Indus Valley Times

ଖୋର୍ଦ୍ଧାର ସର୍ବ ପୁରାତନ ସାର୍ବଜନୀନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି

 Breaking News

ଖୋର୍ଦ୍ଧାର ସର୍ବ ପୁରାତନ ସାର୍ବଜନୀନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି

September 24
22:53 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୨୪/୯ : ମା’ ଙ୍କ ଆଗମନରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଏବେ ଉତ୍ସବମୁଖର। ଆଉ ଦିନ କେଇଟା ପରେ ଶକ୍ତିରୂପିଣୀ ମା’ଦୁର୍ଗା ଧରାବତରଣ କରିବେ। ମା’ ଙ୍କ ଆଗମନରେ କାଶତଣ୍ଡି ଫୁଲ ଧରା ପୃଷ୍ଠରେ ଖିଲି ଖିଲି ହୋଇ ନାଚି ଉଠୁଛି ।
ମା’ ଙ୍କ ଆବିର୍ଭାବକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଥିବା ବେଳେ ଖୋର୍ଦ୍ଧା ସହରର ସର୍ବ ପୁରାତନ ଖୋର୍ଦ୍ଧା କ୍ଳବ ସାର୍ବଜନୀନ ପୂଜା କମିଟି ପକ୍ଷରୁ ସୁସଜ୍ଜିତ ତୋରଣ ସାଜସଜ୍ଜା ସହିତ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସହର ମଧ୍ୟ ଭାଗରେ ଥିବା ଏହି କ୍ଳବ ୧୯୧୬ ମସିହାରେ ପ୍ରତିଷ୍ଠା ହୋଇଥିଲା। କିଛି ବଙ୍ଗୀୟ ସମ୍ପ୍ରଦାୟର ବ୍ୟକ୍ତି ୧୯୨୮ ମସିହାରେ ଏଠାରେ ମା\’ଙ୍କ ପୂଜା ଆରମ୍ଭ କରିଥିଲେ।
କାଳକ୍ରମେ ଏହି ପୂଜାରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଯୋଡ଼ି ହୋଇ ସାର୍ବଜନୀନ ପୂଜା ଭାବରେ ପାଳିତ ହୋଇଆସୁଛି। ଚଳିତ ବର୍ଷ ପୂଜା ୯୭ ବର୍ଷରେ ପଦାର୍ପଣ କରୁଥିବା କମିଟି ପକ୍ଷରୁ ପ୍ରକାଶ କରାଯାଇଥିବା ବେଳେ ପ୍ରସ୍ତୁତି ଜୋରଦାର ଚାଲିଛି। ପୂଜା କମିଟିର ସଭ୍ୟ ସଂଖ୍ୟା ବୃଦ୍ଧି ଘଟି ୨୯୫ ପହଞ୍ଚିଛି ।
ମା’ଙ୍କ ପୂଜାକୁ ନେଇ ନୂତନ ସଦସ୍ୟ ମାନେ ଉତ୍ସାହିତ ରହିଛନ୍ତି। ଚଳିତ ବର୍ଷ ପୁରୁଣା ବସଷ୍ଟାଣ୍ଡ ଓ ପେଟ୍ରୋଲ ପମ୍ପ ଛକରେ ନିର୍ମାଣ ୨ଟି ଗେଟ ବିଭିନ୍ନ ପ୍ରକାର ରଙ୍ଗବେରଙ୍ଗ ଏଲିଡି ଲାଇଟରେ ପ୍ରସ୍ତୁତ କରାଯାଇଛି।
ପ୍ରାୟ କାର୍ଯ୍ୟ ଶେଷ ମୁହୂର୍ତ୍ତରେ ପହଞ୍ଚିଲାଣି । କଟକ ଗୋଡିସାହି ନିବାସୀ ବିଶୁ ମହାରଣା ଓ ତାଙ୍କ ୩ ଜଣ ସହଯୋଗୀ କାରିଗର ମାଙ୍କ ମୃଣ୍ମୟୀ ମୂର୍ତ୍ତି କରିବାରେ ଦିନରାତି ଲାଗିପଡିଛନ୍ତି। ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ୧୨ ପୁଟ ଉଚ୍ଚତା ବିଶିଷ୍ଟ ମୃଣ୍ମୟୀ ମୂର୍ତ୍ତି ରୁପା ମକୁଟ ଏବଂ ରୂପାର ହାରରେ ପୂଜା ପାଇବେ ମା’ ଶକ୍ତିରୂପିଣୀ ।
