Indus Valley Times

ଚୋରା ବାଇକ ରାକେଟ ପର୍ଦ୍ଧାଫାସ:୧୫ ଚୋରା ବାଇକ ଉଦ୍ଧାର;୫ ଗିରଫ,୫ ମୋବାଇଲ ଜବତ

 Breaking News

ଚୋରା ବାଇକ ରାକେଟ ପର୍ଦ୍ଧାଫାସ:୧୫ ଚୋରା ବାଇକ ଉଦ୍ଧାର;୫ ଗିରଫ,୫ ମୋବାଇଲ ଜବତ

ଚୋରା ବାଇକ ରାକେଟ ପର୍ଦ୍ଧାଫାସ:୧୫ ଚୋରା ବାଇକ ଉଦ୍ଧାର;୫ ଗିରଫ,୫ ମୋବାଇଲ ଜବତ
February 08
12:38 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୮/୨: ନିରାକାରପୁର ଥାନା ପୁଲିସକୁ ମିଳିଛି ବଡ ସଫଳତା। ପୁଲିସ ବାଇକ ଚୋରି ରାକେଟର କରିଛି ପର୍ଦ୍ଦାଫାସ। ବାଇକ୍ ଚୋରି ର ମୁଖ୍ୟ ଅଭିଯୁକ୍ତ , ୨ ଜଣ କ୍ରେତା ଏବଂ ଜଣେ ସ୍କ୍ରାପ୍ ଡିଲର ସମେତ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ହୋଇଥିବା ୫ ଜଣ ହେଲେ ଜଙ୍କିଆ ଥାନା ସିକୋ ଗ୍ରାମର ମୁଖ୍ୟ ଅଭିଯୁକ୍ତ ସନାତନ ପ୍ରଧାନ (୨୦), ଚୋରା ଗାଡି ରଖିଥିବା ଗୌଡ଼ିଆପଡ଼ା ଗ୍ରାମର ଶୁଭମ ସାମନ୍ତରାୟ, ଖଡ଼ିପଦର ସୁକାନ୍ତ ରାଉତରାୟ (୨୩), କବାଡିଆ ଜିନିଷ ବିକ୍ରେତା ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଙ୍କୁଲାପାଟଣା ଗ୍ରାମର ଦିଲୀପ କୁମାର ସାହୁ ( ୩୪) ।
ଏଥିସହିତ ବାଇକ ରଖିଥିବା ଜାଲଭାର ଗ୍ରାମର ଜଣେ ୧୬ ବର୍ଷର ନାବାଳକ ପୁଲିସ ଜୁଭେନାଇଲ କୋର୍ଟରେ ହାଜର କରାଯାଇଛି । ସେମାନଙ୍କ ଠାରୁ ୧୫ଟି ଚୋରା ମୋଟର ସାଇକେଲ ଓ ଭାଙ୍ଗିଯାଇଥିବା ମୋଟର ସାଇକେଲ ପାର୍ଟସ, ୫ଟି ମୋବାଇଲ୍ ଫୋନକୁ ପୁଲିସ ଜବତ କରିଛି ।
ପ୍ରକାଶ ଥାଉକି, ଗତ ୬ ତାରିଖ ସନ୍ଧ୍ୟାରେ ନିରାକାରପୁର କଲେଜ ଛକ ନିକଟରେ ପୁଲିସ ପକ୍ଷରୁ ଗାଡି ମୋଟର ଯାଞ୍ଚବେଳେ ଜଣେ ସନ୍ଦିଗ୍ଧ ମୋଟର ସାଇକେଲ ଆରୋହୀଙ୍କୁ ଅଟକାଇବା ସମୟରେ ସେ ଖସିଯିବାକୁ ଚେଷ୍ଟା କରିଥିଲା। ନିରାକାରପୁର ପୁଲିସ ଷ୍ଟେସନ ସମ୍ମୁଖରେ ତାଙ୍କୁ ପିଛା କରି ତାକୁ ଧରିଥିଲା। ଆରୋହୀ ମୋଟର ସାଇକେଲର ବୈଧ ମାଲିକାନା କାଗଜପତ୍ର ଦେଖାଇବାରେ ବିଫଳ ହୋଇଥିବାରୁ ଗାଡ଼ିଟି ଚୋରା ହୋଇଥିବା ପୁଲିସ ସନ୍ଦେହ କରିଥିଲା ।
