Indus Valley Times

ବାଲିଗୁଡା : ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

 Breaking News

ବାଲିଗୁଡା : ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ

ବାଲିଗୁଡା : ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ
September 07
21:14 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୯: ପୋଲରୁ ନଦୀ ଗର୍ଭରେ ପଡ଼ି ବ୍ୟକ୍ତି ନିଖୋଜ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରେ ।
ନିଖୋଜ ବ୍ୟକ୍ତି କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ (ହଜୁ)ବୟସ ୪୮ ହୋଇଥିବା ସୂଚନା । ଘଟଣା ପ୍ରକାରେ ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ନିଜ ଶ୍ବଶୁର ଘର ମୁଠାବାଲି ଗ୍ରାମକୁ ବୁଲିବାକୁ ଆସିଥିଲେ ।
ଗୁରୁବାର ଦିନ ସକାଳେ ନିଜ ଗ୍ରାମକୁ ଫେରିବା ସମୟରେ ନିଶାସକ୍ତ ଅବସ୍ଥାରେ ମୁଠାବାଲି ଗ୍ରାମ ନିକଟସ୍ଥ ଖଡ଼ଗ ନଦୀ ଉପରେ ନବ ନିର୍ମିତ ପୋଲ ଉପରେ ଦେଇ ଯାଉଥିବା ବେଳେ ନିଜର ଭାରସାମ୍ୟ ହରାଇ ନଦୀ ଗର୍ଭକୁ ଖସିପଡ଼ି ନଦୀ ସ୍ରୋତରେ ଭାସି ଯାଇଥିଲେ ।
ଏ ସମ୍ପର୍କରେ ଖବରପାଇ ଅଞ୍ଚଳବାସୀ ସଙ୍ଗେ ସଙ୍ଗେ ନିକଟସ୍ଥ ପଡୋଶୀ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବରପାଇ କଣ୍ଟାମାଳ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ଗୁରୁବାର ଅପରାହ୍ନ ସୁଦ୍ଧା ନିଖୋଜ ବ୍ୟକ୍ତିଙ୍କୁ ଠାବ କରି ପାରିନଥିବା ଜଣାପଡ଼ିଛି ।
ବିଦ୍ୟାଳୟ କାର୍ଯ୍ୟ ସରିବାର ଦୀର୍ଘ ଦିନ ପରେ ମଧ୍ୟ ବିଲ୍ ନ ମିଳିବାରୁ ସ୍କୁଲ ଫାଟକରେ ତାଲା ପକାଇଲେ ଠିକାଦାର, ବାହାରେ ପଢିଲେ ପିଲା
ବାଲିଗୁଡା ,୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପକାରୀରେ ୫-ଟି ଯୋଜନାରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କାମ କରି ଦୀର୍ଘ ଦିନ ପରେ ବି ଠିକାଦାରଙ୍କୁ ବିଲ୍ ହୋଇପାରିଲା ନାହିଁ ।
ଏ ନେଇ ଠିକାଦାର ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଜଣାଇଥିଲେ ମଧ୍ୟ କୌଣସି ଫଳ ମିଳିଲା ନାହିଁ। ଶେଷରେ ବାଧ୍ୟ ହୋଇ ଠିକାଦାର ସ୍କୁଲ ଫାଟକରେ ତାଲା ପକାଇ ଦେଇଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ବିଦ୍ୟାଳୟ କୁ ଠିକାଦାର ଅଲେଖ ନାୟକ ଓ ତାଙ୍କ ସହଯୋଗୀ ୨୦୨୧ ମସିହାରେ ମିଶି ରୂପାନ୍ତରଣ କାର‌୍ୟ୍ୟ କରିଥିଲେ। କାମ ସରିବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ସମ୍ପୂର୍ଣ୍ଣ ବିଲ ଅଦ୍ୟାବଧି ସୁଦ୍ଧା ମିଳିଲା ନାହିଁ।
ଏନେଇ ସେମାନେ କୋଟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗତ ଅଗଷ୍ଟ ୨୫ ତାରିଖରେ ଲିଖତ ଭାବେ ଜଣାଇଥିଲେ ଯେ ଦଶ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ବିଦ୍ୟାଳୟରେ ତାଲା ପକାଇ ବନ୍ଦ କରି ପ୍ରତିବାଦ କରିବେ ।
ଏଣୁ ସେହି ଅନୁସାରେ ଆଜି ଗୁରୁବାର ସକାଳ ୯.୩୦ ଘଣ୍ଟାରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଥିଲେ ।ଯାହା ଫଳରେ ବାଧ୍ୟ ହୋଇ ପିଲାଙ୍କୁ ବାହାରେ ସାଇକେଲ ଷ୍ଟାଣ୍ଡ ଓ ପଡ଼ିଆରେ ବସାଇ ଶିକ୍ଷକ ମାନେ ଶିକ୍ଷା ଦାନ କରିଥିଲେ। ଟଙ୍କା ନ ମିଳିବା ପର୍ଯ୍ୟନ୍ତ ତାଲା ଖୋଲିବେ ନାହିଁ ବୋଲି ଉଭୟ ଠିକାଦାର ଜିଦ ଧରିବା ସହ ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।