ସାର୍ବଜନୀନ ପୂଜା କମିଟି ଖୋର୍ଦ୍ଧା ପକ୍ଷରୁ ବିଧି ଅନୁଯାୟୀ ଚଳିତ ମାସ ୨୮ ତାରିଖ ରବିବାର ବିଲ୍ଵବରଣ ଷଷ୍ଠୀ ପୂଜା ଆରମ୍ଭ କରାଯିବ। ସୋମବାର ମହାସପ୍ତମୀ ୧.୦୫ ମଧ୍ୟେ ନବ ପତ୍ରିକା ବିହିତ ପୂଜାରମ୍ବ ,ଚକ୍ଷୁଦାନ,ପ୍ରାଣପ୍ରତିଷ୍ଠା। ମଙ୍ଗଳବାର ମହାଷ୍ଟମୀ ,ତାରିଣୀ ପୂଜା ସନ୍ଧ୍ୟା ୫.୪୨ ମିନିଟରେ ସନ୍ଧିପୂଜା ଆରମ୍ଭ ୬.୦୬ ମଧ୍ୟରେ ସନ୍ଧିବଳୀ। ବୁଧବାର ମହାନବମୀ ,ନବମୀ ବିହିତ ହୋମ ଆରମ୍ଭ। ଗୁରୁବାର ବିଜୟା ଦଶମୀ ,ଦଶମୀ ପୂଜା ସନ୍ଧ୍ୟାରେ ସିନ୍ଦୁର ଖେଳ ଅନୁଷ୍ଠିତ ସହିତ ୮ ଟା ବେଳେ ଦେବୀ ଅଶ୍ୱ ବାହାନେ ପ୍ରତ୍ୟାବର୍ତ୍ତନ କରନ୍ତି। ୫ ଦିନ ଧରି ମା’ ଙ୍କ ପୂଜାରେ ୧୭ ପ୍ରକାର ମିଠା, ଖିରି ,ଖେଚୁଡ଼ି ,ଅନ୍ନ ଭୋଗ ଲାଗି କରାଯାଏ।
ଅଷ୍ଟମୀ ଦିନ ପ୍ରାୟ ୭୦୦ ବ୍ରତୀଧାରୀ ମହିଳା ମାନେ ମା’ଙ୍କ ନିକଟରେ ପୂଜା କରିଥାନ୍ତି। ସେହି ଦିନ ଦୁଇ ପ୍ରହରେ ୧୫୦୦ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ନିମନ୍ତେ ପୁରୀ,ଡାଲାମା,ଆଳୁକଷା, ଦହିବରା,ଖଟା, ବୁନ୍ଦି, ଗୋଲାପ ଜାମୁ,ଝିଲ୍ଲୀ ପାଏସ ର ବ୍ୟବସ୍ଥା କରାଯାଇଛି।
ସେହିପରି ନବମୀ ରାତିରେ ୨୦୦୦ ହଜାର ଶ୍ରଦ୍ଧାଳୁ ଙ୍କ ନିମନ୍ତେ ଶେରିଆ ଅନ୍ନ, ଡାଲାମା , ଓଉ ଖଟା, ଶାଗ ଓ ଖିରି ର ବ୍ୟବସ୍ଥା କରାଯାଇଛି।
ସପ୍ତମୀ ଠାରୁ ଭସାଣି ପର୍ଯ୍ୟନ୍ତ ପ୍ରାୟ ୭୦୦୦ ହଜାର ଲୋକଙ୍କୁ ମିଷ୍ଟାନ୍ନ ପ୍ରସାଦ ବଣ୍ଟନ କରାଯାଇଥାଏ। ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ଆଳତି ସମୟରେ ମା\’ ଙ୍କ ନିକଟରେ ତୁରୀ, ବୀର ବାଦ୍ୟ,୫୦ ପଟ ଘଣ୍ଟ ବାଦ୍ୟରେ ଆଳତି ସମ୍ପର୍ଣ୍ଣ ହୋଇଥାଏ।
ଷଷ୍ଠୀ ଠାରୁ ଭସାଣି ପର୍ଯ୍ୟନ୍ତ ପ୍ରତ୍ୟେକ ସନ୍ଧ୍ୟାରେ କ୍ଳବ ପରିସରରେ ପ୍ରବଚନ, ଭଜନ, ଲୋକନୃତ୍ୟ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣର ବ୍ୟବସ୍ଥା ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ କରାଯାଇଛି।
