Indus Valley Times

ଇଡ଼କୋକୁ ଗୋଚର ଜମି ହସ୍ତାନ୍ତର ପ୍ରସଙ୍ଗ, ଗ୍ରାମବାସୀ ଜିଲାପାଳଙ୍କୁ ଦେଲେ ଦାବିପତ୍ର

 Breaking News

ଇଡ଼କୋକୁ ଗୋଚର ଜମି ହସ୍ତାନ୍ତର ପ୍ରସଙ୍ଗ, ଗ୍ରାମବାସୀ ଜିଲାପାଳଙ୍କୁ ଦେଲେ ଦାବିପତ୍ର

November 12
18:04 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୧୨/୧୧ : ଗୋଚର ଜମି ଇଡ୍ କୋ ହାତକୁ ଟେକିଦେବା ପ୍ରତିବାଦରେ ଟାଙ୍ଗି ବ୍ଳକ୍ ଛଣଗିରି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଗୟାବନ୍ଧ ଗ୍ରାମବାସୀ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗୋଚର ଜମି କିସମ ପରିବର୍ତ୍ତନ କରାଇ ଇଡ୍‌କୋ ହାତରେ ଜମି ଟେକିଦେବାକୁ ୪ଥର ନୋଟିସ୍ ଜାରି ହୋଇଛି।
ଉକ୍ତ ଜମିକୁ ଇଡ୍‌କୋ ଶିଳ୍ପସଂସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଏହା ଜାଣିବା ପରେ ଗୟାବନ୍ଧ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଏହି ପ୍ରତିବାଦରେ ସ୍ଥାନୀୟ ଲୋକେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରଛନ୍ତି।
ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଗୟାବନ୍ଧ ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଗୋଚର ଜମି କିସମ ପରିବର୍ତ୍ତନ କରି ଇଡକୋକୁ ପ୍ରଦାନ ନିଷ୍ପତ୍ତି ପ୍ରତ୍ୟାହାର କରାନଗଲେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଏଠାରେ ପୂର୍ବତନ ବିଧାୟକ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।
ଏ ଦାବିପତ୍ରରେ ଉଲ୍ଲେଖ ରହିଛି ଗତ ମାସ ୪ ଏବଂ ୧୦ ତାରିଖରେ ଛଣଗିରି ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୟାବନ୍ଧ ଓ ନୟାକୋଟ ମୌଜା ଗ୍ରାମବାସୀଙ୍କୁ ୪ ଥର ନୋଟିସ୍ ଦିଆଯାଇଥିଲା।
ଏଥିରେ ଗୟାବନ୍ଧ ମୌଜାର ପ୍ଲଟ ନଂ ୫୮୧, ୫୮୪, ୫୯୩, ୬୦୨, ୫୯, ୫୮୯, ୧୯୩, ୫୪୨, ୫୭.୫୭୪, ୧୪୪.୫୦, ୬୮, ୬୧, ୧୭୬, ୫୮, ୮୫୩, ୬୦୫ ରେ ଥିବା ସମୁଦାୟ ୧୩୦ ଏକରରୁ ଉର୍ଦ୍ଧ୍ଵ ଜାଗା ରହିଛି।
ସେହିଭଳି ନୟାକୋଟ ମୌଜାର ପୁଟ ନଂ ୨୮୪, ୦୩, ୦୧, ୭୯, ୫୮୭, ୯୧୩. ୯୧, ୪୨୪, ୪୪, ୪୩୫ ରେ ୨୦୧ ଏକର ୬୯୫ ଡିସିମିଲରୁ ଉର୍ଦ୍ଧ୍ଵ ଜାଗାରେ ଥିବା କିସମ ଗୋଚରକୁ ପରିବର୍ତ୍ତନ କରି ଇଡ୍ କୋକୁ ହସ୍ତାନ୍ତର କରିବାକୁ ନୋଟିସ ମାଧ୍ୟମରେ ଜଣାଇଥିଲେ।
