Indus Valley Times

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

 Breaking News

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର, ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୬ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
July 20
20:01 2023

ଭୁବନେଶ୍ୱର,୨୦/୭: ଓଡ଼ିଶା ଉପକୂଳରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ କରାଯିବା ସହ ଅରେଞ୍ଜ ଓ ୟେଲୋ ୱାର୍ଣ୍ଟିଂ ସୂଚିତ ୨୫ଟି ଜିଲ୍ଲାର କ୍ଷେତ୍ର ସ୍ତରର ଅଧିକାରୀମାନଙ୍କୁ ହେଡକ୍ୱାର୍ଟର ନଛାଡ଼ିବାକୁ ତାଗିଦ୍ କରାଯାଇଛି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ପ୍ରଥମେ ୩ଟି ଜିଲ୍ଲା ଓ ପରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଲଘୁଚାପଜନିତ ସମ୍ଭାବ୍ୟ ଲଗାଣ ବର୍ଷା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବିଭିନ୍ନ ବିଭାଗ ଓ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହିନୀ , ପୁଲିସକୁ ମଧ୍ୟ ସତର୍କ ରହିବାକୁ କହିଛନ୍ତି ।
ଭାରତୀୟ ପାଣିପାଗ ବିଭାଗର ସ୍ପେଶାଲ ବୁଲେଟିନ୍ ଅନୁସାରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ଅଛି । ସେହିପରି ୨୪ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ସୂଚନା ଆଧାରରେ ୨୧ରୁ ୨୫ତାରିଖ ପର‌୍ୟ୍ୟନ୍ତ ୧୪ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଓ ୧୧ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ୟେଲୋ ୱାର୍ଣ୍ଣିଂ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା- ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ଼, ପୁରୀ ,ଭଦ୍ରକ ଓ ବାଲେଶ୍ୱର । ଏସବୁ ଜିଲ୍ଲାରେ ୨୧ରୁ ୨୫ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି ରହିବ । ସେହିପରି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବଲାଙ୍ଗିର, ନୂଆପଡ଼ା, ଝାରସୁଗୁଡ଼ା ଓ ଦେବଗଡ଼ । ଏସବୁ ଜିଲ୍ଲାରେ ୨୧ରୁ ୨୩ତାରିଖ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକର ପ୍ରଶାସନିକ ବିଭାଗମାନେ ଯେକୌଣସି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ଭାବ୍ୟ ଅଚାନକ ବନ୍ୟା, ଜଳବନ୍ଦୀ ଯୋଗୁ ବିପଦସଙ୍କୁଳ ସ୍ଥାନଗୁଡ଼ିକରେ କ୍ଷେତ୍ର ସ୍ତରର ଅଧିକାରୀମାନଙ୍କୁ ଆଗୁଆ ପ୍ରସ୍ତୁତ ରହି ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ହେଡକ୍ୱାର୍ଟର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅସୁରକ୍ଷିତ କଚ୍ଚା ଘରେ ଆଶ୍ରୟ ନନେବାକୁ ପରାମର୍ଶ ଦେଇଛନ୍ତି ।
ପୌରାଂଚଳର ତଳିଆ ଅଂଚଳରେ ପ୍ରବଳ ବର୍ଷା ଯୋଗୁ ଜଳବନ୍ଦୀ ସମସ୍ୟା ଉପୁଜିପାରେ ତଥା ଡ୍ରେନ ଓ ରାସ୍ତା ବର୍ଷା ପାଣି ଦ୍ୱାରା ଜଳମଗ୍ନ ହେବାର ଆଶଙ୍କା ରହିଛି । ତେଣୁ ଏଭଳି ସ୍ଥିତିରେ ସାମୟିକ ଭାବେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନ୍ତର କରିବାକୁ ପରାମର୍ଶ ଦିଆଯାଇଛି । ବର୍ଷା ଜଳ ନିଷ୍କାସନ ପାଇଁ ଆବଶ୍ୟକ ସଂଖ୍ୟକ ପାଣିପମ୍ପ ଉପଯୋଗ, ବୁଡ଼ିଯାଇଥିବା ରାସ୍ତାରେ ଯାନବାହନ ଚଳାଚଳକୁ ନିୟନ୍ତ୍ରଣ କରିବାକୁ କୁହାଯାଇଛି ।
ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ଭୂସ୍ଖଳନର ଆଶଙ୍କା ରହିଛି । ବିଜୁଳି ସହ ଘଡ଼ଘଡ଼ି, ଘୂର୍ଣ୍ଣଝଡ଼, କୁଆପଥର ବର୍ଷା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସମସ୍ତ ତଥ୍ୟ ଏସଆରସିଙ୍କ କାର‌୍ୟ୍ୟାଳୟକୁ ପଠାଇବାକୁ କୁହାଯାଇଛି । ସେହିପରି ସମୁଦ୍ର ଅଶାନ୍ତ ରହୁଥିବାରୁ ୨୧ତାରିଖ ପର‌୍ୟ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031