କିଛି ବର୍ଷ ଧରି ସ୍ଥାନୀୟ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଝାଙ୍କି କାର୍ଯ୍ୟକ୍ରମ କ୍ଳବ ପରିସରରେ କରାଯାଉଛି । ସୁରକ୍ଷା ଦୃଷ୍ଟିରେ ରଖି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ଠାରୁ ନୟାଗଡ଼ ଷ୍ଟାଣ୍ଡ ପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତାୟାତରେ ସହଯୋଗ କରିଥାନ୍ତି। ସେହିପରି ପୂଜା ମଣ୍ଡପ ନିକଟରେ ଅଗ୍ନିଶମ କର୍ମଚାରୀ ସମେତ ପୁଲିସ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନର ସୁ ବନ୍ଦୋବସ୍ତ କରାଯାଇଛି ।
ତତ୍ ସହିତ କ୍ଲବର ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ସ୍ବେଚ୍ଛାସେବୀ ଭାବରେ ଅହରହ ମା\’ଙ୍କ ପୂଜା ଓ ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳା, ଦର୍ଶନରେ ସହଯୋଗ କରିବାର ବ୍ୟବସ୍ଥା କରାଯାଇଛି। କ୍ଳବର ବରିଷ୍ଠ ସଦସ୍ୟ ମାନଙ୍କ ମାର୍ଗ ଦର୍ଶନରେ କନିଷ୍ଠ ସଦସ୍ୟ ମାନେ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରିଥାନ୍ତି।
ପାଞ୍ଚ ଦିନ ଧରି କ୍ଳବର ସମସ୍ତ ସଦସ୍ୟ ମାନେ ପୂଜାରେ ଉପସ୍ଥିତ ରହି ପୂଜାକୁ ସରସ ସୁନ୍ଦର କରିବାରେ ଲାଗି ପଡ଼ିଥାନ୍ତି। ଚଳିତ ବର୍ଷ କ୍ଳବର ନୂତନ ସଦସ୍ୟ ମାନେ ମା\’ ଙ୍କ ପୂଜାକୁ ନେଇ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି।
ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ମା\’ ଶକ୍ତିରୂପିଣୀ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ କରାଯିବ । ଜ୍ୟୋତିନ୍ଦ୍ର ନାଥ ମିତ୍ର, ସଭାପତି, ସାର୍ବଜନୀନ ପୂଜା କମିଟି।
ସାର୍ବଜନୀନ ପୂଜା କମିଟି ଖୋର୍ଦ୍ଧା ବହୁ ପୁରାତନ କ୍ଳବ । ଏଭଳି ଏକ ଅନୁଷ୍ଠାନ ସହିତ ଜଡ଼ିତ ହେବା ନିଶ୍ଚୟ ଗର୍ବର ବିଷୟ। ଚଳିତ ବର୍ଷ ପୂଜା ମହା ଆଡମ୍ବରରେ ପାଳିତ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର‌୍ୟ୍ୟାୟରେ । ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ, ସମ୍ପାଦକ , ସାର୍ବଜନୀନ ପୁଜା କମିଟି

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930