Indus Valley Times

ଉତ୍ତରାଖଣ୍ଡରେ ୪,୦୦୦ ଘର, ବିଦ୍ୟାଳୟ, ମସଜିଦ ଉଚ୍ଛେଦକୁ ନେଇ ବିବାଦ: ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି

 Breaking News

ଉତ୍ତରାଖଣ୍ଡରେ ୪,୦୦୦ ଘର, ବିଦ୍ୟାଳୟ, ମସଜିଦ ଉଚ୍ଛେଦକୁ ନେଇ ବିବାଦ: ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି

ଉତ୍ତରାଖଣ୍ଡରେ ୪,୦୦୦ ଘର, ବିଦ୍ୟାଳୟ, ମସଜିଦ ଉଚ୍ଛେଦକୁ ନେଇ ବିବାଦ: ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି
January 04
17:57 2023

ନୂଆଦିଲ୍ଲୀ,୪/୧: ଉତ୍ତରାଖଣ୍ଡର ହଲଦୱାନିରେ ଥିବା ୨୯ ଏକର ଜମି ଉପରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା ଲୋକଙ୍କ ଭାଗ୍ୟ ଏବେ ସୁତା ଖିଅରେ ଝୁଲୁଛି। ଏଠାରେ ଥିବା ରେଳବାଇର ୨୯ ଏକର ଜମି ଉପରେ ନିର୍ମାଣ ହୋଇଥିବା ଘର, ସ୍କୁଲ, ମନ୍ଦିର ଓ ମସଜିଦକୁ ଉଚ୍ଛେଦ କରିବା ପାଇଁ ଉତ୍ତରାଖଣ୍ଡ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହାକୁ ସେଠାରେ ରହୁଥିବା ପ୍ରାୟ ୪ ହଜାର ଘରର ଲୋକମାନେ ବିରୋଧ କରିବା ସହ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ୪ ହଜାର ଘର, ସ୍କୁଲ ଓ ମସଜିଦ ଭଙ୍ଗା ଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବେ। ତଥାପି ସେଠାରେ ରହୁଥିବା ଲୋକମାନେ ଭୟରେ ବିକ୍ଷୋଭ କରିବା ସହ ପ୍ରଶାସନକୁ ଉଚ୍ଛେଦ ନ କରିବାକୁ ନେହୁରା ହେବାରେ ଲାଗିଛନ୍ତି।
ଏହି ୨୯ ଏକର ଜମିରେ ରହୁଥିବା ଲୋକମାନେ ଦାବି କରିଛନ୍ତି ଯେ ସେମାନଙ୍କୁ ଲିଜ୍ରେ ଏଠାରେ ରହିବାକୁ ଅନୁମତି ମିଳିଥିଲା। ଏହି ଅଞ୍ଚଳରେ ୪ଟି ସରକାରୀ ସ୍କୁଲ, ୧୧ଟି ଘରୋଇ ସ୍କୁଲ, ଗୋଟିଏ ବ୍ୟାଙ୍କ, ୨ଟି ଓଭର ହେଡ ୱାଟର ଟାଙ୍କର, ୧୦ଟି ମସଜିଦ ଓ ୪ଟି ମନ୍ଦିର ସମେତ ଅନେକ ଦୋକାନ ବଜାର ରହିଛି। ଦଶନ୍ଧି ଦଶନ୍ଧି ଧରି ଏଗୁଡ଼ିକ ଏଠାରେ ଥିବା ବେଳେ ଏବେ ସେସବୁ ଉପରେ ବୁଲଡୋଜର ଚଳାଇବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
ଦୀର୍ଘଦିନ ବର୍ଷ ଧରି ଉକ୍ତ ଜମିକୁ ନେଇ ବିବାଦ ଲାଗି ରହିଥିଲା। ତେବେ ଡିସେମ୍ବର ୨୦ ତାରିଖରେ ଜିଲ୍ଲା ପ୍ରଶାସନ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗୋଟିଏ ନୋଟିସ ଜାରି କରିଥିଲା। ଏଥିସହ ଏଠାରେ ରହୁଥିବା ଲୋକଙ୍କୁ ଜାନୁଆରୀ ୯ ସୁଦ୍ଧା ନିଜର ଜିନିଷପତ୍ର ଧରି ଚାଲିଯିବାକୁ କହିଛି। କିନ୍ତୁ ଲୋକମାନେ କୁଆଡ଼େ ଯିବେ, ତା’ର ଉତ୍ତର ପ୍ରଶାସନ ପାଖରେ ନାହିଁ।
ପ୍ରଶାସନର ଏପରି ନୋଟିସ ବିରୋଧରେ ସ୍ଥାନୀୟ ଲୋକେ ବିକ୍ଷୋଭ କରୁଛନ୍ତି। ହଲଦୱାନି ରେଳ ଷ୍ଟେସନକୁ ଲାଗି ରହିଥିବା ୨ କିମି ଅଞ୍ଚଳ ମଧ୍ୟରେ ଗଫର ବସ୍ତି, ଡୋଲକା ବସ୍ତି ଓ ଇନ୍ଦିରା ନଗର ରହିଛି। ଏହି ବସ୍ତିଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଥିବା ବେଳେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରି ମହମବତୀ ଶୋଭାଯାତ୍ରା କରିଛନ୍ତି। ଲୋକମାନେ କାନ୍ଦିବା ସହ ଘର ଉଚ୍ଛେଦ ନ କରିବାକୁ ଅନୁରୋଧ କରିଛନ୍ତି।
ଜିଲ୍ଲା ମାଜିଷ୍ଟ୍ରେଟ ଧୀରଜ ଏସ୍ ଗରବାୟଲ କହିଛନ୍ତି, “ଏଠାରେ ଲୋକମାନେ ରେଳବାଇ ଜମିରେ ରହୁଛନ୍ତି। ସେମାନଙ୍କୁ ହଟାଯିବ। ଏଥିପାଇଁ ଆମର ପ୍ରସ୍ତୁତି ଜାରି ରହିଛି। ଆମେ ଅଧିକ ଫୋର୍ସ ମଗାଇଛୁ। ଖୁବଶୀଘ୍ର ଉଚ୍ଛେଦ ଶେଷ ହେବ।”
ଏଠାରେ ଥିବା ସରକାରୀ ବାଳିକା ଇଣ୍ଟର କଲେଜ(ଜିଜିଆଇସି)ରେ ପଢ଼ୁଥିବା ଶିକ୍ଷାର୍ଥୀମାନେ ମଧ୍ୟ ଉଚ୍ଛେଦକୁ ବିରୋଧ କରୁଛନ୍ତି। କଲେଜର ଜଣେ କର୍ମଚାରୀ କହିଛନ୍ତି, ୧୯୫୧ରେ ଗୋଟିଏ ଜୁନିୟର ହାଇସ୍କୁଲ ଭାବେ ଏହା ପ୍ରତିଷ୍ଠା ହୋଇଥିଲା। ଅନେକ ପରିଶ୍ରମ ପରେ ୨୦୦୫ରେ ଏହା ଇଣ୍ଟର କଲେଜରେ ପରିଣତ ହୋଇଥିଲା। ପ୍ରଶାସନ ଭଲ ଭାବେ ଜାଣିଛି ଯେ ଉଚ୍ଛେଦ ଦ୍ୱାରା ୨ ହଜାରରୁ ଅଧିକ ଶିକ୍ଷାର୍ଥୀ ପ୍ରଭାବିତ ହେବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031