Indus Valley Times

ଇଣ୍ଡିଆନ ବ୍ୟାଙ୍କରୁ ଲୁଟ୍ ମାମଲାରେ ୪ ଗିରଫ, ୪ ଫେରାର ; ଲୁଟେରାଙ୍କ ସହଯୋଗକାରୀ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ଗିରଫ

 Breaking News

ଇଣ୍ଡିଆନ ବ୍ୟାଙ୍କରୁ ଲୁଟ୍ ମାମଲାରେ ୪ ଗିରଫ, ୪ ଫେରାର ; ଲୁଟେରାଙ୍କ ସହଯୋଗକାରୀ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ଗିରଫ

July 05
22:36 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୫/୭ : ସଦର ଥାନା ଅଧୀନ ମାନ୍ଧାତାପୁର ଇଣ୍ଡିଆନ ବ୍ୟାଙ୍କରୁ ହୋଇଥିବା ଲୁଟ୍ ମାମଲାରେ ପୁଲିସ୍ ମୋଟ୍ ଚାରି ଜଣଙ୍କୁ ବାନ୍ଧିଛି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲାର ସାଗର ମହାରଣା (୨୬), ଦଶପଲ୍ଲା ଥାନା ଅଧୀନ ଭୋଗରା ଗାଁର ପ୍ରମୋଦ ନାୟକ (୨୧), ଇଟାମାଟି ଥାନା ଅଧୀନ ଲାଠିପଡ଼ା ଗାଁର କାର୍ତ୍ତିକା ବରାଡ଼ (୫୦) ଓ ସଦର ଥାନା ଅଧୀନ ଜେମାଦେଇପୁରପାଟଣାର ପୂର୍ଣ୍ଣଚନ୍ଦ୍ର ପୃଷ୍ଟି (୫୦)।
ପୂର୍ଣ୍ଣଚନ୍ଦ୍ର ହେଉଛନ୍ତି ଜେମାଦେଇପୁର ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ରୀନାବାଳା ପୃଷ୍ଟିଙ୍କ ସ୍ବାମୀ। କାର୍ତ୍ତିକା ଓ ପୂର୍ଣ୍ଣଚନ୍ଦ୍ର ବ୍ୟାଙ୍କରୁ ଲୁଟ୍ କରିଥିବା ଲୁଟେରାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା କରିଥିବା ଏସପି ଏସ୍.ସୁଶ୍ରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।
ଦୁଇ ଜଣ ଲୁଟେରା ଧରାପଡ଼ିଥିବା ବାକି ଚାରି ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ଓ ଡିଏସପି ସୁକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଲୁଟ୍ ପୂର୍ବରୁ ବାରମ୍ବାର ରେକି
ବ୍ୟାଙ୍କ୍ ଲୁଟ୍ ପୂର୍ବରୁ ଲୁଟେରାମାନେ ଜେମାଦେଇପୁରପାଟଣା ଗାଁରେ ପହଞ୍ଚି ବ୍ୟାଙ୍କ୍ ନିକଟରେ ବାରମ୍ବାର ରେକି କରିଥିଲେ। କେତେବେଳେ ବ୍ୟାଙ୍କ୍ ଖୋଲୁଛି, ଟଙ୍କା ଯାଉଛି, ଟଙ୍କା ଆସୁଛି ଓ ସର୍ବୋପରି କେତେବେଳେ ବନ୍ଦ ହେଉଛି।
