Indus Valley Times

ବୌଦ୍ଧରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମ୍ପନ୍ନ, ମାଉସୀମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ବିଜେ

 Breaking News

ବୌଦ୍ଧରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମ୍ପନ୍ନ, ମାଉସୀମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ବିଜେ

ବୌଦ୍ଧରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମ୍ପନ୍ନ, ମାଉସୀମା ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ବିଜେ
July 18
20:05 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୭ : ବୌଦ୍ଧ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ସମ୍ପନ୍ନ ହୋଇଛି । ସମସ୍ତ ଜଗନ୍ନାଥ ମନ୍ଦିରରୁ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ମାଉସୀମା ମନ୍ଦିରରେ ପହଞ୍ଚିଛନ୍ତି ।
ରଥ ସକାଳୁ ଆକାଶରୁ ଅବିରତ ବର୍ଷା ଝରୁଥିଲା, କିନ୍ତୁ ଭକ୍ତଙ୍କ ଉତ୍ସାହ କମି ନଥିଲା। ପ୍ରକୃତି ପ୍ରତିକୂଳ ଥିଲା, ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅଗାଧ ଆସ୍ଥା ଓ ଅତୁଟ ବିଶ୍ୱାସ ସମସ୍ତ ବାଧାକୁ ପଛରେ ପକାଇ ଦେଇଥିଲା।
ରାଜରାଜୁଡା ଅମଳରୁ ପାଳିତ ହୋଇଆସୁଥିବା ବୌଦ୍ଧର ଐତିହାସିକ ରଥଯାତ୍ରାରେ ଚଳିତ ବର୍ଷ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥିଲା।
ଭକ୍ତଙ୍କ ସମାବେଶରେ ବଡଦାଣ୍ଡ ଉଚ୍ଛୁଳି ଉଠି ଥିବାବେଳେ \”ଜୟ ଜଗନ୍ନାଥ\” ଧ୍ୱନିରେ ସମଗ୍ର ସହର ଭକ୍ତି ଓ ଆଧ୍ୟାତ୍ମିକତାରେ ଭରି ଉଠିଥିଲା ।
ପ୍ରଭାତରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଜିଲ୍ଲପାଳ ବିଭୂତି ଭୂଷଣ ନାୟକ, ଏସ୍ ପି କୁଲଦୀପ ମିନାଙ୍କ ଉପସ୍ଥିତିରେ ଶଙ୍ଖ, ଘଣ୍ଟ ଓ ମୃଦଙ୍ଗର ନିନାଦ ସହ ହରିନାମ ସଂକୀର୍ତ୍ତନରେ ପହଣ୍ଡିବିଜେ ଆରମ୍ଭ ହୋଇଥିଲା ।
ପ୍ରଥମେ ସୁଦର୍ଶନଙ୍କୁ ରଥାରୂଢ କରାଯିବା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ହଜାର ହଜାର ଭକ୍ତଙ୍କ ଗହଣରେ ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିଲେ।
ରଥଖଳାରେ ମହାପ୍ରଭୁମାନେ ରଥାରୂଢ ହେବା ପରେ ବୌଦ୍ଧ ରଥଯାତ୍ରାର ଅନନ୍ୟ ପରମ୍ପରା ଶିଶୁଙ୍କ ‘ରଥଛୁଆଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଧାରାବିବରଣୀ କେନ୍ଦ୍ର ଓ ସୂଚନା କେନ୍ଦ୍ର ଆୟୋଜନ କରାଯାଇଥିଲା ।
ପ୍ରବଚକ ତଥା ସୁସାହିତ୍ୟିକ ଡଃ ସଞ୍ଜୟ କୁମାର ପଣ୍ତା, ଅଧ୍ୟାପକ ଶିବଦତ୍ତ ପଟ୍ଟନାୟକ, ସୁଶାନ୍ତ କୁମାର ମହାପାତ୍ର, ଦୁଃଖିଶ୍ୟାମ ବେହେରା, ରମେଶ ପ୍ରସାଦ ମେହେର, ସନ୍ତୋଷ କୁମାର କର୍ଣ୍ଣ ପ୍ରମୁଖ ଜଗନ୍ନାଥ ତତ୍ତ୍ୱ ତଥା ଚତୁର୍ଦ୍ଧାମୂର୍ତ୍ତିଙ୍କ ମହିମାର ଭାବ ବିହ୍ୱଳିତ ବ୍ୟାଖ୍ୟାନ କରିଥିଲେ ।
ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ,ମନ୍ଦିର ପରିଚାଳନା କମିଟି ସଭାପତି ତଥା ପୌରପରିଷଦ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର, ତହସିଲଦାର ଅନିତା କୁମାରୀ ସାହୁ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ,ବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିଥିଲେ ।
ରଥ ଉପରେ ଡଃ ସଞ୍ଜୟ ପଣ୍ଡାଙ୍କ ସମ୍ପାଦିତ ପତ୍ରିକା ବୌଦ୍ଧଚକ୍ର ଏବଂ ଭକ୍ତି ସଙ୍ଗୀତ ଭାବ ଠାକୁର ସମସ୍ତେ ଉନ୍ମୋଚିତ କରିଥିଲେ ।
ସେହିପରି ପୋଡାପଡ଼ା ହରିଗୁଡ଼ି ଜଗନ୍ନାଥଙ୍କ ରଥକୁ କେବଳ ମହିଳା ଭକ୍ତମାନେ ଟାଣିବାର ବିରଳ ପରମ୍ପରା ପୁଣିଥରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ସମସ୍ତ ସେବକ ଏବଂ ବିଭାଗୀୟ ଅଧିକାରୀମାନେ ନିଜ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।
ଉଭୟ ରଥ ମାଉସୀମା ମନ୍ଦିର ନିକଟରେ ପହଞ୍ଚିବା ପରେ ଠାକୁରମାନେ ରଥ ଉପରେ ବିଶ୍ରାମ କରିଥିଲେ। ପରଦିନ ଗୁଣ୍ଡିଚା ମନ୍ଦିରକୁ ମଧ୍ୟାହ୍ନ ସୁଦ୍ଧା ଧାଡ଼ି ପହଣ୍ଡିରେ ବିଗ୍ରହମାନେ ବିଜେ କରିଥିଲେ ।
ରଥ ପରଦିନ ଐତିହାସିକ ପାତାଳୀ ଶ୍ରୀକ୍ଷେତ୍ର ନାୟକପଡ଼ା, ବୁଟୁପାଲି ଏବଂ ଆଉ କିଛି ଗ୍ରାମରେ ରଥଯାତ୍ରା ଉତ୍ସାହ ଉଦ୍ଦୀପନା ସହିତ ପାଳିତ ହୋଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930