Indus Valley Times

ଖୋରଧା ରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ

 Breaking News

ଖୋରଧା ରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଉଦଘାଟିତ

March 07
20:09 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୩ : ଖୋରଧା ପୋଲିସ ଜିଲ୍ଲାରେ ଶୁକ୍ରବାର ନୂତନ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ସ୍ଥାନୀୟ ବିଜେବି ହାଇସ୍କୁଲ ପୁରାତନ ଛାତ୍ରାବାସ ପରିସର କୋଠାରେ ଉଦ୍‌ଘାଟିତ ହୋଇଯାଇଛି।
ଆଭାସୀ ମାଧ୍ୟମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ନୂତନ ଥାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଜିଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂହ, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଜିଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।
ସଦର ଡିଏସ୍‌ପି ନୀହାର ରଞ୍ଜନ ପ୍ରଧାନ, ଡିଏସ୍ ପି ଅନିଲ ମହାନ୍ତି, ଯୁଗଳ କିଶୋର ମଲ୍ଲିକ, ସାଇବର ଥାନା ଡିଏସ୍‌ପି ରବି ନାରାୟଣ ଭଞ୍ଜ ଭାଜପା ରାଜ୍ୟ ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଥାନାର ଅଧିକାରୀ, ସାଇବର ପୋଲିସ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଜନପ୍ରତିନିଧ୍, ରାଜନୈତିକ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବିଧାୟକ ସାହୁ କହିଥିଲେ ଯେ, ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି। ଅଜ୍ଞନତା କିମ୍ବା ସଚେତନ ଅଭାବରୁ ଲୋକେ ସାଇବର ଠକାମୀର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇ ବସୁଛନ୍ତି।
ଖୋରଧାରେ ସାଇବର ଥାନା ଖୋଲିବା ପରେ ଏଣିକି ଆଉ ଲୋକଙ୍କୁ ଅଭିଯୋଗ ନିମନ୍ତେ ଭୁବନେଶ୍ୱର ଦୌଡ଼ିବାକୁ ପଡ଼ିବ ନାହିଁ। ଏଠାରେ ଲୋକଙ୍କୁ ଉପଯୁକ୍ତ ସେବା ମିଳିପାରିବ।
ସେହିପରି ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ ମଙ୍ଗରାଜ କହିଲେ ଯେ, ଅନେକ ସମୟରେ ସଚେତନତା ଅଭାବରୁ ସାଇବର ଠକାମୀ ଶିକାର ହେଲେ କ\’ଣ କରିବେ କୋଉଠିକି ଯିବେ ଲୋକେ ଜାଣିପାରନ୍ତି ନାହିଁ।
ମୋବାଇଲ ଫୋନରେ ବିଭିନ୍ନ ଆପ ଡାଉନଲୋଡ଼ କରିବା ସମୟରେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଆପ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ସମସ୍ତ ଡାଟା ଚୋରି କରି ନେଉଛନ୍ତି।
ସାଇବର ଅପରାଧ ପ୍ରତି ସଚେତନ ହେଲେ ଏହାକୁ ରୋକାଯାଇପାରିବ। ଏସ୍‌ପି ଶର୍ମା କହିଥିଲେ ଯେ, ସଚେତନ ନ ଥିବାରୁ ଅନେକ ସମୟରେ ଲୋକେ ଲକ୍ଷାଧିକ ଟଙ୍କା ହରାଇବା ସତ୍ତ୍ବେ ନୀରବ ରହିଯାଉଛନ୍ତି।
ସାଇବର ଅପରାଧର ଶିକାର ହେଲେ କ\’ଣ କରିବେ, କେଉଁଠି କି ଯିବେ, କେଉଁ ସବୁ ଡକ୍ୟୁମେଣ୍ଟର ଆବଶ୍ୟକ ରହିଛି ତାହା ସାଧାରଣ ଜନତା ଜାଣିପାରନ୍ତି ନାହିଁ।
ଫଳରେ ସାଇବର ଠକାମିର ଶିକାର ସତ୍ତ୍ବେ ଟଙ୍କା ଫେରି ପାଇବାରେ ବିଳମ୍ବ ଘଟିଥାଏ। ସାଇବର ଅପରାଧର ପ୍ରଥମ ୪୮ ଘଣ୍ଟା ଗୁରୁତ୍ବପୂର୍ଣ୍ଣ। ସମସ୍ୟାରେ ପଡିଲେ ତୁରନ୍ତ ସମୟ ଅପଚୟ ନ କରି ସାଇବର ଥାନାରେ ଲିଖିତ ଅଭିଯୋଗ କରିପାରିବେ।
ଏଥିଲାଗି ପ୍ରଥମେ ସାଇବର ଅପରାଧ ଟୋଲ ଫ୍ରି ନମ୍ବରକୁ କଲ କରି ନିଜ ସମସ୍ୟା ଜଣାନ୍ତୁ । ଥାନାକୁ ଯିବାକୁ ଶଙ୍କା ରହିଥିଲେ ସିଧାସଳଖ ଭାବେ ତାଙ୍କ ସହ ଦେଖା କରିପାରିବେ ବୋଲି ଏସ୍ପି କହିଥିଲେ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930