Indus Valley Times

କ୍ୟାବିନମୁକ୍ତ ସହର ଉଚ୍ଛେଦ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

 Breaking News

କ୍ୟାବିନମୁକ୍ତ ସହର ଉଚ୍ଛେଦ ଆରମ୍ଭ କଲା ଜିଲ୍ଲା ପ୍ରଶାସନ

December 30
19:33 2024

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୩୦/୧୨: ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ପ୍ରଥମେ ଉଦ୍ୟମ ଆରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମହାସଂଘ ଏବଂ ବିଭିନ୍ନ ଦଳର ରାଜନେତା ମାନଙ୍କ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ସାମୁହିକ ଭାବରେ ସ୍ଥଗିତ ରଖାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ବ୍ୟବସାୟୀ ମହାସଂଘ ପକ୍ଷରୁ କ୍ୟାବିନ ବ୍ୟବସାୟୀ ମାନଙ୍କୁ ଥଇଥାନ ନକରିବା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖିବା ନିମନ୍ତେ ଓଡିଶା ଉଚ୍ଚ ନ୍ୟାୟଳୟରେ ଏକ ରିଟ ପିଟିସନ ଡବ୍ଲୁ.ପି.(ସି) ନଂ -୩୧୪୯୪/୨୦୨୪ ଦାଖଲ କରାଯାଇଥିଲା, ଯାହାକୁ ଉଚ୍ଚ ନ୍ୟାୟଳୟ ବିଭିନ୍ନ କାରଣ ଦର୍ଶାଇ ଖାରଜ କରିଦେଇଥିଲେ। ଫଳରେ ରାସ୍ତା କଡର କ୍ୟାବିନ ବ୍ୟବସାୟୀ ମାନଙ୍କୁ ଉଚ୍ଛେଦ ନିମନ୍ତେ ଜ଼ିଲ୍ଲା ପ୍ରଶାସନ ଅଣ୍ଟା ଭିଡିଥିଲା। ଦୀର୍ଘ ତିରିଶ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କ୍ୟାବିନ ବ୍ୟବସାୟୀ ମାନଙ୍କୁ ନେଇ ରାଜନୀତି କରୁଥିବା ସ୍ଥାନୀୟ ରାଜନେତା ମାନଙ୍କର ନିଦ ହଜି ଯାଇଥିଲା। ପ୍ରଥମ ପର୍ଯ୍ୟୟରେ ଖୋର୍ଦ୍ଧା ପୁରୁଣା ଆଲ୍ଲାହବାଦ ବ୍ୟାଙ୍କ ନିକଟ ମାରୱାଡି ପଟି ଠାରୁ ଆରମ୍ଭ କରି ସମବାୟ ବ୍ୟାଙ୍କ ଦେଇ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ୧୬୬ ଜଣ ରାସ୍ତାକଡ଼ର କ୍ୟାବିନ ବ୍ୟବସାୟୀଙ୍କୁ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ଚି଼ହ୍ନଟ କରାଯିବା ସହିତ ସେମାନଙ୍କୁ ଥଇଥାନ କରିବା ନିମନ୍ତେ ଖୋର୍ଦ୍ଧା ସହର ମଧ୍ୟରେ ଥିବା ଭାଲିଆବାଡ଼ି ଏବଂ ଟି.ଏଲ. ସି. ରାସ୍ତା ନିକଟରେ ଭେଣ୍ଡି ଜୋନ ନିର୍ମାଣ କରାଯାଇଛି। କିଛି କ୍ୟାବିନ ବ୍ୟବସାୟୀ ଉଚ୍ଛେଦ ପ୍ରକିୟାକୁ ବିରୋଧ କରି ବ୍ୟକ୍ତିଗତ ଭାବେ ଓଡିଶା ଉଚ୍ଚ ନ୍ୟାୟଳୟରୁ ଫେବୃୟାରୀ ମାସ ଶେଷ ପର୍ଯ୍ୟନ୍ତ ରହିତାଦେଶ ଆଣିଥିବାରୁ ସେମାନଙ୍କୁ ବାଦ ଦେଇ ଆଜି ସକାଳୁ ୬ ପ୍ଲାଟୁନ ପୁଲିସ ଫୋର୍ସ ସହିତ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି, ତହସିଲଦାର ଖୋର୍ଦ୍ଧା ବିଭାସ ରଞ୍ଜନ ପାଣିଗ୍ରାହୀ, ତହସିଲଦାର ବେଗୁନିଆ ତାପସ କୁମାର ବିଶି, ଅତିରିକ୍ତ ତହସିଲଦାର ଖୋର୍ଦ୍ଧା ଡ଼ି ଗୋପାଳ ରେଡ୍ଡୀ, ଅତିରିକ୍ତ ତହସିଲଦାର ବେଗୁନିଆ ନିହାର ରଞ୍ଜନ ସାମଲ,ସହକାରୀ ଜିଲ୍ଲାପାଳ ଖୋର୍ଦ୍ଧା ଅମୀର କୁମାର ଦାସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଏବଂ ଖୋର୍ଦ୍ଧା ପୌରପରିଷଦ ନିର୍ବାହୀ ଅଧିକାରୀ ରିଜୁଆନ କବଅବ, ଜିଲ୍ଲା ପୁଲିସ ପ୍ରଶାସନର ବରିଷ୍ଟ ପୁଲିସ ଅଧିକାରୀ, ସମସ୍ତ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ବ କରାଯାଇଥିଲା। ଉଚ୍ଛେଦ ପ୍ରକ୍ରିୟା ସମୟରେ ଆତ୍ମହୁତି ଦେବା ପାଇଁ ଉଦ୍ୟମ କରୁଥିବାବେଳେ କେତେକ ପରିବା ବ୍ୟବସାୟୀଙ୍କୁ ଉଠାଇ ନେଇଛି ପୁଲିସ। ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଆଜି ଉଚ୍ଛେଦ ହୋଇଥିବା ଦୋକାନ ଗୁଡିକ ହେଲା ପୂଜା ସାମଗ୍ରୀ ବିକ୍ରି କରୁଥିବା ଦୋକାନ ,ଫଳ ଦୋକାନ, ପରିବା ଦୋକାନ ଏବଂ ଅନ୍ୟାନ୍ୟ ମିଶି ମୋଟ ୧୩୦ ଟି ଦୋକାନ ଉଚ୍ଛେଦ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚନ୍ୟାୟଳୟରୁ ରହିତାଦେଶ ଉଠିବାପରେ ବାକି ରହିଥିବା ସମସ୍ତ ବ୍ୟବସାୟୀଙ୍କୁ ପର୍ଯ୍ୟାୟକ୍ରମେ ସହର ମଧ୍ୟରୁ ଉଚ୍ଛେଦ କରାଯିବା ସହିତ ସେମାନଙ୍କୁ ଭେଣ୍ଡି ଜୋନରେ ଥଇଥାନ କରାଯିବ ବୋଲି ଉପ ଜିଲ୍ଲାପାଳ ଦିପ୍ତୀ ରଞ୍ଜନ ସେଠି କହିଛନ୍ତି। ଏହାଦ୍ୱାରା ଖୋର୍ଦ୍ଧା ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ହେବା ସହିତ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930