ଏପରି ଖବର ପାଇ ଗୁରୁବାର ଅପରାହ୍ନରେ ବ୍ଳକ ଆକାଉଣ୍ଟଟେଣ୍ଟ ସଞ୍ଜୟ ରାଉଳ ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ କୁମାର ମହାପାତ୍ର ବିଦ୍ୟାଳୟରେ ପହଞ୍ଚି ଠିକାଦାରଙ୍କ ସହ ଆଲୋଚନା କରି ଫାଟକରେ ପଡ଼ିଥିବା ତାଲା ଖୋଲି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ କୋଠରୀକୁ ପ୍ରବେଶ କରିଥିବା ଜଣାପଡିଛି ।
ତବେ କେବଳ ଏହି ବିଦ୍ୟାଳୟ ନୁହେଁ, ଜିଲ୍ଲାର ଏପରି ଅନେକ ବିଦ୍ୟାଳୟର କାମ ସରିଥିଲେ ମଧ୍ୟ ଠିକାଦାର ମାନଙ୍କୁ ବିଲ୍ ମିଳି ନ ଥିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଠିକାଦାରମାନଙ୍କ ରୋଷର ଶିକାର ହେଉଛନ୍ତି।
ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ଏବଂ ଅଭିଭାବକ ମାନେ ମତ ଦେଇଛନ୍ତି।
ସେପ୍ଟେମ୍ବର ୯ ରେ ରାଷ୍ଟ୍ରୀୟ ଲୋକ ଅଦାଲତ
ବାଲିଗୁଡା,୭/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ତାଲୁକ୍ ସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଚଳିତ ମାସ ୯ ତାରିଖ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ କ୍ଷ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧିନ ମକଦ୍ଦମା ଯଥା ଫୌଜଦାରୀ( ସାଲିସ୍ ଯୋଗ୍ୟ), ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତି ପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ), ଜମି ଅଧି ଗ୍ରହଣ, ଚାକିରି ସମ୍ବନ୍ଧୀୟ (ଦରମା, ଭତ୍ତା ଓ ଅବସରକାଳୀନ ପ୍ରାପ୍ୟ) ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇ ପାରିବ । କେବଳ ବିଚାରଧିନ ମକଦ୍ଦମା ନୁହେଁ, ପ୍ରାକ୍-ମକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ଚେକ୍ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍ ଜଳ ଓ ଅନ୍ୟାନ୍ୟ ବିଲ୍ ଦେୟ ଜନିତ ବିବାଦ (ସାଲିସ୍ ବିହୀନ ବିବାଦକୁ ବାଦ ଦେଇ), ଭରଣ ପୋଷଣ ବିବାଦ, ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇ ପାରିବ। ଲୋକ ଅଦାଲତରେ ମକଦ୍ଦମା/ ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୁଡ଼ାନ୍ତ ଏବଂ ଅମଳଯୋଗ୍ୟ ।ଯଦି କୌଣସି ବିଚାରାଧିନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପଇଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇ ପାରିବ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ । ଏଣୁ କୋର୍ଟରେ ଆପଣଙ୍କର କୌଣସି ମକଦ୍ଦମା ବିଚାରାଧୀନ ରହିଛି କି, ବା ଆପଣଙ୍କର କାହା ସହିତ କୌଣସି ବିବାଦ ରହିଛି, ତେବେ ଆପଣ ସେ ମକଦ୍ଦମା ବିବାଦର ସହଜ ଓ ଆପୋଷ ସହମତିରେ ସମଧାନ ପାଇଁ କିମ୍ବା ସବିଶେଷ ବିବରଣୀ ନିମନ୍ତେ ବାଲିଗୁଡା କୋର୍ଟ ପରିସରରେ ଥିବା ତାଲୁକ ଆଇନ ସେବା କାର‌୍ୟ୍ୟାଳୟ ସହ ଯୋଗାଯୋଗ କରିବାକୁ ସମିତି ତରଫରୁ ଅନୁରୋଧ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031