Indus Valley Times

ଅବନୀ ବରାଳ ଥିଲେ ଯୋଗଜନ୍ମା :ଜନ୍ମଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି

 Breaking News

ଅବନୀ ବରାଳ ଥିଲେ ଯୋଗଜନ୍ମା :ଜନ୍ମଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି

ଅବନୀ ବରାଳ ଥିଲେ ଯୋଗଜନ୍ମା :ଜନ୍ମଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି
June 04
21:16 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୪/୬: ବିଶ୍ବସ୍ତରୀୟ ଶିକ୍ଷକ ନେତା, ଖ୍ୟାତନାମା ସାହିତ୍ୟିକ, ନାଟ୍ୟକାର ଅବନୀ ବରାଳ ଙ୍କ ୯୨ତମ ଜୟନ୍ତୀ ଜେମାଦେଇ ଜୟୀ ରାଜଗୁରୁ ଉଚ୍ଚ ବିଦ୍ୟାଳୟ ଠାରେ ପାଳିତ ହୋଇଯାଇଛି।
ବିଶିଷ୍ଟ ଶିକ୍ଷାବିତ୍ ସତ୍ୟବାଦୀ ବଳିଆରସିଂହଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ବିଶ୍ବ ଶିକ୍ଷକ ସଂଘର ସଭାପତି ଅମୀୟ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ବରାଳଙ୍କ ବହୁମୁଖୀ ଗୁଣାବଳି ସମ୍ପର୍କରେ ଆଲୋକପାତ କରିଥିଲେ।
ସମ୍ମାନିତ ଅତିଥି ଭାବେ ଶିକ୍ଷକ ମହାସଂଘର ସଭାପତି ଅକ୍ଷୟ କୁମାର ଦାସ, ଶିକ୍ଷକ ମହସଂଘର ଯୁଗ୍ମ ସମ୍ପାଦକ ପ୍ରଫେସର ବୃନ୍ଦାବନ ମହାପାତ୍ର ଯୋଗ ଦେଇ ଶିକ୍ଷକ ମାନଙ୍କ ଦାବି ହାସଲ ସହିତ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସ୍ବର୍ଗତ ବରାଳ ଯାହା କରି ଯାଇଛନ୍ତି ସେଥି ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମତ ଦେଇଥିଲେ।
ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ତଥା ଶିକ୍ଷାବିତ୍ ପ୍ରଫେସର ଶଶାଙ୍କ ସେଖରେ ରଥ ତାଙ୍କ ସହିତ ଦୀର୍ଘ ଦିନର କାର୍ଯ୍ୟ କରିବାର ଅଭିଜ୍ଞତା ପ୍ରକାଶ କରି ସେ କିପରି ଜଣେ ଦୃଢ଼ ସଂଘଠକ ଓ ଉଦାର ଚରିତ୍ରର ବ୍ୟକ୍ତି ଥିଲେ ବୋଲି ବର୍ଣ୍ଣନା କରିଥିଲେ।
ଶିକ୍ଷକ ନେତା ସୁରେଶ ଚନ୍ଦ୍ର ବିଶ୍ବାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଡ ଗୌରହରି ମିଶ୍ର,ସତ୍ୟବାନ୍ ଶ୍ରୀଚନ୍ଦନ, ଡ. ଅଶୋକ କୁମାର ରାୟସିଂହ, ପ୍ରାଧ୍ୟାପକ ସୁବୋଧ କୁମାର ଜଗଦ୍ଦେବ ସ୍ବର୍ଗତ ବରାଳଙ୍କୁ ଓଡ଼ିଶାର ଶିକ୍ଷା ଜଗତର ଏକ ଆଲୋକ ବର୍ତିକା ଓ ସାଧାରଣ ଶିକ୍ଷକଙ୍କର ରକ୍ଷା କର୍ତ୍ତା ବୋଲି ଅଭିହିତ କରିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବଳିଆରସିଂହ, ଗୋବିନ୍ଦ ଚନ୍ଦ୍ର ସାହୁ, ପ୍ରାଥମିକ ଶିକ୍ଷକ ସଂଘ ନେତା ଅଗାଧୁ ସେଠୀ, ଯୁଧିଷ୍ଠିର ସାହୁ,ବରିଷ୍ଟ ଶିକ୍ଷକ ଭକ୍ତ ବଲ୍ଲଭ ଜେନା, ପ୍ରହଲ୍ଲାଦ ବାରିକ,ବେଣୁଧର ମହାପାତ୍ର,ରମେଶ ଚନ୍ଦ୍ର ବଡ଼ଜେନା ପ୍ରମୁଖ ସ୍ବର୍ଗତ ବରାଳ କିପରି ଘରଦ୍ୱାର ଭୁଲି ଶିକ୍ଷକ ଓ ଶିକ୍ଷାୟତନ ପାଇଁ କାମ କରୁଥିଲେ ବୋଲି କହିଥିଲେ। ସ୍ବର୍ଗତ ବରାଳ ଜୟୀ ରାଜଗୁରୁ ବିଦ୍ୟାଳୟ ଗଢିବା ପାଇଁ ଖୋର୍ଦ୍ଧା କଲେଜରେ ପଢୁଥିବା ପ୍ରତି ପିଲାଙ୍କ ଠାରୁ ଦୁଇ ଟଙ୍କା ଆଦାୟ କରି ସହାୟତା ପ୍ରଦାନ କରିଥିଲେ । ଧନ୍ୟବାଦ ପ୍ରଦାନ କରିଥିଲେ ପ୍ରଧାନ ଶିକ୍ଷକ ଆଶିଷ କୁମାର ପଟ୍ଟନାୟକ। ସକାଲେ ସ୍ବର୍ଗତ ବରାଳଙ୍କ ପ୍ରତିମୂର୍ତିରେ ଖୋର୍ଦ୍ଧାର ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଶ୍ରଦ୍ଧା ସୁମନ ଜ୍ଞାପନ କରି ସ୍ମୃତି ଚାରଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031