ସବୁକିଛି ଟିକିନିଖି ଲୁଟେରାମାନେ ଦେଖିଥିଲେ। ଶେଷରେ ଯେଉଁ ଦିନ ଟଙ୍କା ଗାଡ଼ି ଆସିଥିଲା, ସେମାନେ ଲୁଟ୍ କରିବା ପାଇଁ ଯୋଜନା କରିଥିଲେ। ପୂର୍ବରୁ ସେମାନେ ଏହି ଗାଁରେ ଆସି ବୈଠକ କରିଥିବା ବେଳେ କାର୍ତ୍ତିକା ଓ ପୂର୍ଣ୍ଣଚନ୍ଦ୍ର ସେମାନଙ୍କୁ ସମସ୍ତ ସହଯୋଗ କରିଥିଲେ।
ସେମାନଙ୍କ ପାଇଁ ମଦ ଓ ଚାଖଣା କିଣିବାଠାରୁ ଆରମ୍ଭ କରି ବ୍ୟାଙ୍କ୍ ସମ୍ପର୍କରେ ପ୍ରତ୍ୟେକ ଦିନ ତଥ୍ୟ ପ୍ରଦାନ କରୁଥିଲେ। ଗିରଫ ହୋଇଥିବା ସାଗର ଓ ପ୍ରମୋଦଙ୍କ ବୟାନ ଅନୁଯାୟୀ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହି ଲୁଟେରା ଗ୍ୟାଙ୍ଗ୍ ସହ ସେମାନଙ୍କର ସମ୍ପୃକ୍ତି ସମ୍ପର୍କରେ ପୁଲିସ ଏବେ ଅଧିକ ଖୋଳତାଡ଼ ଚଳାଇଛି।
ଇଣ୍ଡିଆନ୍ ବ୍ୟାଙ୍କକୁ ବାଛିଥିଲେ ଲାଠିପଡ଼ାର ଯୁବକ
ବ୍ୟାଙ୍କରୁ ଲୁଟ୍ କରିଥିବା ଏହି ଗ୍ୟାଙ୍ଗ ନାଁରେ କମିସନରେଟ୍ ପୁଲିସ ଅଧୀନ ଓ ନୟାଗଡ଼ର ବିଭିନ୍ନ ଥାନାରେ ପ୍ରାୟ ୨୦ରୁ ଅଧିକ ମାମଲା ରହିଛି। ବର୍ତ୍ତମାନ ପୁରୀରେ ରହୁଥିବା ଲାଠିପଡ଼ାର ଜଣେ ଯୁବକଙ୍କର ଗ୍ୟାଙ୍ଗର ସଦସ୍ୟମାନଙ୍କ ସହ ପରିଚିତ ଥିଲେ। ଏହି ବ୍ୟାଙ୍କରେ ସୁରକ୍ଷାକର୍ମୀ ନଥିବା ବେଳେ ଭିତରେ ସୁରକ୍ଷା ବ୍ୟବସ୍ଥା ସେତେ ସୁଦୃଢ଼ ନଥିଲା। ଏଣୁ ଏହି ବ୍ୟାଙ୍କରୁ ଲୁଟ୍ କରିବା ପରେ ଅତି ଆରାମରେ ଖସି ହୋଇପାରିବ ବୋଲି ସମସ୍ତେ ଚିନ୍ତା କରିଥିଲେ। ଲୁଟର ଚାରି ଦିନ ପୂର୍ବରୁ ସମସ୍ତେ ଗାଁରେ ପହଞ୍ଚି ଉକ୍ତ ବ୍ୟାଙ୍କ୍ ନିକଟରେ ପଇଁତରା ମାରିଥିଲେ। ଏହି ଗ୍ୟାଙ୍ଗର କେତେ ଜଣ ସଦସ୍ୟ ବ୍ୟାଙ୍କ ଋଣରେ ବୁଡ଼ି ରହିଥିଲେ। ଏଣୁ ବ୍ୟାଙ୍କରୁ ଟଙ୍କା ଲୁଟ୍ କରିବା ପରେ ଏହି ଋଣ ଟଙ୍କା ପଇଠ କରିବା ସହ ବାକି ଟଙ୍କାରେ ମଉଜ କରିବା ପାଇଁ ସେମାନେ ଯୋଜନା କରିଥିଲେ।
କାମ ଦେଲା ସମସ୍ତ ସୀମାରେ ପୁଲିସର ନାକା ବ୍ୟାଙ୍କରୁ ଟଙ୍କା ଲୁଟ୍ ହୋଇଥିବା ସଂକ୍ରାନ୍ତରେ ଖବର ପ୍ରଚାର ହୋଇଯିବା ପରେ ଜିଲ୍ଲା ପୁଲିସ ସଙ୍ଗେ ସଙ୍ଗେ ତତ୍ପର ହୋଇ ଉଠିଥିଲା। ଟାଉନ ଥାନା ଇନସପେକ୍ଟର ରଶ୍ମୀ ରଂଜନ ମହାପାତ୍ର, ରଣପୁର ଥାନା ଇନସପେକ୍ଟର ଆଶିଷଦେବ ସାହୁ, ଇଟାମାଟି ଥାନା ଇନସପେକ୍ଟର ପ୍ରିୟବ୍ରତ ରାଉତ ଓ ଦର୍ପନାରାୟଣ ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ର ଶିଆଳ ପ୍ରମୁଖ ଲୁଟେରାଙ୍କୁ ଖୋଜିବାରେ ବାହାରି ପଡ଼ିଥିଲେ।
