Indus Valley Times

ଅନ୍‌ଲାଇନ୍ ଗେମ୍ ନେଲା ଜୀବନ, ବାପା-ବୋଉଙ୍କୁ ଲେଖିଲେ କୋହଭରା ଚିଠି

 Breaking News

ଅନ୍‌ଲାଇନ୍ ଗେମ୍ ନେଲା ଜୀବନ, ବାପା-ବୋଉଙ୍କୁ ଲେଖିଲେ କୋହଭରା ଚିଠି

November 12
11:33 2024

କେନ୍ଦ୍ରାପଡ଼ା,୧୨/୧୧ : ଘରର ଭେଣ୍ଡିଆ ପୁଅ ରୋଜଗାର ପାଇଁ କେନ୍ଦ୍ରାପଡ଼ାରୁ ଯାଇଥିଲା ଝାରସୁଗୁଡ଼ା। ଟଙ୍କା ରୋଜଗାର କରି ପରିବାର ପୋଷିବ ବୋଲି ବାପାମା’ ଆଶା ରଖିଥିଲେ। ମାତ୍ର ଅଧିକ ରୋଜଗାର ଆଶାରେ ପୁଅ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇବା କାଳ ହେଲା । ଲକ୍ଷାଧିକ ଟଙ୍କାର କରଜ ବୋଝ ତଳେ ଚାପି ହୋଇଥିବା ପୁଅ ସେଥିରୁ ମୁକୁଳି ପାରିଲାନି। ଆଉ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲା। ଯେଉଁ ପୁଅକୁ ରୋଜଗାର ପାଇଁ ବାପା ଘରୁ ଛାଡ଼ିଥିଲା ସେହି ଭେଣ୍ଡିଆ ପୁଅର ମୃତଦେହ ଧରି ଘରକୁ ଫେରିଲା ବୁଢ଼ା ବାପା।
ଏପରି ଏକ ହୃଦୟ ବିଦାରକ ଘଟଣା ଝାରସୁଗୁଡ଼ାରେ ଘଟିଥିବା ବେଳେ ରେଳ ଷ୍ଟେସନରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ୩୧ ବର୍ଷୀୟ ଅଚ୍ୟୁତାନନ୍ଦ ସାହୁ । ସେ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କ୍ୟାସିୟର ଭାବେ କାମ କରୁଥିଲେ। ତାଙ୍କ ଘର କେନ୍ଦ୍ରାପଡ଼ା (ଓରାଡି) ଲଙ୍କାପଡ଼ାରେ ବୋଲି ଜଣାଯାଇଛି। ପୁଲିସ୍ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
‘ଅଚ୍ୟୁତାନନ୍ଦ ସାହୁ କିଛି ବର୍ଷ ହେବ ଝାରସୁଗୁଡ଼ାସ୍ଥିତ ମାଇକ୍ରୋ କଣ୍ଟିନେଣ୍ଟାଲ ହୋଟେଲରେ କାମ କରୁଥିଲେ। ଏଥିସହ ସେ କଲର ଟ୍ରେଡିଂ ଗେମ୍ବଲିଂ ଆପ୍‌ରେ ଟଙ୍କା ଲଗାଇଥିଲେ। ମାତ୍ର ସେଥିରେ ସେ ସବୁ ଟଙ୍କା ହରାଇ ବସିଲେ। ସେଥିର ମୁକୁଳିବାକୁ ସେ ଆଉ ୨୦-୨୫ ଲକ୍ଷର ରଣ ବି କରି ଦେଇଥିଲେ। ମାତ୍ର ତାହା ବି ବୁଡ଼ିଗଲା। ଫଳରେ କରଜ ବୋଝ ତଳେ ଚାପି ହୋଇଗଲେ ଅଚ୍ୟୁତାନନ୍ଦ। ଋଣ କିପରି ଶୁଝିବେ ସେ ନେଇ ତାଙ୍କୁ କିଛି ବୁଦ୍ଧିବାଟ ଦିଶିଲାନି। ଫଳରେ ସବୁଆଡ଼ୁ ନିରାଶ ହେବା ପରେ ସେ ଜୀବନ ହାରିବାକୁ ଶେଷ ନିଷ୍ପତ୍ତି ନେଲେ।
ଜୀବନ ହାରିବା ପୂର୍ବରୁ ସେ ଛାଡ଼ି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି, ‘ଏତେ ବଡ଼ ଭୁଲ ମୋ ଦ୍ଵାରା କେମିତି ହୋଇଗଲା ସବୁ ଜାଣି ବି ଜାଣି ହେଲାନି। ଏତେ ପରିମାଣର ଋଣ ବୋଝର ଚାପ ସହିବା ଭଳି ମୋ ପାଖରେ ସେ ସାହସ ନାହିଁ । ଶେଷ ନିଶ୍ୱାସ ଯାଏଁ ବହୁତ ଚେଷ୍ଟା କଲି। ଆଉ ବିଳମ୍ବ କରିଥିଲେ ଆହୁରି ଅଧିକ ଲୋକ କଷ୍ଟ ପାଇଥାନ୍ତେ । ତାହା ମୁଁ ସହି ପାରି ନ ଥାନ୍ତି। ଯେଉଁ ସମୟରେ ବାପା ବୋଉଙ୍କ ସେବା କରିବା କଥା ସେ ସମୟରେ ତାଙ୍କ ମନକୁ ଆଘାତ ଦେଇ ଛାଡ଼ି ଚାଲି ଯାଉଛି । ବହୁତ ଭାଗ୍ୟବାନ ଥିଲି ଯେ ଏମିତି ବାପା ବୋଉଙ୍କୁ ପାଇଥିଲି। କିନ୍ତୁ ସେ ସୁଖରୁ ବଞ୍ଚିତ ହେବାକୁ ପଡ଼ିଲା । ଏତିକି ଅନୁରୋଧ ମତେ କ୍ଷମା କରିଦେବ।’
ଏହାପରେ ସେ ଝାରସୁଗୁଡ଼ା ରେଳ ଷ୍ଟେଶନରୁ କିଛି ଦୂରରେ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିଲେ। ମୃତ୍ୟୁ ପୂର୍ବରୁ ପୁଅ କରିଥିବା ମେସେଜ୍ ପାଇବା ପରେ ଅଚ୍ୟୁତାନନ୍ଦଙ୍କ ପିତା ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପୁଲିସ୍ ଓ ରେଳବାଇ ପୁଲିସ୍ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏହାପରେ ମୃତଦେହ ଧରି ପରିବାର ଲୋକେ ଘରକୁ ଫେରିଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31