Indus Valley Times

ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବେ ଓଆରଏସ୍ ଅଧିକାରୀ

 Breaking News

ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବେ ଓଆରଏସ୍ ଅଧିକାରୀ

ରାଜସ୍ବ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଜରୁରୀ ସେବାରେ ଯୋଗଦେବେ ଓଆରଏସ୍ ଅଧିକାରୀ
July 02
18:00 2025

ଭୁବନେଶ୍ୱର, ୨/୭ : କାର୍ଯ୍ୟରତ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମାରିବା ଘଟଣା ଏବେ ରାଜ୍ୟ ସରକାରଙ୍କୁ ହରଡ଼ଘଣାରେ ପକାଇ ଦେଇଛି । ରାଜ୍ୟର ସମସ୍ତ ଓଏଏସ୍ କର୍ମଚାରୀ ବର୍ତ୍ତମାନ ସମୂହ ଛୁଟିରେ ଯାଇ ଆନ୍ଦୋଳନ କରିଛନ୍ତି । ଫଳରେ ସରକାରୀ କାମ ଯେମିତି ଠପ୍ ହୋଇଯାଇଛି । ଗୋଟିଏ ପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବାବେଳେ ଆଉ ଗୋଟିଏ ପଟେ ବର୍ଷା ଓ ବନ୍ୟାର ସମୟ । ତେଣୁ ଏପରି ସମୟରେ ଆନ୍ଦୋଳନ ନ କରିବାକୁ ଅନୁରୋଧ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ବିପଦରେ ପଡ଼ିଥିବାବେଳେ ଆନ୍ଦୋଳନ କରିବା ସମୀଚୀନ ନୁହେଁ । ରାଜ୍ୟରେ ଏବେ ବର୍ଷା ଓ ବନ୍ୟାର ପ୍ରାବଲ୍ୟ ରହିଛି । ଏ ସମୟରେ ଆନ୍ଦୋଳନ କରିବା ଅନୁଚିତ ଏବଂ ନିଜର ଦାୟିତ୍ୱ ତୁଲାଇବା ଉଚିତ । ୫ଟି ଜିଲ୍ଲାର ଲୋକ ଏବେ ଦୁର୍ଗତିରେ ଅଛନ୍ତି । ଏବେ ଲୋକଙ୍କ ସେବା କରିବାର ସୁଯୋଗ । ସେହିପରି ରଥଯାତ୍ରା ଚାଲିଥିବାରୁ ଓଡ଼ିଶାରେ ଏବେ ଦେଶ ବିଦେଶର ପର‌୍ୟ୍ୟଟକଙ୍କ ଭିଡ଼ ଲାଗିଛି । ରଥାଯାତ୍ରାରେ ୫୦ ଜଣଙ୍କୁ ଓଏଏସ୍ ଅଧିକାରୀ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ଗୋଟିଏ ଅଘଟଣ ଘଟି ସାରିଛି । ତେଣୁ ଆଉ କୌଣସି ଅଘଟଣ ନ ଘଟୁ ସେଥିପାଇଁ ଆନ୍ଦୋଳନରୁ ଓହରନ୍ତୁ । ରଥଯାତ୍ରାକୁ ମଧ୍ୟ ସୂଚାରୁରୂପେ ନିର୍ବାହ କରିବା ଅଧିକାରୀମାନଙ୍କର ଦାୟିତ୍ୱ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଆନ୍ଦୋଳନ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ରହିଛି ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । ଓଏଏସ୍ ସଂଘ ଆନ୍ଦୋଳନରୁ ଓହରନ୍ତୁ ଏବଂ ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରନ୍ତୁ । ଆଇନ ତା ବାଟରେ ଯିବ । ରାଜ୍ୟ ସରକାରଙ୍କ ଦ୍ୱାର ଆଲୋଚନା ପାଇଁ ୨୪ ଘଣ୍ଟା ଖୋଲା ରହିଛି । ତେଣୁ ନିଜ ବିବେକକୁ ପଚାରି ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି ।
ତେବେ କାର୍ଯ୍ୟରତ ଓଏଏସ୍ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ରାଜସ୍ୱ ମନ୍ତ୍ରୀ । ଏହାକୁ ଯେତେ ନିନ୍ଦା କଲେ ସେତେ କମ୍ ହେବ । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇସାରିଛି । ଆଉ ଯେଉଁମାନେ ଏଥିରେ ସଂମ୍ପୃକ୍ତ ଥିବେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ ଓଏଏସ ସଂଘ ଆଜି ଏକ ଜରୁରୀ ବୈଠକ କରିଛି । ମୁଖ୍ୟ ଷଡ଼ଯନ୍ତ୍ରକାରୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ତେବେ ରାଜସ୍ୱ ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ଜରୁରୀ ସେବାରେ ଯୋଗ ଦେବାକୁ ଓଡ଼ିଶା ରାଜସ୍ୱ ସେବା ସଂଘ ନିଷ୍ପତ୍ତି ନେଇଛି । କିନ୍ତୁ ଓଏଏସ୍ ସଂଘର ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । କେବଳ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଏବଂ ରଥ ଯାତ୍ରାରେ କାର‌୍ୟ୍ୟରତ ଅଧିକାରୀମାନେ ଆନ୍ଦୋଳନରୁ ଓହରି କାର‌୍ୟ୍ୟ ଦେବେ ବୋଲି ନିଷ୍ପତ୍ତି ନିଆଯାଇଥିବା ରାଜସ୍ୱ ଅଧିକାରୀ ସଂଘର ସଭାପତି କନିଷ୍କ ବୋଧିସ୍ୱତ୍ୱ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31