ସମସ୍ତ ସୀମାରେ ପୁଲିସ ନାକା କରାଯାଇଥିଲା। ରଣପୁର ଥାନା ଇନସପେକ୍ଟର ଆଶିଷଦେବ ଓ ଦର୍ପନାରାୟଣ ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ରଙ୍କ ହାବୁଡ଼ରେ ଦୁଇ ଜଣ ଲୁଟେରା ସାଗର ଓ ପ୍ରମୋଦ ପଡ଼ିଥିଲେ। ଗାଁ ଲୋକଙ୍କ ସହାୟତାରେ ଏହି ଦୁଇ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା।
ସେମାନେ ଚଳାଉଥିବା ପଲସର ବାଇକ୍ (ଓଡି୦୨ ସିଡି ୬୫୪୩) ସହ ଟଙ୍କା ଭର୍ତ୍ତି ଏକ ଅଖା, ଗୋଟିଏ ଦେଶୀ ପିସ୍ତଲ ଓ ଦୁଇଟି ଗୁଳି ଜବତ ହୋଇଥିଲା। ଏହି ଅଖାରେ ୨୦ ଲକ୍ଷ ୮୬ ହଜାର ୫୦ ଟଙ୍କା ଥିବା ଜଣାପଡ଼ିଛି। ଯେହେତୁ ବ୍ୟାଙ୍କରୁ ୨୭ ଲକ୍ଷ ଟଙ୍କା ଚୋରି ହୋଇଥିବା ଶାଖା ପରିଚାଳକ ଥାନାରେ ଅଭିଯୋଗ କରିଛନ୍ତି। ସେଥିପାଇଁ ବାକି ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଅନ୍ୟ ଫେରାର ଲୁଟେରାଙ୍କ ପାଖରେ ଥିବା ଅନୁମାନ କରାଯାଉଛି।
ବାଇକ୍ ଫୋପାଡ଼ି ଚାଲି ଚାଲି ପଳେଇଲେ ପୁଲିସ ସମସ୍ତ ଦିଗରେ ଘେରି ସାରିଲାଣି ବୋଲି ଲୁଟେରାମାନେ ଜାଣି ପାରିଥିଲେ। ଧୀରେ ଧୀରେ ସନ୍ଧ୍ୟା ହୋଇଆସୁଥିବା ବେଳେ ବର୍ଷା ମଧ୍ୟ ହେଉଥିଲା। ବାଇକରେ ଗଲେ ପୁଲିସ ହାତରେ ଧରାପଡ଼ିବାର ଭୟ ଥିବାରୁ, ରାସ୍ତା ପାର୍ଶ୍ବରେ ବାଇକ ଫୋପାଡ଼ି ଦୁଇ ଜଣ ଲୁଟେରା ଚାଲି ଚାଲି ପଳାଇଥିବା ଅନୁମାନ କରାଯାଉଛି।
ବାଉଁଶଗଡ଼ ଛକ ନିକଟରେ ଆଉ ଏକ ପଲସର ବାଇକ୍ (ଓଡି୦୨ ସିଡି୨୪୯୨) ପଡ଼ିଥିବା ସଦର ଥାନା ଇନସପେକ୍ଟର ଶରତ ସେଠୀ ଦେଖିବାକୁ ପାଇଥିଲେ।
ଏହି ବାଇକଟିକୁ ଜବତ କରାଯାଇ ଥାନାକୁ ଅଣାଯାଇଛି। ଆଉ ଦୁଇ ଜଣ ଲୁଟେରା ରାଜସୁନାଖଳା ରାସ୍ତାରେ ଭୁବନେଶ୍ବର ଅଭିମୁଖେ ଯାଇଥିବା ପୁଲିସ ଜାଣିବାକୁ ପାଇଛି। ନୟାଗଡ଼ ଏସଡିପିଓଙ୍କ ନେତୃତ୍ବରେ ତିନିଟା ଟିମ୍ ଗଠନ କରାଯାଇ ଲୁଟେରାମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଚାଲିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930