ତଦନ୍ତ ସମୟରେ ଜଣାପଡିଥିଲା ଯେ ଗାଡ଼ି ଚାଳକ ତାଙ୍କ ସହଯୋଗୀ ମାନଙ୍କ ସହିତ ଜଟଣୀ, ଖୋରଧା, ପୁରୀ ଅଂଚଳ ଏବଂ ସଂଲଗ୍ନ ଜିଲ୍ଲାରୁ ଅନେକ ମୋଟର ସାଇକେଲ ଚୋରି କରି ସେଗୁଡ଼ିକୁ କମ୍ ମୂଲ୍ୟରେ ବିକ୍ରି କରୁଥିଲେ। ବାରମ୍ବାର ବାଇକ ଚୋରି ସମ୍ପର୍କରେ ଖବର କାଗଜରେ ଖବର ପ୍ରକାଶ ଏବଂ ଗାଡ଼ି ମାଲିକଙ୍କ ଅଭିଯୋଗକୁ ଭିତ୍ତିକରି
ସେମାନଙ୍କୁ ଧରିବା ଲାଗି ଖୋରଧା ଏସ୍ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଦେଶରେ ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱବଧାନରେ ଏକ ଟିମ୍ ଗଠନ କରାଯାଇଥିଲା ।
ନିରାକାରପୁର ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ, ଖୋରଧା ଆଦର୍ଶ ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କ ନେତୃତ୍ୱରେ ଏହି ଟିମ୍ ରେ ଏସ ଆଇ ଦିପାଲିଶା ନାୟକ, ଏଏସଆଇ ଗୁପ୍ତା ପ୍ରସାଦ ମହାନ୍ତି, କନେଷ୍ଟବଳ ରଘୁନାଥ ବରାଡ, ପୀତବାସ ଦଳେଇ ଓ ମିଥୁନ ପ୍ରଧାନ ପ୍ରମୁଖ ସାମିଲ ହୋଇ ଏକାଧିକ ସ୍ଥାନରେ ଚଢାଉ କରି ସଫଳତାର ସହ ୧୫ ଟି ଚୋରା ମଟର ସାଇକେଲ ଜବତ କରିଥିଲେ ।
ଏଥିସହିତ ଭାଙ୍ଗିଯାଇଥିବା ମୋଟର ସାଇକେଲ ପାର୍ଟସ, ୫ଟି ମୋବାଇଲ୍ ଫୋନକୁ ପୋଲିସ ଜବତ କରିଛି ବୋଲି ଆଜି ଏସ୍ପି ଅଫିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି । ଜବତ ଗାଡି ଗୁଡିକ ମଧ୍ୟରେ ହିରୋ ଗ୍ଲାମର, ହିରୋ ସ୍ପ୍ଲେଣ୍ଡର, ପଲସର ୨୨୦ ଏଫ୍, ହୋଣ୍ଡା ସିବି ୟୁନିକର୍ଣ୍ଣ, ହିରୋ ଏଚ୍ଏଫ୍ ଡିଲକ୍ସ ଓ ସିଟି ୧୧୦ ଏକ୍ସ ଭଳି ଗାଡ଼ି ରହିଛି ।
ମୁଖ୍ୟ ଅଭିଯୁକ୍ତ ସନାତନ ଖୋରଧା ଜିଲ୍ଲାରେ ସମ୍ପ୍ରତି ଘଟିଥିବା ଏକାଧିକ ମୋଟର ସାଇକେଲ ଚୋରି ମାମଲାରେ ଜଡିତ ଥିବା ପୁଲିସ ଜାଣିବାକୁ ପାଇଛି । ଚୋରି ସ୍ଥଳ ଏବଂ ଅନ୍ୟ ସହଯୋଗୀଙ୍କ ସମ୍ପର୍କରେ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି । ଖୋରଧା ଜିଲ୍ଲା ନିରାକାରପୁର ଥାନା କେସ୍ ନମ୍ବର ୪୭/୨୬ ରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930