Indus Valley Times

ଓଡ଼ିଶା ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ; ଶତାୟୁରେ ପୂରା ଫିଟ୍

 Breaking News

ଓଡ଼ିଶା ପ୍ରଥମ ଫଟୋ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ; ଶତାୟୁରେ ପୂରା ଫିଟ୍

July 31
11:46 2023

ବାରିପଦା,୩୧/୭: ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ଭାବେ ଜଣାଶୁଣା ମୟୂରଭଞ୍ଜ ଜିଲ୍ଲାର ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ। ବୟସ ୧୦୦ ଟପିଲାଣି। ଶତାୟୁ ପୂର୍ଣ୍ଣଚନ୍ଦ୍ର ଏବେ ବି ଚଳଚଞ୍ଚଳ। ଫଟୋଗ୍ରାଫର୍ ଭାବେ ତାଙ୍କର ଖ୍ୟାତି ରହିଥିବା ବେଳେ ସେ ଏକାଧାରରେ ଜଣେ ସତ୍ୟନିଷ୍ଠ ସାମ୍ବାଦିକ, ସୁସାହିତ୍ୟିକ, ଅଭିନେତା, ରଥ କାରିଗର ଓ ବାସ୍ତୁବିତ୍। ମୟୂରଭଞ୍ଜର ମହାରାଜା ଯଦୁନାଥ ଭଞ୍ଜଦେଓଙ୍କ ସମୟରେ ପୁରୀରୁ ବାରିପଦାକୁ ଉଠି ଆସିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର। ୧୯୨୪ ମସିହାରେ ପୂର୍ଣ୍ଣଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ ବାରିପଦା ସହରରେ।
ହାଇସ୍କୁଲ ବେଳୁ ଫଟୋଗ୍ରାଫି ପ୍ରତି ତାଙ୍କର ଆକର୍ଷଣ ରହିଥିଲା। ପରବର୍ତ୍ତୀ ସମୟରେ ରାଜା ଯଦୁନାଥ ଭଞ୍ଜଦେଓ ତାଙ୍କୁ ବ୍ୟକ୍ତିଗତ ଫଟୋଗ୍ରାଫି କାର‌୍ୟ୍ୟରେ ନିୟୋଜିତ କରିଥିଲେ। ସେତେବେଳେ ଆଜି ଭଳି ଅତ୍ୟାଧୁନିକ କ୍ୟାମେରା ନଥିଲା।
ଅନ୍ଧାର କୋଠରିରେ କ୍ୟାମେରା ଫିଲିମ୍ ରିଲ୍କୁ କେମିକାଲ୍ରେ ଧୋଇ କିଭଳି ସୁନ୍ଦର ଫଟୋ ବାହାର କରିହେବ, ସେଥିରେ ସେ ସିଦ୍ଧହସ୍ତ ଥିଲେ। ତାଙ୍କର ଏହି କଳା ତାଙ୍କୁ ରାଜପରିବାରଠୁ ଆରମ୍ଭ କରି ତତ୍କାଳୀନ ବ୍ରିଟିସ୍ ସରକାର ଓ ଧନୀକ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ପରିଚିତ କରାଇଥିଲା।
ଖାଲି ଓଡ଼ିଶା କି ଭାରତ ନୁହେଁ, ନେପାଳ ଓ ଅନ୍ୟ ଦେଶରୁ ମଧ୍ୟ ତାଙ୍କୁ ଫଟୋଗ୍ରାଫି ପାଇଁ ନିମନ୍ତ୍ରଣ ମିଳୁଥିଲା। ନେପାଳର ରାଜା ତାଙ୍କ ଫଟୋଗ୍ରାଫିରେ ମୁଗ୍ଧ ହୋଇ ଏକ ଦାମୀ ଜର୍ମାନ୍ କ୍ୟାମେରା ଉପହାର ଦେଇଥିଲେ। ସେ ସମୟରେ ପୁଲିସ ବିଭାଗ ପାଇଁ ଏକମାତ୍ର ଫଟୋଗ୍ରାଫର ଥିଲେ ପୂର୍ଣ୍ଣଚନ୍ଦ୍ର। ଏକଥା ‘ପୁଲିସ ୱାଣ୍ଟ୍ସ ୟୋର ହେଲ୍ପ ପୁସ୍ତକରେ ଲିଖିତ ମଧ୍ୟ ଅଛି।
ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ସେ ଉତ୍ତୋଳନ କରିଥିବା ଏକ ବିରଳ ଫଟୋ ପରବର୍ତ୍ତୀ ସମୟରେ ଇନ୍ଦିରାଙ୍କ ଜୀବନୀ ପୁସ୍ତକର କଭର୍ ପେଜ୍ରେ ସ୍ଥାନ ପାଇଥିଲା।
ଫଟୋଗ୍ରାଫି ବ୍ୟତୀତ ଓଡ଼ିଆ ଲିପିର ସଂସ୍କାର ପାଇଁ ସେ ଅନେକ ପ୍ରସ୍ତାବ ଦେଇଥିଲେ। ତାଙ୍କର ଏକ ପ୍ରସ୍ତାବ ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖପତ୍ର ‘କୋଣାର୍କ’ର ସପ୍ତମ ସଂଖ୍ୟାରେ ପ୍ରକାଶିତ ହୋଇଥିଲା।
ଏହାଛଡ଼ା ପୂର୍ଣ୍ଣଚନ୍ଦ୍ର ଲୋକପ୍ରିୟ ଚଳଚ୍ଚିତ୍ରରେ ‘ଅଭିମାନ’ ଓ ‘ଫୁଲଚନ୍ଦନ’ରେ ଅଭିନୟ କରିଥିଲେ। ଛଉନୃତ୍ୟରେ ମଧ୍ୟ ସେ ପାରଙ୍ଗମ ଥିଲେ। କର୍ମମୟ ଜୀବନର ବ୍ୟସ୍ତତା ମଧ୍ୟରେ ସେ ରଥ ନିର୍ମାଣର କୌଳିକ ବୃତ୍ତିକୁ ଛାଡ଼ି ନଥିଲେ। ଆଜି ବୟସର ଅପରାହ୍ଣରେ ଉପନୀତ ପୂର୍ଣ୍ଣଚନ୍ଦ୍ର। ସେ ସୁସ୍ଥ ଓ ନିରାମୟ ଜୀବନ ବଞ୍ଚନ୍ତୁ, ଏହା ହିଁ ‘ସମ୍ବାଦ’ର କାମନା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031