ଏହି ବିଷୟରେ ଆଲୋଚନା ପାଇଁ ଗତ ଅକ୍ଟୋବର ମାସ ୧୩ ତାରିଖରେ ଗ୍ରାମସଭା ବସିଥିଲା।ଏହାପରେ ଗ୍ରାମର ଏକ କମିଟି ପ୍ରଶାସନର ନୋଟିସ ଅନୁଯାୟୀ ଏହାର ଯାଞ୍ଚ କରିଥିଲା।
ନୟାକୋଟ ମୌଜାର ଉପରୋକ୍ତ ଗୋଚର ଜମି କିସମ ପରିବର୍ତ୍ତନ କରାଯାଇ ଇଡ୍‌କୋକୁ ହସ୍ତାନ୍ତର କ୍ଷେତ୍ରରେ କୌଣସି ଆପତ୍ତି ଅଭିଯୋଗ ନ ଥିବା କହିଥିଲା । ମାତ୍ର ଗୟାବନ୍ଧ ମୌଜାରେ ଥିବା ପ୍ଲଟ ଗୁଡିକ ଉପରେ ଗ୍ରାମବାସୀ ପ୍ରତିବାଦ କରିଛନ୍ତି। ଉପରୋକ୍ତ ମୌଜାରେ ଥିବା ଜମିରେ ଉକ୍ତ ଗ୍ରାମର ଗ୍ରାମବାସୀ ଘରଦ୍ଵାର, ମନ୍ଦିର ଖେଳପଡ଼ିଆ ଆଦି କରି ରହିଆସୁଛନ୍ତି।
ଗ୍ରାମରେ ଥିବା ୪୦୦ ପରିବାରରୁ ଉର୍ଦ୍ଧ୍ବ ଲୋକଙ୍କ ଗାଈଗୋରୁ ଏବଂ ଗୃହପାଳିତ ପ୍ରାଣୀ ଏହି ଜାଗାରେ ଚରାବୁଲା କରିଆସୁଛନ୍ତି। ପ୍ଲଟ ନଂ ୬୦୨ ରେ ଗ୍ରାମର ଖେଳପଡ଼ିଆ ରହିଛି। ଯେଉଁ ପଡ଼ିଆରେ ଆଜକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଏବଂ ରାଜ୍ୟସ୍ତରୀୟ ଫୁଟବଲ ଖେଳ ଆୟୋଜନ କରାଯାଉଛି । ଦୈନିକ ସକାଳ ସନ୍ଧ୍ୟାରେ ଗ୍ରାମର ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଶରୀର ସୁସ୍ଥତା ପାଇଁ ଖେଳ କୁଦ ଚଲାବୁଲା ଏବଂ ଯୋଗ ଅଭ୍ୟାସ କରୁଛନ୍ତି।
ଏହା ସହିତ ସରକାରୀ ବିଦ୍ୟାଳୟର ସମସ୍ତ ଖେଳକୁଦ ଏହି ପଡ଼ିଆରେ ହୋଇଥାଏ। ସରକାରଙ୍କ ପକ୍ଷରୁ ୬୦୨ ପ୍ଲଟରୁ ଇଆରଆରପି ଯୋଜନାରେ ଗ୍ରାମର ଗରିବ ଲୋକଙ୍କୁ ଜୀବନଜୀବିକା ନିର୍ବାହ ପାଇଁ କାଜୁଗଛ ରୋପଣ କରାଯାଇ ସେହି ପ୍ଲଟକୁ ବଣ୍ଟନ କରାଯାଇଛି।
ପ୍ଲଟ ନଂ ୫୮୧ ରେ ଗ୍ରାମର ସର୍ବପୁରାତନ ହନୁମାନ ମନ୍ଦିର ରହିଛି। ବର୍ଷର ବିଭିନ୍ନ ପର୍ବପର୍ବାଣିରେ ଗ୍ରାମବାସୀ ଏହି ମନ୍ଦିର ଠାରେ ଆନନ୍ଦ ଉଲ୍ଲାସରେ ସମସ୍ତ ପର୍ବ ପାଳନ କରୁଛନ୍ତି। ପ୍ଲଟ ନଂ ୫୮୪, ୫୩୨,୫୭୪ ଗ୍ରାମର ୭୦ ରୁ ଉର୍ଦ୍ଧ୍ବ ଗରିବ ପରିବାର ପୁରୁଷ ପୁରୁଷ ଧରି ଘର କରି ରହି ଆସୁଛନ୍ତି।
ଏହି ଜାଗାରେ ବହୁ ସଂଖ୍ୟାରେ ବନ୍ୟଜନ୍ତୁ ମୟୂର, ବାରାହା, ହରିଣ, ବଣ କୁକୁଡ଼ା, ହାତୀ ଆଦି ରହୁଛନ୍ତି। ସରକାର ଏହି ଜମିକୁ ଇଡ୍ କୋ ହାତକୁ ଟେକିଦେଲେ ଗ୍ରାମବାସୀ ଏବଂ ବନ୍ୟଜନ୍ତୁ ପ୍ରଭାବିତ ହେବେ। ଗ୍ରାମର ସୁରକ୍ଷା ଏବଂ ପିଲାଙ୍କ ଭବିଷ୍ୟତ ଦୃଷ୍ଟିରୁ ଏହି ମୌଜାକୁ ଇଡ୍ କୋକୁ ହସ୍ତାନ୍ତର ପ୍ରକ୍ରିୟାରୁ ବାଦ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ପ୍ରଶାସନ ପକ୍ଷରୁ ଜବରଦସ୍ତ କରାଗଲେ ଏହା ବିରୋଧରେ ଆନ୍ଦୋଳନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031