ଚଳ ଅଧୀନରେ ଥିବା ଦାରିଙ୍ଗବାଡ଼ି, ସିମନବାଡ଼ି ଓ ବୁଡ଼ାଗୁଡ଼ା ସେକ୍ସନର ବିଭିନ୍ନ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ବନ କର୍ମଚାରୀଙ୍କ ଦଳ ନିୟମିତ ପାଟ୍ରୋଲିଂ କରୁଛନ୍ତି। ଜଙ୍ଗଲ ଭିତରେ ପହଞ୍ଚିବେ, ଅପରାଧ ଉପରେ ରହିବ ନଜର, ଜଙ୍ଗଲର ଅନେକ ଦୁର୍ଗମ ଅଞ୍ଚଳକୁ ଯାନବାହନ ନେଇ ପହଞ୍ଚିବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥାନରେ ବେଆଇନ ଗଛକଟା, କାଠ ଚାଲାଣ ଓ ବନ୍ୟଜନ୍ତୁ ଶିକାର ଭଳି କାର‌୍ୟ୍ୟକଳାପ ଉପରେ ନଜର ରଖିବା ପାଇଁ ପଦଯାତ୍ରା ପାଟ୍ରୋଲିଂ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ଏହାଦ୍ୱାରା ଜଙ୍ଗଲର ଭିତର ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସହ ବନ ସମ୍ପଦର ସୁରକ୍ଷା ଦିଗରେ ଅଧିକ ତତ୍ପରତା ଦେଖାଇବା ସମ୍ଭବ ହେବ ବୋଲି ବନ ବିଭାଗ ଆଶା ରଖିଛି। କେବଳ ଜଙ୍ଗଲ ଜମି ଓ ଗଛଲତାର ସୁରକ୍ଷା ନୁହେଁ, ଜଙ୍ଗଲରେ ବାସ କରୁଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷା ମଧ୍ୟ ବିଭାଗର ଅନ୍ୟତମ ପ୍ରାଥମିକତା। ବନାଞ୍ଚଳ ଅଧିକାରୀଙ୍କ କହିବା ଅନୁସାରେ, ଏହି ଅଞ୍ଚଳରେ ବଣୁଆ ହାତୀ ଓ ବାଘଙ୍କ ଉପସ୍ଥିତି ସାଧାରଣତଃ କମ୍ ଥିବାବେଳେ ଠେକୁଆ, ବାର୍‌ହା ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ରହିଛନ୍ତି। ସେମାନଙ୍କ ବାସସ୍ଥାନର ସୁରକ୍ଷା ଏବଂ ଅବାଧ ଚଳପ୍ରଚଳ ପାଇଁ ଅନୁକୂଳ ପରିବେଶ ବଜାୟ ରଖିବା ଜରୁରୀ। ୯ଏହି ପାଟ୍ରୋଲିଂ ଅଭିଯାନରେ ବନାଞ୍ଚଳ ଅଧିକାରୀଙ୍କ ସହ ବନପାଳ ବନିତା ପ୍ରଧାନ, ବୁଡ଼ାଗୁଡ଼ା ବନପାଳ ମନ୍ମଥ ପରିଚ୍ଛା ଏବଂ ଅନ୍ୟ ବନ କର୍ମଚାରୀ ସାମିଲ ହେଉଛନ୍ତି। ଏକାଧିକ ଦଳ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ କରାଯାଉଛି। ପ୍ରତିଦିନ ପ୍ରାୟ ୧୦ କିଲୋମିଟର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଅଞ୍ଚଳର ସ୍ଥିତି ଯାଞ୍ଚ କରାଯାଉଥିବା ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି। ବନ ବିଭାଗର ଏହି ପଦକ୍ଷେପ ଜଙ୍ଗଲ ସୁରକ୍ଷା କାର‌୍ୟ୍ୟକୁ ତୃଣମୂଳ ସ୍ତରରେ ଅଧିକ ମଜଭୁତ କରିବା ସହ ବେଆଇନ କାର‌୍ୟ୍ୟକଳାପ ଉପରେ ନିୟନ୍ତ୍ରଣ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନିୟମିତ ପଦଯାତ୍ରା ପାଟ୍ରୋଲିଂ କେତେ ଫଳପ୍ରଦ ହେଉଛି, ତାହା ଆଗାମୀ ଦିନରେ ଏହି ଅଭିଯାନର ସଫଳତାରୁ ସ୍ପଷ୍ଟ ହେବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031